ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ, ମିଳିଲାଣି ୪ କୋଟି

ନିଜର ୨ କୋଠା, ୮ ପ୍ଲଟ; ପତ୍ନୀଙ୍କ ନାଁରେ ୬ ବହୁତଳ କୋଠା

ପରଳାଖେମୁଣ୍ଡି/ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍‌ ଏସ୍‌.ରାଉତପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକ ଭିଜିଲାନ୍ସ ଜାଲରେ ଫସିଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ଘର ସମେତ ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଆଜି ଦିନ ‌ତମାମ୍‌ ଚଢ଼ଉ ଜାରି ରଖିଛି। ତାଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ମିଶି ସମୁଦାୟ ୪କୋଟି ୩ଲକ୍ଷ ୨୯ହଜାର ୮୬୯ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। କୋଟିପତି ଅଧ୍ୟାପକଙ୍କ ପରେ କୋଟିପତି ଶିକ୍ଷକ ଦୁର୍ନୀତି ନିବାରଣ ସଂସ୍ଥା ନେଟ୍‌ରେ ପଡ଼ିବା ଘଟଣା ଅବିଭକ୍ତ ଗଞ୍ଜାମ(ଗଜପତି ଓ ଗଞ୍ଜାମ) ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।କିଛି ଦିନ ତଳେ ଅଧ୍ୟାପକ ଜି. ନାଗେଶ୍ବର ରାଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗରିଫ ହୋଇଥିଲେ। ତଦନ୍ତ ବେଳେ ଏହି ଅଧ୍ୟାପକ ରିୟଲ୍‌ ଇଷ୍ଟେଟ୍‌ ବେପାରରୁ ସମ୍ପତ୍ତି ଠୁଳ କରିଥିବା ଜଣା ପଡ଼ିଥିଲା। ବର୍ତ୍ତମାନ କୋଟିପତି ଶିକ୍ଷକ ଦୁଷ୍ମନ୍ତ ଭିଜିଲାନ୍ସ ଖାପ୍‌ଚରେ ପଡ଼ିଛନ୍ତି।

ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ପି. ଅନୀଲ କୁମାର ପାତ୍ରଙ୍କ ସୂଚନା ଅନୁଯାୟୀ,୧୯୯୬ ମସିହାରେ ଦୁଷ୍ମନ୍ତ ନାୟକ ସହକାରୀ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ଏବେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏସ୍‌.ରାଉତପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ। ପାରଳାଖେମୁଣ୍ଡି ସହର ଵାର୍ଡ଼ ୧୫ ସ୍ଥିତ ଏରଦଲା ସାହିରେ ଏବେ ଦୁଷ୍ମନ୍ତ ନାୟକ ରହୁଛନ୍ତି। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ୍‌ ବଳରେ ଆଜି ସହକାରୀ ଶିକ୍ଷକ ଦୁଷ୍ମନ୍ତଙ୍କ ଘର ସମେତ ୧୨ଟି ସ୍ଥାନରେ ଏକାକାଳୀନ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା। ପାରଳାଖେମୁଣ୍ଡି ଏରଦଲା ସାହିସ୍ଥିତ ତାଙ୍କ ୩ମହଲା କୋଠାରେ ଚଢ଼ଉ ହୋଇଥିଲା। ୪ହଜାର ୯ଶହ ବର୍ଗଫୁଟ ଇଲକାରେ ନିର୍ମିତ କୋଠାର ମୂଲ୍ୟ ୨୩ଲକ୍ଷ ୩୪ହଜାର ଟଙ୍କା ବୋଲି ଭିଜିଲାନ୍ସ ଆକଳନ କରିଛି।

ସେହିପରି ପାରଳାଖେମୁଣ୍ଡି ହସ୍ପିଟାଲ ରୋଡ଼୍‌ରେ ୬୫୦ ବର୍ଗଫୁଟ ଇଲାକାରେ ନିର୍ମିତ ୨ମହଲା କୋଠାରେ ଭିଜିଲାନ୍ସ ଚଢ଼ଉ କରିଛି। ଉକ୍ତ କୋଠାର ମୂଲ୍ୟ ୮ଲକ୍ଷ ୫୫ହଜାର ୩୫୦ଟଙ୍କା ବୋଲି ଆକଳନ ହୋଇଛି। ପାରଳାଖେମୁଣ୍ଡି କାଞ୍ଚରା ସାହିରେ ଶିକ୍ଷକଙ୍କ ପତ୍ନୀ ଗାୟତ୍ରୀ ନାୟକଙ୍କ ନାମରେ ୧୧୭୦ ବର୍ଗଫୁଟ ଇଲାକାରେ ନିର୍ମିତ ଦୁଇ ମହଲା କୋଠାର ମୂଲ୍ୟ ୩୨ଲକ୍ଷ ୮୬ହଜାର ୨୦୫ ଟଙ୍କା ଆକଳନ କରାଯାଇଛି। ଗାୟତ୍ରୀଙ୍କ ନାମରେ ଆରୋଗ୍ୟ ସାହିରେ ୩୦୬୫ ବର୍ଗଫୁଟ ପରିମିତ ଦୁଇ ମହଲା କୋଠା ରହିଛି। ଭିଜିଲାନ୍ସ ଟିମ୍‌ ଏଠାରେ ଚଢ଼ଉ କରି ଏହାର ମୂଲ୍ୟ ୫୪ଲକ୍ଷ ୭୬ହଜାର ୨୯୭ଟଙ୍କା ହେବ ବୋଲି ଆକଳନ କରିଛି।

