ଅସ୍ତରଙ୍ଗ ବ୍ଲକରେ ଚାରା ରୋପଣ ଦୁର୍ନୀତି ଅଭିଯୋଗକୁ ନେଇ ପୁରୀ ଭିଜିଲାନ୍‌ସର ତଦନ୍ତ ଆରମ୍ଭ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଚାରା ରୋପଣ ଦୁର୍ନୀତି ଅଭିଯୋଗକୁ ଭିତ୍ତିକରି ପୁରୀ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। ପୁରୀ ଭିଜିଲାନ୍ସ ଡିଏସପି ହରିନାରାୟଣ ପତି ସୋମବାର ପୂର୍ବାହ୍ନରେ ଅସ୍ତରଙ୍ଗରେ ପହଞ୍ଚି ସିଧାସଳଖ ଅଭିଯୋଗ ଥିବା ଅଞ୍ଚଳକୁ ଗ୍ରସ୍ତ କରିଥିଲେ । ପ୍ରଥମେ ନୂଆଗଡ ପଞ୍ଚାୟତରେ ପହଞ୍ଚି କାର୍ଯ୍ୟକାରୀ ହୋଇଥିବା ଚାରା ରୋପଣ ପ୍ରକଳ୍ପଗୁଡିକୁ ଦେଖିଥିଲେ । ପ୍ରକୃତରେ ଅଭିଯୋଗ ଥିବା ସ୍ଥାନଗୁଡିକରେ ଚାରା ରୋପଣ ହୋଇଛି ନା ନାହିଁ ସିଧାସଳଖ ସରଜମିନ ତଦନ୍ତ କରିଛନ୍ତି ।

ନୂଆଗଡ଼ରୁ କିଛି ସୁରାକ ମିଳିବା ପରେ ଅପରାହ୍ନ ୪ଟା ସୁଦ୍ଧା ନଗର ପଞ୍ଚାୟତକୁ ଗ୍ରସ୍ତ କରିଥିଲେ। ସେଠାରେ ଚାରା ରୋପଣ କାର୍ଯ୍ୟରେ ବିଭିନ୍ନ ପ୍ରକାର ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକେ ଦେଖାଇଥିଲେ । ପ୍ରକାଶ ଥାଉକି, ଅସ୍ତରଙ୍ଗ ନୂଆଗଡ ପଞ୍ଚାୟତ, ଝାଡାଲିଂ ଓ ନଗର ପଞ୍ଚାୟତରେ ପୁରୀ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ଚାରା ରୋପଣ କାର୍ଯ୍ୟରେ ସାଙ୍ଘାତିକ ଦୁର୍ନୀତି ହେବା ନୂଆଗଡ଼ର ଜିତେନ୍ଦ୍ର ସ୍ୱାଇଁ ନାମକ ପ୍ରଥମେ ଅଭିଯୋଗ କରିଥିଲେ । ସେ ପୁରୀ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ରାଜ୍ୟ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗଜୁ ଭିତ୍ତି କରି ପୁରୀ ଜିଲ୍ଲାପାଳ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ବିଡ଼ିଓଙ୍କ ତରଫରୁ ତଦନ୍ତ ହେବାରେ ବିଳମ୍ବ ହେବାରୁ ସେ ଭିଜିଲାନ୍ସରର ଦ୍ୱାରସ୍ଥ ହୋଇଥିଲେ।

ଗତ ନଭେମ୍ବର ମାସରୁ ଅଭିଯୋଗ ପଡିରହିଥିଲା । କିଛି ଦିନ ଭିଜିଲାନ୍‌ସ ଚୁପ ହୋଇଯିବା ପରେ ଏବେ ଖୋଳତାଡ଼ କରିବାକୁ ତଦନ୍ତ ଆରମ୍ଭ କରିଛି।  ପ୍ରଥମ ଦିନରେ ତଦନ୍ତ ବେଳେ ଦୁର୍ନୀତି ହେବାର ସୁରାକ ମିଳିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଭିଜିଲାନ୍ବିସ ଟିମ୍ ବିଭିନ୍ନ ସ୍ଥାନରେ ଗଛ ଗଣିବା ସମେତ ନିର୍ଦ୍ଧାରିତ ସ୍ଥାନରେ ଆମ୍ବ, ନଡ଼ିଆ ଓ କାଜୁ ଲାଗିଛି ନା ନାହିଁ, କେତେ ପରିମାଣର ଲାଗିଛି ତାର ହିସାବ ଖୋଜିଥିଲେ।

ସମ୍ବନ୍ଧିତ ଖବର