ସୀମା ବିବାଦରେ ଫସି ଗଲା ଗାଁର ବିକାଶ; ଡ୍ରୋଜର ଲାଗାଇ କାମ କରାଇଲେ ୫ ଖଣ୍ଡ ଗାଁର ଲୋକ

କୋରାପୁଟ: ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳିଲା। ଧୋବ ଫର ଫର ନେତାଏ ଆସିଲେ ଆଉ ଗଲେ। ନିର୍ବାଚନ ପରେ ନିର୍ବାଚନ ବି ଶେଷ ହେଲା। ପ୍ରଶାସନକୁ ଗୁହାରୀ କରି କରି ଥକିଲେ। ହେଲେ ଗାଁକୁ ଯୋଡି ହେଲାନି ରାସ୍ତା ଖଣ୍ଡିଏ। ଶେଷରେ ନିରୁପାୟ ହୋଇ ନିଜ ମଜୁରୀ ଟଙ୍କା ଦେଇ ଡ୍ରୋଜର ସହାୟତାରେ ରାସ୍ତା ତିଆରି କରିଛନ୍ତି ୫ ଖଣ୍ଡ ଗାଁର ୨୦୦ରୁ ଅଧିକ ପରିବାର। ବ୍ଲକ ଓ ପୌରପାଳିକାର ସୀମା ବିବାଦରେ ଫସିଗଲା ବିକାଶ। କୋରାପୁଟ ପୌରପାଳିକା ଓ କୋରାପୁଟ ବ୍ଲକର ସୀମା ବିବାଦ ହେତୁ ଲଙ୍କାପୁଟ ପଞ୍ଚାୟତର ୨୦୦ ପରିବାର ଦୀର୍ଘ ଦିନ ହେବ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଖାଲି ଯେ ହଇରାଣ ହେଉଛନ୍ତି ତାହା ନୁହେଁ ଛୋଟମୋଟ ଦୁର୍ଘଟଣାରେ ପ୍ରାଣହାନି ମଧ୍ୟ ହେଉଥିବା ନଜୀର ରହିଛି। କୋରାପୁଟ ପୌରପାଳିକାର ୧୯ ନମ୍ବର ୱାର୍ଡର କହ୍ନେଁଇପୁଟକୁ ଲାଗି ରହିଛି ଏକ ପାଦ ଚାଲା ରାସ୍ତା। ଏହି ରାସ୍ତା ଦେଇ ପ୍ରତିଦିନ କୋଲାବର ୮୫ ପରିବାର, ଚଣ୍ଡାଳଗୁଡାର ୧୫ ପରିବାର, ଡୁମୁରୀଗୁଡାର ୨୨ଟି ପରିବାର, ଖାତିଗୁଡାର ୨୦ଟି ପରିବାର ଓ ମସିପୁଟର ୫୫ ପରିବାର ହଜାର ହଜାର ଲୋକ ଯିବାଆସିବା କରିଥାନ୍ତି।

ରାତିବିକାଳି କୌଣସି ରୋଗବୈରାଗ ହେଲେ ମଧ୍ୟ ଏହି ରାସ୍ତା ଦେଇ ହିଁ ରୋଗୀଙ୍କୁ ନେବା ଆଣିବା କରିଥାନ୍ତି। ହେଲେ ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିବାବେଳେ ବହୁବାର ପ୍ରଶାସନକୁ ଏନେଇ ଅବଗତ କରାଯାଇଛି। ଏହାସହ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ଏହି ଗାଁ ଲୋକେ ଭୋଟ ବର୍ଜନ କରିବାକୁ ଧମକ ଦେଇଥିଲେ। କିନ୍ତୁ ରାସ୍ତା ସମସ୍ୟା ଯେଉଁ ତିମିରେକୁ ସେହି ତିମିରେ। ହେଲେ ଆଜି ୫ ଖଣ୍ଡର ଗାଁର ଲୋକେ ଏକାଠି ହୋଇଥିଲେ। ପ୍ରତିଦିନ ଯେଉଁ ମୂଲ ଲାଗୁଥିଲେ ସେଥିରୁ ୨୦୦ ଟଙ୍କା ଲେଖାଁଏ ଆଦାୟ କରିଥିଲେ। କହ୍ନେଁଇ ପୁଟ ନିକଟରୁ କୋଲାବ ଯାଏଁ ଯ‌ୋଡୁଥିବା ୮ କିଲୋମିଟର ରାସ୍ତାକୁ ଆଜି ଡ୍ରୋଜର ଲାଗାଇ ମାଟି କାମ କରିଛନ୍ତି। ଆସନ୍ତାଦି‌ନରେ ପିଚୁ ପକାଇ କାମ କରିବେ ବୋଲି ଗ୍ରାମବାସୀମାନେ କହିଛନ୍ତି। କୋଲାବ ଗାଁର ରଘୁ ମୁଦୁଲି କହିଛନ୍ତି ଯେ କେତେ ଥର ଗୁହାରୀ କରି କରି ଥକିଲୁଣି ହେଲେ ଗାଁକୁ ରାସ୍ତାଟିଏ ହୋଇପାରିଲାନି।

Sambad

ଗଲାକାଲି ଏହି ରାସ୍ତାରେ ଗାଁର ଜଣେ ବୃଦ୍ଧ ଲୋକ ଦୁର୍ଘଟଣାରେ ଶିକାର ହୋଇଥିଲା। ତାଙ୍କୁ ମେଡିକାଲ ନେବାରୁ ଜୀବନ ରହିଲା। କେତେ ରକ୍ତ ବୋହିଲେ ସରକାର ଆମ କଥା ଶୁଣିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ଗାଁର ଜୀବନ ମାଳି କହିଛନ୍ତି ଯେ ଗତକାଲି ନିର୍ବାଚନରେ ରାସ୍ତା କାମ ହେଉ ନ ଥିବାରୁ ଭୋଟ ବର୍ଜନ କରିବୁ ବୋଲି ଭାବିଥିଲୁ। ଲୋକ ପ୍ରତିନିଧିଙ୍କ ଠାରୁ ପ୍ରତିଶ୍ରୁତି ମିଳିବାପରେ ଏହାକୁ ସ୍ଥିଗିତ ରଖିଥିଲୁ। ଏବେ ନିର୍ବାଚନ ଶେଷ ହୋଇ ଦୁଇବର୍ଷ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ନାଲି ମାଟି ମୁଠାଏ ବି ପଡି ନାହିଁ। ତେଣୁ ଆଜି ଘର ପିଛ‌ା ୨୦୦ ଟଙ୍କ‌ା ଲେଖାଏଁ ଚାନ୍ଦା କରି ରାସ୍ଥା ନିର୍ମାଣ କରିଛୁ ବୋଲି ସେ କହିଛନ୍ତି।

ଏନେଇ କୋରାପୁଟ ପୌର ନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟ କହିଛନ୍ତି ଯେ ଏହି ସମସ୍ୟା ଆଜି ନୁହେଁ ଦୀର୍ଘ ବର୍ଷର। ଗତ ଦିନରେ ୧୯ ନମ୍ବର ୱାର୍ଡ ଅଧୀନରେ ରହିଥିବା ମସିପୁଟବାସିନ୍ଦା କିଛିଦିନ ତଳେ କାର୍ୟ୍ୟାଳୟକୁ ଆସି ମୋତେ ଭେଟି ଦୁଃଖ ଜଣାଇଥିଲେ। ହେ‌ଲେ ଏହି ଗାଁକୁ ଯୋଡୁଥିବା ରାସ୍ଥା ପାଇଁ ସରକାରୀ ଜମି ନାହିଁ। ଯାହା ଅଛି ତାହା ଘରୋଇ ଲୋକଙ୍କର ଜମି ହୋଇଥିବାରୁ ଏହିଠାରେ ରାସ୍ଥା ନିର୍ମାଣ କରାଯାଇପାରିବ ନାହିଁ। ଉଭୟଙ୍କ ମଧ୍ୟରେ ଆପୋସ ବୁଝାବଣା ହେବା ପରେ ରାସ୍ତା ନିର୍ମାଣ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର