କୋଟିପତି ଯନ୍ତ୍ରୀ ନାଗେଶ୍ଵରଙ୍କ ଦୁର୍ନୀତି ସାମ୍ରାଜ୍ୟ ଖୋଳତାଡ଼

ଟେଣ୍ଡର୍‌ ଫିକ୍ସ କରୁଥିଲେ, ପରଦା ପଛରେ ନେତା ଓ ଠିକାଦାର?

ପାରଳାଖେମୁଣ୍ଡି : ଗତକାଲି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ କେ. ନାଗେଶ୍ଵର ସେନାପତିଙ୍କ ଠାରୁ ୨କୋଟିରୁ ଅଧିକ ବେଆଇନ ସମ୍ପତ୍ତି ଭିଜିଲାନ୍ସ୍ ଠାବ କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ନାଗେଶ୍ବରଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଦକ୍ଷିଣାଞ୍ଚଳ ଭିଜିଲାନ୍ସ୍ ଆରକ୍ଷୀ ଅଧିକ୍ଷକ ଶାନ୍ତନୁ ପାଢ଼ୀ ଦେଇଥିବା ସୂଚନା ମୁତାବକ, ନାଗେଶ୍ଵର ସେନାପତି ତାଙ୍କ ଧର୍ମପତ୍ନୀ ସୁସ୍ମିତା ସେନାପତିଙ୍କ ନାମରେ ପାରଳାଖେମୁଣ୍ଡି, ବ୍ରହ୍ମପୁର, ଶେରଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅନେକ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଗଚ୍ଛିତ କରିଥିବା ଗୁଇନ୍ଦା ବିଭାଗର ଅଧିକାରୀ ମାନେ ଚିହ୍ନଟ କରିଛନ୍ତି। ସୂଚନା ପ୍ରକାରେ ୧୯୯୭ ମସିହାରୁ ସେ କନିଷ୍ଠ ଯନ୍ତ୍ରୀ ଭାବେ କାମ ଆରମ୍ଭ କରିବା ସହ ଗଜପତିରେ କାଶୀନଗର, ଗୋଷାଣୀ, ରା.ଉଦୟଗିରି ଏବଂ ରାୟଗଡ଼ ବ୍ଲକ୍ ସହ ପୋଡ଼ଶୀ ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ୍‌ରେ ମଧ୍ୟ କିଛି ବର୍ଷ କାମ କରିଛନ୍ତି। ବିଗତ ୨୪ବର୍ଷ ମଧ୍ୟରେ ତାଙ୍କ ବେତନକୁ ଆକଳନ କଲେ ସାମଗ୍ରିକ ଭାବେ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ୨୦ଲକ୍ଷ ଟଙ୍କାରୁ ଅଧିକ ହେବା କଥା ନୁହେଁ।

ତେବେ ଯେଉଁ ଅଚଳାଚଳ ସମ୍ପତ୍ତି ନାଗେଶ୍ଵରଙ୍କ ଠାରୁ ମିଳିଛି ତାହା ଭିଜିଲାନ୍ସ୍ ଅଧିକାରୀମାନେ ଦେଖି ଅବାକ୍‌ ହୋଇ ଯାଇଥିଲେ। ୧୫ରୁ ଅଧିକ ଏଟିଏମ୍ କାର୍ଡ଼, ଘରେ ବିଦ୍ୟୁତ୍ ସୁଇଚ୍‌ ବୋର୍ଡ଼ ମଧ୍ୟରେ ୫ଶହ ଟଙ୍କିଆ ବିଡ଼ା ଓ ବହୁ ପରିମାଣର ସୁନାରୁପା ଗହଣା ଇତ୍ୟାଦି ଠୁଳ କରିବା ଘଟଣାରୁ ପ୍ରମାଣିତ ହେଉଛି, ନାଗେଶ୍ଵରଙ୍କ ଦୁର୍ନୀତି ସାମ୍ରାଜ୍ୟ ଜିଲ୍ଲାର ସବୁ ବ୍ଲକ୍‌ରେ ମାଡ଼ି ଯାଇଥିଲା। ଗଜପତି ଜିଲ୍ଲାରେ ୨୦ବର୍ଷ ହେଲା ନିର୍ଦ୍ଦିଷ୍ଟ କିଛି ଠିକାଦାର ଏବଂ ରାଜନେତାଙ୍କୁ ହାତ କରି ନାଗେଶ୍ବର ବେନାମୀ ବ୍ୟବସାୟ ଚଳାଇଥିବା ଚର୍ଚ୍ଚା ହେଉଛି। ତାଙ୍କ ପତ୍ନୀଙ୍କ ନାମରେ ସିମେଣ୍ଟ୍ ଇଟା କାରଖାନା ରହିଥିବା ବେଳେ ଉକ୍ତ ସରକାରୀ ଅଧିକାରୀଙ୍କ ସୁନା ବ୍ୟବସାୟ ଓ ଜମି ବ୍ୟବସାୟ ଇତ୍ୟାଦିରେ ସଂପୃକ୍ତି ଥିବା ନେଇ ଭିଜିଲାନ୍ସ୍ ତଦନ୍ତ କରୁଛି। ତେଣୁ ଆଗାମୀ ଦିନରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ଆକଳନ କରାଯାଉଛି।

ସେହିପରି ରାୟଗଡ଼ ବ୍ଲକ୍ ଗଣ୍ଡାହାତୀ ବାସିନ୍ଦା ଏବଂ ବିଜେଡି ଜିଲ୍ଲା ସଂଗଠନର ବରିଷ୍ଠ ସଦସ୍ୟ ଅଶୋକ ଦଳାଇଙ୍କ ଦାବି ପ୍ରକାରେ ନାଗେଶ୍ଵର ସେନାପତି ବର୍ତ୍ତମାନ ଏବଂ ଏହା ପୂର୍ବରୁ ମଧ୍ୟ ଅନେକ ବର୍ଷ ହେଲା କନିଷ୍ଠ ଯନ୍ତ୍ରୀ ଭାବେ କାମ କରି ଆସିଛନ୍ତି। ସେ କୋଠା, ପକ୍କା ରାସ୍ତା ଓ ପୋଲ ଇତ୍ୟାଦି ନିର୍ମାଣ ବେଳେ ନିର୍ବାଚିତ ପ୍ରତିନିଧିଙ୍କୁ ହାତ କରି ଟେଣ୍ଡର୍ ଫିକ୍ସିଂ କରିଥାନ୍ତି। ପରେ ନିମ୍ନ ମାନର କାମ କରି କୋଟି କୋଟି ଟଙ୍କା ଚଳୁ କରିଥାନ୍ତି। ତାଙ୍କ ନିର୍ଦ୍ଦେଶ ପ୍ରକାରେ ଠିକାଦାର କାମ କରୁଥିଲା ବେଳେ ସେ ଲକ୍ଷାଧିକ ଟଙ୍କାର ପିସି ନିଅନ୍ତି। ତେଣୁ ସେନାପତିଙ୍କ ଏହି କାଣ୍ଡ ପଛରେ ଅନେକଙ୍କ ହାତ ଅଛି। ଆଉ ଏହାର ତଦନ୍ତ ହେବା ସହ ସେମାନଙ୍କୁ ଧରିବା ପାଇଁ ଭିଜିଲାନ୍ସ୍ ଉଦ୍ୟମ ଆରମ୍ଭ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର