ପ୍ଲାନ୍‌ ମଞ୍ଜୁରି ପାଇଁ ୧୫ ହଜାର ଟଙ୍କା ନେଉଥିଲା ବେଳେ ଭିଜିଲାନ୍‌ସ ଜାଲରେ ପଡ଼ିଗଲେ ଏସ୍‌ଏମ୍‌ସି କର୍ମଚାରୀ

ସମ୍ବଲପୁର: ୱେବ୍‌ ମିଡିଆର ଜଣେ ସାମ୍ବାଦିକାଙ୍କଠାରୁ ସମ୍ବଲପୁର ମହାନଗର ନିଗମର କର୍ମଚାରୀ ଲାଞ୍ଚ ନେଲା ବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି ।

ଏସ୍‌ଏମ୍‌ସିରେ ଅମିନ୍‌ଭାବେ କାର୍ଯ୍ୟରତ ପ୍ରସନ୍ନ ପରିଡ଼ା ସାମ୍ବାଦିକା ତୃପ୍ତି ପଣ୍ଡାଙ୍କଠାରୁ ଘର ପ୍ଲାନ୍‌ ପାସ୍‌ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ତାଙ୍କୁ ଭିଜିଲାନ୍‌ସ ଟିମ୍‌ ଧରିଥିଲା। ତୃପ୍ତି ଏକ ୱେବ୍‌ ମିଡିଆରେ ସାମ୍ବାଦିକାଭାବେ କାର୍ଯ୍ୟ କରନ୍ତି ଓ ଖବର ପଠନ ବି କରନ୍ତି। ବରେଇପାଲି ଜେଏମେ୍‌ଜ ହସ୍ପିଟାଲ ନିକଟ ବଂଶୀଧର ନଗରରେ ତାଙ୍କର ଘର ପାଇଁ ପ୍ଲାନ୍‌ ମଞ୍ଜୁରି ନିମନ୍ତେ ଗତ ଜାନୁଆରି ୨୦ ତାରିଖରେ ସେ ଆବେଦନ କରିଥିଲେ। କିନ୍ତୁ ଏଥିରେ ବିଳମ୍ବ ହେବାରୁ ବୁଝିବା ପାଇଁ ସେ ନିଗମ କାର୍ଯ୍ୟାଳୟ ଯୋଜନା ବିଭାଗକୁ ଆସିଥିଲେ। ହେଲେ ପରିଡ଼ା ଏଥିପାଇଁ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ପ୍ରସନ୍ନ ପରିଡ଼ା ଟଙ୍କା ନଦେଲେ ଫାଇଲ୍‌ ଏହି ଟେବୁଲରୁ ଆଗକୁ ଯାଇ ପାରିବ ନାହିଁ ବୋଲି ଏକ ପ୍ରକାର ଧମକ ଦେଇଥିଲେ। ପ୍ରଥମେ ତୃପ୍ତି ନିରାଶ ହୋଇ ଫେରି ଆସିଥିଲେ। କିଛିଦିନ ପରେ ପୁଣି ତାଙ୍କ ନିକଟକୁ ଯାଇ ଏତେ ଟଙ୍କା ଦେଇ ପାରିବେ ନାହିଁ, କମ୍‌ କରନ୍ତୁ ବୋଲି କହିଥିଲେ। ଶେଷରେ ୧୫ ହଜାର ଟଙ୍କାରେ କଥା ଛିଣ୍ଡି ଥିଲା।

ସେଠାରୁ ଫେରି ସେ ଭିଜିଲାନ୍‌ସ ବିଭାଗକୁ ଖବର ଦେଇଥିଲେ। ଯୋଜନା ମୁତାବକ ସୋମବାର ଅପରାହ୍ନରେ ଭିଜିଲାନ୍‌ସ ପକ୍ଷରୁ ଦିଆ ଯାଇଥିବା କେମିକାଲ୍‌ ବୋଳା ୧୫ ହଜାର ଟଙ୍କା ନେଇ ସେ ଏସ୍‌ଏମ୍‌ସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଟଙ୍କା ନେବା ପାଇଁ ପରିଡ଼ା ନିଜ ସିଟରୁ ଉଠି କୋଠରି ବାହାରକୁ ଚାଲି ଆସିଥିଲେ। ବାରଣ୍ଡାରେ ଟଙ୍କା ନେଇ ପକେଟ୍‌ରେ ପୂରାଇ ଥିଲେ।

ଏତିକି ବେଳେ ଲୁଚି ରହିଥିବା ଭିଜିଲାନ୍‌ସ ଅଧିକାରୀମାନେ ଆସି ପରିଡ଼ାଙ୍କୁ କାବୁ କରିବା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଭିଜିଲାନ୍‌ସ ହାତରେ ଧରା ପଡ଼ିବା ବେଳେ ପରିଡ଼ା ହଡ଼ବଡ଼େଇ ଯାଇ ଅଲୀ ବାବୁଙ୍କ ପାଇଁ ଟଙ୍କା ନେଉଥିବା କଥା କହିଥିଲେ। ତାଙ୍କୁ ଗିରଫ କରି ଭିଜିଲାନ୍‌ସ କାର୍ଯ୍ୟାଳୟକୁ ନିଆ ଯାଇଥିଲା।

ସମ୍ବନ୍ଧିତ ଖବର