ଜୟପୁର: ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଠାରୁ ୩୭ଲକ୍ଷ ଟଙ୍କାକୁ ଭିଜିଲାନ୍ସ ଜବତ କରିବା ପରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଅପରପକ୍ଷରେ ଆଇଆଇସିଙ୍କୁ ଗିରଫ କରିବା ପରେ ଜୟପୁର ଭିଜିଲାନସ୍ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ପୁଲିସ ଡିଜିପିଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି କରିଛନ୍ତି। ଏହି ଚିଠିକୁ ସେ କୋରାପୁଟ ଏସପିଙ୍କୁ ବି ଦେଇଥିବା ସୂଚନା ମିଳିଛି। ପୁଲିସ ଡିଜିପି ଚିଠି ପାଇବା ପରେ ସେ ଦେଇଥିବା ନିର୍ଦ୍ଦେଶ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୋରାପୁଟ ଏସପି ଅଭିନବ ସୋନକର।
ଭିଜିଲାନସ୍ ମାମଲା ରୁଜୁ କରିଥିବାରୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଭିଜିଲାନ୍ସ ପକ୍ଷରୁ ହିଁ କରାଯିବ। ଯେହେତୁ ଅଭିଯୁକ୍ତ ଆଇଆଇସି ପୁଲିସ ବିଭାଗରେ ଥିବାରୁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି। ଯଦିଓ ଜିଲ୍ଲାପୁଲିସ ମାମଲାର ତଦନ୍ତ ସରକାରୀ ଭାବେ କରୁ ନଥିଲେ ହେଁ ଅଭିଯୁକ୍ତ ଆଇଆଇସି କେଉଁଠାରୁ ଏତେ ଟଙ୍କା ଆଣିଥିଲେ ତାହାର ପଚରାଉଚରା ଆରମ୍ଭ କରିଛି। ଥାନାରେ ସହକର୍ମୀଙ୍କ ସହ ସଂପର୍କ ଏବଂ ଅଂଚଳରେ ତାଙ୍କର କିଭଳି ଆଚାର ଓ ବ୍ୟବହାର ରହିଥିଲା ସେ ସବୁର ବି ଯାଂଚ ପୁଲିସ କରୁଛି। ଏପରିକି ଜୟପୁର ପୌରପାଳିକାର କାଉନସିଲର ଦେବେନ୍ଦ୍ର ଚୌଧୁରୀ କରିଥିବା ଅଭିଯୋଗର ସତ୍ୟତାର ବି ଯାଂଚ କରୁଛି ପୁଲିସ। ଜୟପୁର ସଦରଥାନା ଅଧିକାରୀଙ୍କୁ ଏବେ ବୈପାରୀଗୁଡା ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି।