ବିଜ୍ଞାନ ଇଣ୍ଟରନ୍ୟାସନାଲ୍ ସ୍କୁଲର ନିର୍ମାଣାଧୀନ ସ୍କୁଲ କୋଠା ଲୋକାର୍ପିତ

ପିଲାଙ୍କୁ ଟପର କରିବାକୁ ପାଠ ପଢ଼ାଇବା ବଦଳରେ ମଣିଷ ହେବା ପାଇଁ ପଢ଼ାନ୍ତୁ- ବିଧାୟକ

ଜୟପୁର: ଆଜି ସ୍ଥାନୀୟ ଫୁଲବାଢ଼ ଠାରେ ବିଜ୍ଞାନ ଇଣ୍ଟରନ୍ୟାସନାଲ୍ ସ୍କୁଲର ନିର୍ମାଣାଧୀନ କୋଠା ଲୋକାର୍ପିତ ହୋଇଛି। ଏହା ସହ ବିଦ୍ୟାଳୟର ୫ମ ପ୍ରତିଷ୍ଠା ଦିବସ ଓ ସରସ୍ବତୀ ପୂଜା ବି ପାଳନ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ପିଲାମାନେ ଧୈର୍ଯ୍ୟ, ସମର୍ପଣ ଓ ମନୋଯୋଗ ପୂର୍ବକ କାମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ମତପ୍ରକାଶ କରିଥିଲେ।

ପଡୋଶୀ ଘରର ପିଲା ଅଧିକା ମାର୍କ ଆଣିଛି କହି ନିଜ ପିଲାକୁ ଚାପ ସୃଷ୍ଟି କରି ଟପର୍ କରିବା ପ୍ରୟାସ ଛାଡି ବାପା ମା ମଣିଷ ହେବା ପାଇଁ ପାଠ ପଢ଼ାନ୍ତୁ ବୋଲି ବିଧାୟକ କହିଥିଲେ। ପିଲାମାନେ ପାଠ ପଢ଼ି କେବଳ ଆଇଏଏସ, ଆଇପିଏସ୍ ଓ ଡାକ୍ତର ହେବା ସ୍ବପ୍ନ ଦେଖିବା ଭଲ ତା ସହ ଭଲ ଶିକ୍ଷକ ହୋଇ ମଣିଷ ତିଆରି କାରଖାନାର ମାଲିକ ହେବାର ସ୍ବପ୍ନ ବି ଦେଖନ୍ତୁ ବୋଲି ବିଧାୟକ କହିଥିଲେ। ବାପା ମା ପିଲାଙ୍କୁ ନୈତିକତା, ସଂସ୍କୃତି, ଐତିହ୍ୟ, ଚାଳିଚଳଣୀ, ରିତିନୀତି , ପରମ୍ପରା ଶିଖାଇବା ଆବଶ୍ୟକ।


ଅଯଥାରେ ବାହାରକୁ ପଠାଇ ଏବଂ ମୋବାଇଲ୍ , ଲ୍ୟାପଟ୍ୟାପ ଦେଇ ପିଲାଙ୍କ ଭବିଷ୍ୟତ ସହ ଖେଳନ୍ତୁ ନାହିଁ ବୋଲି ବିଧାୟକ ପରାମର୍ଶ ଦେଇଥିଲେ। ସ୍କୁଲରେ ଯେଭଳି ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରି ଯେଉଁ ଉଦେଶ୍ୟ ଓ ଲକ୍ଷ୍ୟ ନେଇ କରାଯାଉଛି ତାହା ନିଶ୍ଚିତ ରୁପେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବ ବୋଲି ବିଧାୟକ କହିଥିଲେ।

ସମ୍ମାନୀତ ଅତିଥି ଭାବେ ଡିଭାଇନ୍ ଲାଇଫ୍ ସୋସାଇଟିର ସ୍ବାମୀ ପରମ ପ୍ରିୟ ନନ୍ଦ ସରସ୍ବତୀ ଯୋଗ ଦେଇ ଛାତ୍ରଛାତ୍ରୀମାନେ ନିଜ ଦେଶ, ନିଜ ରାଜ୍ୟ, ନିଜ ଅଂଚଳର ସଂସ୍କୃତି, ଚାଳିଚଳଣୀ ଓ ପରମ୍ପରାକୁ ଆପଣାଇ ନିଜ ସଂସ୍କୃତିକୁ ବଞ୍ଚାଇ ଲକ୍ଷ୍ୟ ରଖି ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ। ସ୍କୁଲର ଅଧ୍ୟକ୍ଷ ଏନ.ଶ୍ରୀନିବାସ ସଭାପତିତ୍ବ କରିଥିବା ବେଳେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରକାଶ କୁମାର ନାୟକ ସ୍କୁଲର ଅଭିମୁଖ୍ୟ, ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ଶିକ୍ଷୟତ୍ରୀ ସସ୍ମିତା ରଥ ମଞ୍ଚ ସଂଯୋଜନା କରିଥିଲେ। ସ୍କୁଲ ପରିଚାଳନା କମିଟିର ସଂପାଦକ ରାମନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସ୍କୁଲର ସ୍ମରଣିକା ‘ସମାଧାନ’କୁ ଅତିଥୀମାନେ ଉନ୍ମୋଚନ କରିଥିଲେ। ଏଥିରେ ସ୍କୁଲ ପରିଚାଳନା କମିଟିର ନିର୍ଦେଶକ ବିଶ୍ବରଂଜନ ସାହୁ, ସଭ୍ୟ ଡ.ମନୋରଂଜନ ପ୍ରଧାନ, ପ୍ରଦୀପ ମିଶ୍ର, ଆନନ୍ଦ ମୁନ୍ଦ୍ରା, ସୁବ୍ରତ ମିଶ୍ର, ଉପାଧ୍ୟକ୍ଷ ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସ୍କୁଲର ଛାତ୍ରୀମାନେ ଓଡିଶୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଟ୍ରଷ୍ଟ ସଭ୍ୟ, ପରିଚାଳନା କମିଟିର ସଭ୍ୟ, ସଭ୍ୟା ଆଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର