ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କାମ ହାତକୁ ନେଲେ ଗ୍ରାମବାସୀ

ମାଛଗାଁ: ବାଲିକୁଦା ବ୍ଲକ ବଡ଼ଗାଁ ପଞ୍ଚାୟତ ଢି଼ଅ ନୂଆଗାଁ ଗ୍ରାମରେ ବସବାସ କରୁଥିବା ୬୦ ପରିବାରକୁ ଭଲ ରାସ୍ତାଟିଏ ନାହିଁ। ଗତ ଲଘୁଚାପଜନିତ ଲଗାଣ ବର୍ଷାରେ ସେହି ରାସ୍ତା ଦୟନୀୟ ହୋଇପଡ଼ିଛି। ଏହି ରାସ୍ତାଟି ଗ୍ରାମଠାରୁ ପ୍ରାୟ ୧ କିମି ଦୂର କଟକ-ମାଛଗାଁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଛି। ଏନେଇ ଗତ ୨୦ ବର୍ଷ ଧରି ଗ୍ରାମବାସୀ ବିଭିନ୍ନ ସମୟରେ ଥିବା ବିଧାୟକ, ବିଡିଓ ଓ ସରପଞ୍ଚଙ୍କ ଦୃଷ୍ଟିଆକର୍ଷଣ କରି ଆସିଥିଲେ ସୁଦ୍ଧା ସମସ୍ୟାର ସମାଧାନ ପନ୍ଥା ବାହାର କରାଯାଉନାହିଁ। ଗତ ୩ ବର୍ଷ ତଳେ ଏହି ରାସ୍ତାରେ ୩ ଲକ୍ଷ ଟଙ୍କାର ମୋରମ୍‌ କାମ ହୋଇଥିଲା। ଯାହା ସମ୍ପୂର୍ଣ୍ଣ ଧୋଇ ନଷ୍ଟ ହୋଇ ଯାଇଛି। ତେଣୁ ଗ୍ରାମବାସୀ ବାହାରିବା ସମ୍ଭବ ହେଉନାହିଁ। ତେଣୁ ଗ୍ରାମର ସମସ୍ତ ଯୁବକ ଏକାଠି ହୋଇ ରାସ୍ତା ମରାମତି କାମ ଆରମ୍ଭ କରିଛନ୍ତି। ସେମାନେ ଏଥିପାଇଁ ଗ୍ରାମବାସୀଙ୍କ ଠାରୁ କିଛି ଆର୍ଥିକ ସହାୟତା ଆଣିବା ସହ ଶ୍ରମଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ବିଡ଼ମ୍ବନା ହେଲା ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସ ୪ ଲକ୍ଷ ଟଙ୍କାର ମୋରମ କାମ ପାଇଁ ଅର୍ଥ ବ୍ୟୟବରାଦ କରିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ନାହିଁ। ବର୍ଷା ଦିନରେ ଏହି ରାସ୍ତା ବୁଡି ରହୁଥିବାରୁ ଗ୍ରାମକୁ ଆମ୍ବୁଲାନ୍ସଟିଏ ଆସି ପାରୁ ନାହିଁ। ଫଳରେ ଚଳିତ ବର୍ଷା ଋତୁରେ ଜଣେ ବାଲେଶ୍ଵରରୁ ଆସିଥିବା ଶ୍ରମିକ ଏଠାରେ ଅସୁସ୍ଥ ହୋଇ ପଡ଼ିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇ ପାରିଲା ନାହିଁ। ଫଳରେ ତା’ର ଜୀବନ ଚାଲି ଯାଇଥିଲା। ଏହି ରାସ୍ତାକୁ ମୋରମ ରାସ୍ତା ବଦଳରେ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଢଳେଇ ରାସ୍ତା ନିର୍ମାଣ ହେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ ବୋଲି ଗ୍ରାମବାସୀ ମତ ଦେଇଛନ୍ତି। ରାସ୍ତା ମରାମତି କାର୍ଯ୍ୟରେ ଗ୍ରାମର କ୍ଷେତ୍ରମୋହନ ମହାନ୍ତି, ଅଞ୍ଜନା ମହାନ୍ତି,ସନ୍ତୋଷ ସ୍ବାଇଁ,ସୁବ୍ରତ ବେହେରା,ଦୁର୍ଯ୍ୟୋଧନ ମହାନ୍ତି, ତୁଷାର ମହାନ୍ତି,ଦୀପକ ପରିଡା, କିଶୋର ମହାନ୍ତି, କାଳନ୍ଦୀ ମଣ୍ଡଳ, ବସନ୍ତ ମହାନ୍ତି, ଚନ୍ଦନ ମହାନ୍ତି, ଦେବାଶିଷ ମହାନ୍ତି, ଲଗ୍ନଜିତ ମହାନ୍ତି,କିଷାନ ମୁଦୁଲି,ସନ୍ତୋଷ ମୁଦୁଲି, ରାଜୁ ମଣ୍ଡଳ, ଜଟାଧାରୀ ଲେଙ୍କାଙ୍କ ସମେତ ଅନେକ ଯୁବକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର