ବୈପାରିଗୁଡା: ପାହାଡ଼ ଉପରେ ଗାଁ। ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ବିକାଶ ପହଞ୍ଚିପାରିନି ସେହି ଗାଁକୁ। ନାହିଁ ନାହିଁ ଭିତରେ ଜୀବନ ବିତେଇ ଚାଲିଛନ୍ତି ଗାଁ ଲୋକେ। ସବୁ କ୍ଷେତ୍ରରେ ପଛରେ ପଡ଼ିଯାଇଥିବା ଗାଁ ହେଉଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମହୁଲି ପଞ୍ଚାୟତର ମେଷଗୁଡା। ତିରିଶିରୁ ଉର୍ଦ୍ଧ୍ବ ପରିବାର ରହୁଥିବା ଏହି ଗାଁଟି ପାହାଡ଼ ଉପରେ ରହିଥିବା ବେଳେ ଲୋକେ ବିକାଶ ଠାରୁ ଅନେକ ଦୂରରେ। ଗାଁ ଯାଏ ରାସ୍ତା ନଥିବାରୁ ପାଦରେ ଚାଲି ଚାଲି ପାଖ ଗାଁ ଗୁଞ୍ଜି ଯାଏ ଆସିବାକୁ ପଡ଼ିଥାଏ। ଗୁଞ୍ଜି ପହଞ୍ଚିବା ପରେ ବ୍ଲକ କିମ୍ବା ପଞ୍ଚାୟତ ସଦରମହକୁମା ଯାଏ ଆସିବାକୁ ଯାଇହୁଏ। ତେବେ ଗୁଞ୍ଜି ଠାରେ ଯଦି ଅଟୋ ନମିଳେ ତେବେ ପ୍ରାୟ ନଅ କିଲୋମିଟର ବାଟ ଚାଲି ଚାଲି କୋଟା ଛକ ଯାଏ ଆସିବାକୁ ପଡ଼ିଥାଏ। କୋଟା ଛକରୁ ମହୁଲି କିମ୍ବା ବୈପାରିଗୁଡା ବସ୍ ଯୋଗେ ନିଜ ପାଇଁ ଜରୁରୀ ସାମଗ୍ରୀ ଯୋଗାଡ଼ କରିବାକୁ ପଡ଼ିଥାଏ। ଏତିକିରେ କଥା ସରିନଥାଏ।
ମେଷଗୁଡା ଏବଂ ଗୁଞ୍ଜି ମଝିରେ ପାହାଡି ନଦୀଟିଏ ରହିଛି ଯିଏ ସେମାନଙ୍କ ଗମନାଗମନରେ ବାଧକ ସାଜିଥାଏ। ଅନ୍ୟ ଋତୁରେ ପାହାଡି ନାଳ ପାର ହୋଇ କୈାଣସି ପ୍ରକାରେ ଲୋକେ ଯିବାଆସିବା କରିଥାନ୍ତି କିନ୍ତୁ ବର୍ଷା ଋତୁରେ ମେଷଗୁଡା ଗ୍ରାମବାସୀଙ୍କୁ ଏକପ୍ରକାର ଜଳବନ୍ଦୀ ଜୀବନ କଟାଇବାକୁ ପଡ଼ିଥାଏ। ବର୍ଷା ଋତୁରେ ଜୀବନକୁ ବାଜି ଲଗେଇ ପାହାଡୀ ନଈକୁ ପାରକରିବାକୁ ପଡ଼ିଥାଏ। ଅତୀତରେ କିଛି ଲୋକ ତାର ପ୍ରଖର ସୁଅରେ ଭାସି ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ମହୁଲି ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ତଥା ଭତ୍ତା ଆଣିବା ପାଇଁ ଯାହା ମିଳେ ତାର ଦୁଇ ଗୁଣ ଖର୍ଚ୍ଚ କରିବାକୁ ପଡ଼ିଥାଏ ବୋଲି ଦୁଃଖର ସହ ପ୍ରକାଶ କରିଛନ୍ତି। ଗାଆଁରେ ସର୍ବ ଶିକ୍ଷା ଅଭିଯାନ ଯୋଜନାରେ ପ୍ରାଥମିକ ବିଦ୍ୟାଳୟଟିଏ ସ୍ଥାପନ କରାଯାଇଥିଲା। କିନ୍ତୁ ୨୦ ରୁ କମ୍ ପିଲା ପଢୁଥିବା ସ୍କୁଲକୁ ପାଖ ସ୍କୁଲ ସହିତ ମିଶ୍ରଣ କରାଯିବା ନେଇ ସରକାର ଘୋଷଣା କରିଥିବାରୁ ମେଷଗୁଡା ସ୍କୁଲ ବନ୍ଦ ହୋଇଗଲା।
ଏବେ ଏହି ଗାଆଁର ପିଲାମାନେ ପାହାଡୀ ନାଳ ପାର ହୋଇ ତିନି କିଲୋମିଟର ଗୁଞ୍ଜି ଯାଇ ପାଠ ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତି। ଗ୍ରାମବାସୀଙ୍କ ସବୁଠାରୁ ବଡ଼ ସମସ୍ୟା ହେଲା ପିଇବା ପାଣି। ନଳକୂପ ପାଣି ପିଇବା ଏବେବି ଗ୍ରାମବାସୀଙ୍କ ସ୍ବପ୍ନ। ପାହାଡୀ ନାଳର ପାଣି ହିଁ ସେମାନଙ୍କ ଜୀବନ ବଞ୍ଚାଇ ରଖିଛି। ତେବେ ପ୍ରାୟ ଏକ କିଲୋମିଟର ଯାଇ ପାଣି ଆଣିବାକୁ ପଡ଼ିଥାଏ। ସ୍ବାସ୍ଥ୍ୟ ସେବାରୁ ସେମାନେ ଏକ ପ୍ରକାର ବଞ୍ଚିତ। ରାସ୍ତା ନଥିବାରୁ ଗୁରୁତର ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ଯାଏ ନେବା ଆଣିବା ଗ୍ରାମବାସୀଙ୍କ ପାଇଁ ଦୁଃସାଧ୍ୟ ବ୍ୟାପାର। ମେଷଗୁଡାରେ ଗ୍ରାମବାସୀମାନେ ଆଦିବାସୀ ସଂପ୍ରଦାୟର ଏବଂ ସମସ୍ତେ ଦାରିଦ୍ର୍ୟର ସୀମାରେଖା ତଳେ ଅଥଚ ସେମାନଙ୍କ ମଧ୍ୟରୁ କାହାରିକୁ ମଧ୍ୟ ଆବାସ ଗୃହଟିଏ ଆଜିଯାଏ ମିଳିନାହିଁ। ଆଜି ଯାଏ କୈାଣସି ସରକାରୀ କର୍ମଚାରୀ କିମ୍ବା ଜନପ୍ରତିନିଧି ଗାଆଁକୁ ଆସିନଥିବା ଗ୍ରାମବାସୀମାନେ କହିଛନ୍ତି। ତେବେ ନାହିଁ ନାହିଁ ମଧ୍ୟରେ ଜୀବନ କାଟୁଥିବା ମେଷଗୁଡାବାସୀଙ୍କ ଭାଗ୍ୟ କେବେ ବଦଳିବ ତାହାର ଉତ୍ତର କାହା ପାଖରେ ନାହିଁ।