ଲାଞ୍ଚ ନେବା ବେଳେ ଧରାପଡିଲେ ସହକାରୀ ଯନ୍ତ୍ରୀ, ୮୦୦୦ ଟଙ୍କା ଜବତ

ନବରଙ୍ଗପୁର: ଉମରକୋଟସ୍ଥିତ ଉଠାଜଳସେଚନ ନିଗମର ସହକାରୀ ଯନ୍ତ୍ରୀ ଭରତ ମଣ୍ଡଳ ଚାଷୀଙ୍କୁ ଗଭୀର ନଳକୂପ ଖନନ ପାଇଁ ୨ ହଜାର ଟଙ୍କା ଲେଖାଏଁ ମାଗି ଶନିବାର ଦୁର୍ନୀତି ନିବାରଣ ବିଭାଗ ଅଧିକାରୀଙ୍କ ହାତରେ ଧରାପଡିଛନ୍ତି। ଅଧିକାରୀଙ୍କ ଠାରୁ ୮୦୦୦ ଟଙ୍କା ଜବତ କରାଯାଇଛି। ରାଇଘର ବ୍ଲକର ଆଦିବାସୀ ମହଣ୍ଡ ଗାଁର ଚାଷୀ ବଳରାମ ଖରା, ରବୀନ୍ଦ୍ର ଗୁଗା, ଦୁର୍ଯ୍ୟେଧନ ଗୁଗା ଓ ସୁନାଧର ପକୁଲ ୨୦୧୭ରେ ତାଙ୍କ ଜମିରେ ଗଭୀର ନଳକୂପ ଖନନ ପାଇଁ ଉମରକୋଟ ସ୍ଥିତ ଉଠାଜଳସେଚନ ନିଗମ କାର୍ଯ୍ୟାଳୟରେ ଆବେଦନ କରିଥିଲେ।

ଏ ପର୍ଯ୍ୟନ୍ତ ସେମାନେ ଆବେଦନ କରି ମଧ୍ୟ ତାଙ୍କ ନଳକୂପ ଖନନ ହୋଇ ନପାରିବାରୁ ଶୁକ୍ରବାର ଏହି ଚାଷୀମାନେ ଉମରକୋଟ ସ୍ଥିତ ସହକାରୀ ଯନ୍ତ୍ରୀଙ୍କ ନିକଟକୁ ଆସିଥିଲେ। ସହକାରୀ ଯନ୍ତ୍ରୀ ଫିଜବଲ୍‌ ରିପୋର୍ଟ ପ୍ରଦାନ ପାଇଁ ୨ ହଜାର ଟଙ୍କା ଲେଖାଏ ମାଗିଥିବା ନେଇ ଉକ୍ତ ଚାଷୀମାନେ ଦୁର୍ନୀତି ନିବାରରଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ।

ଦୁର୍ନୀତି ନିବାରଣ ବିଭାଗର ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏହି ଚାଷୀମାନେ ୨ ହଜାର ଟଙ୍କା ଲେଖାଏଁ ଦେବା ବେଳେ ପୂର୍ବରୁ ଛକି ରହିଥିବା ଅଧିକାରୀ ମାନେ ଆସି ଚଢାଉ କରିଥିଲେ। ସହକାରୀ ଯନ୍ତ୍ରୀଙ୍କ ଠାରୁ ରଂଗ ମିଶା ୮ ହଜାର ଟଙ୍କା ଜବତ କରାଯାଇଥିଲା। ଦୂର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଉଠାଜଳସେନ ନିଗମ କାର୍ଯ୍ୟାଳୟ ଓ ସହକାରୀ ଯନ୍ତ୍ରୀଙ୍କ ବାସଭବନରେ ବି ଚାଉ କରିଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର