ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବାଘମାରି ଗ୍ରାମରେ ରହୁଥିବା ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରାଯାଇଥିବା ଜଣାଯାଇଛି ।

Advertisment

ସମ୍ବଲପୁର ଭିଜିଲାନ୍ସ ଏସପି ଶାରା ଶର୍ମାଙ୍କ ନିଦ୍ଦେର୍ଶରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଡିଏସପି ଏସ୍. ମିଞ୍ଜ, ଡିଏସପି ସୁଜାତା ପଣ୍ଡା, ସୁବର୍ଣ୍ଣପୁର ଭିଜିଲାନ୍ସ ଇନ୍ସପେକ୍ଟର ତୁଷାର କାନ୍ତ ମହାପାତ୍ରଙ୍କୁ ନେଇ ଗଠିତ ଟିମ ଏହି ଚଢଉ ଜାରି ରଖିଛି । ଅଭିଯୁକ୍ତ ଶିକ୍ଷକଙ୍କ ପୈତୃକ ଘର କେଞ୍ଚରିଆପାଲି ସମେତ ବାଘମାରିରେ ଥିବା ଘରେ ଏକା ସାଙ୍ଗରେ ଏହି ଚଢଉ ଚାଲିଛି ।

ଶିକ୍ଷକ ସନ୍ତୋଷ ସାହୁ ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲା ହିଲୁଙ୍ଗ ପଞ୍ଚାୟତ ପଥରଘାଟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ବାଘମାରିରେ ପ୍ରାୟ ଛଅ ହଜାର ବର୍ଗଫୁଟର ଏକ ଦୁଇମହଲା ଘର ସହ ଗୋଟିଏ ଚାରି ଚକିଆ ଗାଡି ମଧ୍ୟ ରହିଥିବା  ଜଣାପଡ଼ିଛି । ଏହା ସହିତ ଏହି ଚଢଉ ବେଳେ ଭିଜିଲାନ୍ସ ବିଭାଗ ନଗଦ ଦୁଇ ଲକ୍ଷ ଟଙ୍କା ଜବତ କରିଛି । ଖବର ଲେଖାହେବା ବେଳକୁ ଭିଜିଲାନ୍ସ ପକ୍ଷରୁ ତାଙ୍କ ସମ୍ପତ୍ତିର ଆକଳନ ଜାରି ରହିଥିଲା । ଆକଳନ ସରିଲେ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣା ପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।