ଭିଜିଲାନ୍‌ସ ପଞ୍ଝାରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ: ୩.୯୧ ଲକ୍ଷ ଟଙ୍କା ସହିତ ଧରାପଡ଼ିଲେ, ଗିରଫ ହେଲେ

ଭୁବନେଶ୍ବରସ୍ଥିତ ବାସଭବନ ସମେତ ବାରିପଦାସ୍ଥିତ କାର୍ଯ୍ୟାଳୟ ଓ ଭଡ଼ା ଘରେ ରେଡ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କରୋନା ସହିତ ଲଢ଼େଇ ଜାରି ରଖିଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଅଭୟ କୁମାର ତ୍ରିପାଠୀ(୬୦)। ଆଜି ସକାଳୁ ସକାଳୁ ଭିଜିଲାନ୍‌ସ ବିଛାଇଥିବା ଜାଲରେ ପଡ଼ିଥିଲେ ଶ୍ରୀ ତ୍ରିପାଠୀ। ଅବସର ଗ୍ରହଣ କରିବାକୁ ଆଉ କିଛି ମାସ ବାକି ଥିବାବେଳେ ଆଜି ବିଭାଗରେ ନିଯୁକ୍ତି, ଲୋକମାନଙ୍କୁ ଋଣ ପ୍ରଦାନ ନିମନ୍ତେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ଆଦି ବିଭିନ୍ନ ସୂତ୍ରରୁ ବେଆଇନ ଭାବେ ଆଦାୟ କରିଥିବା ୩.୯୧ ଲକ୍ଷ ଟଙ୍କା ଧରି କାର୍ଯ୍ୟାଳୟର ଓଡି-୧୧-ଆର-୮୪୪୪ ନମ୍ବର ବିଶିଷ୍ଟ ଏକ ସରକାରୀ ଗାଡ଼ିରେ ଭୁବନେଶ୍ୱର ଯାଉଥିବା ବେଳେ ବାଲେଶ୍ୱର ଭିଜିଲାନ୍‌ସ ଟିମ୍‌ ବାରିପଦା ଭିଜିଲାନ୍‌ସ ସହାୟତାରେ ବେତନଟୀ-ବଡ଼ସାହି ରାସ୍ତାର ହାଟପଦା ନିକଟରେ ଧରାପଡ଼ିଥିଲେ।

ଶ୍ରୀ ତ୍ରିପାଠୀ ବାରିପଦାରୁ ୧୮ ନମ୍ବର ଜାତୀୟ ରାଜପଥରେ ଯାଉଥିବାବେଳେ ବେତନଟୀନିକଟରେ ଭିଜିଲାନ୍‌ସ ଟିମ୍‌କୁ ଦେଖି ବେତନଟୀ-ବଡ଼ସାହି ରାସ୍ତାକୁ ନିଜ ଗାଡ଼ି ବୁଲାଇଦେଇଥି‌ଲେ। ତେବେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଅନୁସରଣ କରି ଧରିଥିଲେ। ଗାଡି ଯାଞ୍ଚ ସମୟରେ ଭିନ୍ନ ଭିନ୍ନ ପ୍ୟାକେଟ୍‌ରେ ତାଙ୍କ ନିକଟରୁ ୩.୯୧ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ତେବେ ଉକ୍ତ ଅର୍ଥର ଉତ୍ସ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍‌ସ ପକ୍ଷରୁ କୁହାଯାଇଛି।

ଶ୍ରୀ ତ୍ରିପାଠୀଙ୍କ ଗାଡ଼ିକୁ ବେତନଟୀରେ ରଖି ଭିଜିଲାନ୍‌ସ ନିଜ ଗାଡ଼ିରେ ତାଙ୍କୁ ଧରି ପ୍ରଥମେ ବାରିପଦା ଭିଜିଲାନ୍‌ସ ୟୁନିଟ୍‌ରେ ପହଞ୍ଚିଥିଲେ । ଏହାପରେ ଶ୍ରୀ ତ୍ରିପାଠୀଙ୍କ ବାରିପଦା ମଧୁବନ ରାଣୀ ବାଗାନସ୍ଥିତ ଭଡ଼ା ଘର ସହିତ ତାଙ୍କ କାର୍ଯ୍ୟାଳୟକୁ ଯାଞ୍ଚ କରିଥିଲେ। ଏକ ସମୟରେ ଅନ୍ୟ ଏକ ଟିମ୍‌ ଭୁବନେଶ୍ବର ଖଣ୍ଡଗିରି ଜୟଦେବବାଟିକାସ୍ଥିତ ତାଙ୍କ ବାସଭବନ ଉପରେ ମଧ୍ୟ ରେଡ୍‌ କରି ଆବଶ୍ୟକୀୟ କାଗଜପତ୍ର ଆଦିକୁ ଜବତ କରିଥିବା ଜଣାପଡ଼ିଛି।

ଶ୍ରୀ ତ୍ରିପାଠୀଙ୍କୁ ଆଜି ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରାଯାଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯିବ ବୋଲି ଭିଜିଲାନ୍‌ସ ସୂତ୍ରରୁ ଜଣାପଡ଼ିଛି । ବାଲେଶ୍ୱର ଭିଜିଲାନ୍‌ସ ଏସ୍‌ପି ସନ୍ତୋଷ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଭିଜିଲାନ୍‌ସ ଅତିରିକ୍ତ ଏସ୍‌ପି ନିର୍ମଳ କୁମାର ମହାନ୍ତିଙ୍କ ଏବଂ ବାରିପଦା ଭିଜିଲାନ୍‌ସ ୟୁନିଟ୍‌ର ଡିଏସ୍‌ପି ଶରତ କୁମାର ମହାପାତ୍ର ଓ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନଙ୍କ ସହଯୋଗରେ ଆଜିର ଏହି ଅପରେସନ୍‌ କରାଯାଇଥିଲା।

 

ସମ୍ବନ୍ଧିତ ଖବର