ରାୟଗଡ଼ା ବ୍ଲକରେ ଭିଜିଲାନସର ଛାନଭିନ୍; ବିନା ଏଷ୍ଟିମେଟରେ ୩୦ ଲକ୍ଷ ଅନୁଦାନ ଉଠାଇନେଲେ ପିଇଓ

ରାୟଗଡ଼ା: ବିନା ଏଷ୍ଟିମେଟରେ ସରକାରୀ ଆକାଉଣ୍ଟରରୁ ୩୦ ଲକ୍ଷ ଉଠାଇବା ନେବା ଘଟଣାର ତଦନ୍ତ ଆରମ୍ଭ କରିଛି ରାୟଗଡ଼ା ଭିଜିଲାନସ୍। ରାୟଗଡ଼ା ବ୍ଲକ୍ ନାକେଟି ପଞ୍ଚାୟତର ପୂବର୍ତନ ପିଇଓ ଲକ୍ଷ୍ମୀନାରାୟଣ ସାହୁଙ୍କ ନାମରେ ମାମଲା ରୁଜୁ ସହ ଆଜି ବ୍ଲକ୍ କାର୍ଯ୍ୟାଳୟରେ ଛାନଭିନ୍ କରିଛି ଭିଜିଲାନସ୍ ଟିମ୍। ଭିଜିଲାନସ୍ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ବରେ ଟିମ୍ ବ୍ଲକରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି। ତେବେ ଯାଞ୍ଚ ପରେ କେଉଁ କାମ ପାଇଁ ପିଇଓ ଶ୍ରୀ ସାହୁ ଏତେ ଟଙ୍କା ଉଠାଇଛନ୍ତି ସେ ସଂପର୍କରେ କୌଣସି କାଗଜପତ୍ର ମିଳିନଥିବା ଜଣାପଡିଛି।

କେନ୍ଦ୍ର ସରକାରଙ୍କ ଚର୍ତୁଦଶ ଅର୍ଥ କମିଶନ୍ ଓ ରାଜ୍ୟ ସରକାରଙ୍କ ଚର୍ତୁଥ ଅର୍ଥ କମିଶନ୍ ବାବଦରେ ପଞ୍ଚାୟତକୁ ଆସିଥିବା ଅନୁଦାନ ଅର୍ଥରୁ ୩୦ ଲକ୍ଷ ହଡ଼ପ କରାଯାଇଛି। କାର୍ଯ୍ୟାଦେଶ, କ୍ୟାସ ରେକର୍ଡ, ଏଷ୍ଟିମେଟ ଓ କାଗଜପତ୍ର ନ ଥାଇ ଅତି ଚଞ୍ଚକତାର ସହ ସରପଞ୍ଚ ରାତୁ ମେଲେକାଙ୍କ ସ୍ବାକ୍ଷରରେ ଚେକ୍ ମାଧ୍ୟମରେ ଏହି ଟଙ୍କା ଉଠାଯାଇଛି। ଉଠାଯାଇଥିବା ଟଙ୍କା କେଉଁ କାମରେ ଲାଗିଛି, କାହାକୁ ଦିଆଯାଇଛି, ତାକୁ କିଏ ଅନୁମୋଦନ କରିଛି ସେ ସଂପର୍କିତ କୌଣସି ତଥ୍ୟ ବ୍ଲକରେ ନାହିଁ। ୨୦୧୮ ଜୁନ୍ ୨୮ରୁ ୨୦୧୯ ମାର୍ଚ୍ଚ ୨୯ ତାରିଖ ମଧ୍ୟରେ ୩୦ଟି ଚେକ୍ ମାଧ୍ୟମରେ ପିଇଓ ଲକ୍ଷ୍ମୀନାରାୟଣ ସାହୁ ଏହି ଟଙ୍କା ଉଠାଇ ନେଇଥିବା ଜାଣିବା ପରେ ଶ୍ରୀ ସାହୁଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓ ଜିଲ୍ଲାପାଳଙ୍କୁ ସୁପାରିଶ କରିଥିଲେ।

ସରକାରୀ ଅର୍ଥର ଦୂରୁପଯୋଗ ଅଭିଯୋଗରେ ଜିଲ୍ଲାପାଳ ପିଇଓ ଶ୍ରୀ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ବର୍ତ୍ତମାନ ଶ୍ରୀ ସାହୁ କାଶୀପୁର ତହସିଲ ଅଫିସରେ କାର୍ଯ୍ୟରତ ଥିବା ବେଳେ ରାୟଗଡ଼ା ଭିଜିଲାନସ୍ ବିଭାଗ ୨୦୨୧ ଜାନୁଆରୀ ମାସରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଜାନୁଆରୀ ୧୨ ତାରିଖରେ ଭିଜିଲାନସ୍ ଡିଏସପି ଶ୍ରୀ ମଲ୍ଲିକ୍ ନାକେଟି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସରପଞ୍ଚ ରାତୁ ମେଲେକା ଓ ପୂର୍ବତନ ପିଇଓ ଲକ୍ଷ୍ମୀନାରାୟଣ ସାହୁଙ୍କ ଉପସ୍ଥିତିରେ ଟଙ୍କା ଉଠାଣର ତଦନ୍ତ କରିଥିଲେ। ତଦନ୍ତ ସମୟରେ ପଞ୍ଚାୟତ ଅଫିସରୁ କୌଣସି କାଗଜପତ୍ର ମିଳିନଥିବା ବେଳେ ଉନ୍ନୟନମୂଳକ କାମ ବାବଦକୁ ଖର୍ଚ୍ଚ ହେବ ଦର୍ଶାଇ ପିଇଓ ଶ୍ରୀ ସାହୁ ସରପଞ୍ଚଙ୍କୁ ମନାଇ ଟଙ୍କା ଉଠାଇ ନେଇଥିବା ତଦନ୍ତ ସମୟରେ ସ୍ପଷ୍ଟ ‌ହୋଇଥିଲା। ଏହା ପରେ ଆଜି ଭିଜିଲାନସ୍ ରାୟଗଡ଼ା ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟକିରାଣୀ ଓ କ୍ୟାସିୟରଙ୍କ ଉପସ୍ଥିତିରେ ପଞ୍ଚାୟତ ଅନୁଦାନ ସଂପର୍କିତ କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଟଙ୍କା ଉଠାଣ ବାବଦ କୌଣସି ସଠିକ୍ କାଗଜପତ୍ର ମିଳିନଥିବା ଭିଜିଲାନସ୍ ଡିଏସପି ଶ୍ରୀ ମଲ୍ଲିକ୍ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର