ଖୋର୍ଦ୍ଧା: ଏକ ଜମି ଜମା ମାମଲାରେ ଗୋଟିଏ ପକ୍ଷ ଠାରୁ ମାମଲାର ଦଫା କୋହଳ କରିବାକୁ ଧଳାପଥର ଫାଣ୍ଡି ଅଧିକାରୀ ଅଶୋକ କୁମାର ପଣ୍ଡା ୨୦ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି। ଏହା ସହିତ ତାଙ୍କ ବାଣପୁର ଘରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ନେଇ ଚଢ଼ଉ ହୋଇଛି।
ଅଭିଯୋଗ ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲ ଅଧୀନ କୋଦୁଅବେରେଣୀ ମୌଜାରେ ଥିବା ଜମିକୁ କେନ୍ଦ୍ର କରି ସାନ ନୟାପଲ୍ଲୀ ବାସିନ୍ଦା ଆଶିଷ କୁମାର ପଣ୍ଡା ଓ କଢ଼ାମଲ୍ଲ ଗାଁର ଭୋଳାନାଥ ବେହେରାଙ୍କ ମଧ୍ୟରେ ୧ ମାସ ପୂର୍ବେ ବିବାଦ ଲାଗିରହିଛି। ଗତ ମଇ ମାସରେ ଏନେଇ ପରସ୍ପର ବିରୋଧରେ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ। ଭୋଳାନାଥଙ୍କ ଅଭିଯୋଗ କ୍ରମେ କେସ୍ ନଂ ୯୯ରେ ତାଙ୍କ ଓ ତାଙ୍କ ଭାଇ ନାମରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ଦାୟିତ୍ୱ ଧଳାପଥର ଫାଣ୍ଡି ଅଧିକାରୀ ଏଏସ୍ଆଇ ଅଶୋକ କୁମାର ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ପରେ ଫାଣ୍ଡି ଅଧିକାରୀ ଆଶିଷ ଓ ତାଙ୍କ ଭାଇଙ୍କୁ ଡାକି ୨୫ ହଜାର ଟଙ୍କା ନଦେଲେ ଗିରଫ କରିବି ବୋଲି ଧମକ ଦେଇଥିଲେ। ପରେ ଆଶିଷ ୨୦ ହଜାର ଟଙ୍କା ଦେବେ ବୋଲି ରାଜି ହେବା ସହ ଏନେଇ ଭିଜିଲାନ୍ସ ଏସ୍ପିଙ୍କୁ ଅଭିଯୋଗ କରିଥିଲେ।
ଗତକାଲି ଥାନାରେ ଫାଣ୍ଡି ଅଧିକାରୀ ଆଶିଷଙ୍କ ଠାରୁ ୨୦ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଭିଜିଲାନ୍ସ ଡିଏସ୍ପି ଅନୁପମା ମହାପାତ୍ର ସଦଳବଳେ ଚଢ଼ଉ କରି ରଙ୍ଗେହାତ ଧରିଥିଲେ। ଅନୁପମା ମହାପାତ୍ରଙ୍କ କହିବାନୁସାରେ, ଅଶୋକ ପଣ୍ଡାଙ୍କୁ ଖୋର୍ଦ୍ଧା ଭିଜିଲାନ୍ସ କାର୍ଯ୍ୟାଳୟ ଆଣି ପଚରାଉଚୁରା କରାଯାଇଛି। ଏହା ସହ ତାଙ୍କର ବାଣପୁରସ୍ଥ ପୈତୃକ ଘରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ନେଇ ଚଢ଼ଉ ହୋଇଛି।