ଗାୟତ୍ରୀଙ୍କ ନାମରେ ପାରଳା ଜଙ୍ଗମ୍‌ ସାହିରେ ଥିବା ୩୯୨୪ ବର୍ଗଫୁଟ ଇଲକାରେ ନିର୍ମିତ ଦୁଇ ମହଲା କୋଠାରେ ଚଢ଼ଉ ବେଳେ ଏହାର ମୂଲ୍ୟ ୩୦ଲକ୍ଷ ୨୦ହଜାର ୪୬୮ଟଙ୍କା ଆକଳନ ହୋଇଛି। ସେହିପରି ଖଞ୍ଜାସାହିରେ ୧୨୭୫ ବର୍ଗଫୁଟ ଇଲାକାରେ ଥିବା ୩ମହଲା କୋଠାର କୋଠାର ମୂଲ୍ୟ ୫୩ଲକ୍ଷ ୨୦ହଜାର ୪୪୦ଟଙ୍କା ଆକଳନ ହୋଇଛି। ଗଜପତି ଷ୍ଟାଡ଼ିୟମ ସମ୍ମୁଖରେ ଗାୟତ୍ରୀଙ୍କ ନାମରେ ୧୩ଶହ ବର୍ଗଫୁଟ ପରିମିତ ୩ମହଲା କୋଠା ରହିଛି। ଏହାର ମୂଲ୍ୟ ୧କୋଟି ୧୪ଲକ୍ଷ ୨୪ହଜାର ୩୯୩ ଟଙ୍କା ଆକଳନ ହୋଇଛି। ଅନ୍ୟପକ୍ଷରେ ଶିକ୍ଷକ ଦୁଷ୍ମନ୍ତଙ୍କ ନାମରେ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ୮ଟି ପ୍ଲଟ୍‌ ରହିଛି, ଯାହାର ମୂଲ୍ୟ ୧୩ଲକ୍ଷ ୮୩ହଜାର ୫୩୨ଟଙ୍କା ରହିଛି। ଦୁଷ୍ମନ୍ତଙ୍କ ନାମରେ ୨ଟି କୋଠା ଓ ୮ଟି ପ୍ଲଟ୍‌ ଏବଂ ତାଙ୍କ ପତ୍ନୀ ଗାୟତ୍ରୀଙ୍କ ନାମରେ ୬ଟି କୋଠା ରହିଛି। ଏହି କୋଠା ଓ ପ୍ଲଟ୍‌ର ମୂଲ୍ୟ ୩କୋଟି ୯୪ଲକ୍ଷ ୭୦ହଜାର ୧୩୮ଟଙ୍କା ବୋଲି ଭିଜିଲାନ୍ସ ଆକଳନ କରିଛି। ଏଥିସହ ଶିକ୍ଷକଙ୍କ ଘରୁ ୬୨ହଜାର ୨୮୫ ନଗଦ ଟଙ୍କା, ୧ଲକ୍ଷ ୫୬ହଜାର ୬ଶହ ଟଙ୍କା ମୂଲ୍ୟର ଆସବାବପତ୍ର, ୫୦ ହଜାର ଟଙ୍କା ମୂଲ୍ୟର ସୁନାରୁପା ଅଳଙ୍କାର, ୫ଲକ୍ଷ ୨୦ହଜାର ଟଙ୍କା ମୂଲ୍ୟର ବିଭିନ୍ନ ବ୍ୟାଙ୍କରେ ଜମା ଏବଂ ୭୦ହଜାର ୮୪୦ ଟଙ୍କାର ବୀମା ପ୍ରିମିୟମ ଠାବ‌ ହୋଇଛି। ଦୁଷ୍ମନ୍ତଙ୍କ ସମୁଦାୟ ସ୍ଥାବର, ଅସ୍ଥାବର ସମ୍ପତ୍ତି ୪କୋଟି ୩ଲକ୍ଷ ୨୯ହଜାର ୮୬୯ଟଙ୍କା ବୋଲି ଭିଜିଲାନ୍ସ କହିଛି। ଖୋଳତାଡ଼ ଆହୁରି ଜାରି ରହିଛି। ତଦନ୍ତ ପରେ ଆୟ ବହିର୍ଭୂତ ସମ୍ପତ୍ତି ପରିମାଣ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ କହିଛି। ଭିଜିଲାନ୍ସ ଡି.ଏସ୍‌.ପି ହେନାରୀ କୁଲୁଙ୍କ ନେତୃତ୍ବରେ ଚଢ଼ଉ ହୋଇଥିଲା। ଅନ୍ୟପକ୍ଷରେ ଶିକ୍ଷକ ଦୁଷ୍ମନ୍ତ ନାୟକ ଗଣମାଧ୍ୟମକୁ କହିଛନ୍ତି, ଏ ସମସ୍ତ ସମ୍ପତ୍ତି ପିତୃ ଅର୍ଜିତ ଏବ˚ ମୁଁ କୌଣସି ବେଆଇନ କାର୍ଯ୍ୟକ୍ରମରେ ଲିପ୍ତ ନୁହେଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର