ଫାର୍ମାସିଷ୍ଟଙ୍କୁ ବଦଳି ନକରିବାକୁ ଗ୍ରାମବାସୀଙ୍କ ଦାବି

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ସୀତାନାଥ ନାୟକଙ୍କର ଗତ କିଛି ଦିନ ତଳେ ବଦଳି ହୋଇଛି। ତେବେ ସୀତାନାଥ ପେଡାକୋଣ୍ଡା ଅଂଚଳରେ ଦିନରାତି ଏକ କରି କାମ କରୁଥିବା ନେଇ ଗ୍ରାମବାସୀ କହିଛନ୍ତି। ସେ ଏହି ଅଂଚଳରେ ଦୀର୍ଘ ଦିନ ହେଲା ରହିଥିଲେ ମଧ୍ୟ ଲୋକଙ୍କ ସେବାରେ କେବେ ମଧ୍ୟ ଖିଲାପ କରିନଥିବା ଲୋକେ କହିଛନ୍ତି। ତେଣୁ ତାଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାନଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ସୀତାନାଥଙ୍କ ବଦଳରେ ଯେଉଁ ଫାର୍ମାସିଷ୍ଟ ଆସିବେ ସେ ତାଙ୍କ ଭଳି ସେବା ଲୋକଙ୍କୁ ଯୋଗାଇ ପାରିବେ ନାହିଁ।

ସେ ରାତି ଅଧରେ ମଧ୍ୟ ଲୋକଙ୍କ ପାଇଁ ସେବା କରୁଥିଲେ। ଏହି ଅଂଚଳର ସେ ଏକ ପ୍ରକାର ଭଗବାନ ପାଲଟିଯାଇଛନ୍ତି। ତାଙ୍କ ବିନା ଲୋକେ ଆଉ କାହାରିକୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବେ ନାହିଁ ବୋଲି କହିଛନ୍ତି। ଏହି ଅଂଚଳରେ ଦୀର୍ଘ ଦିନ ଧରି ବହୁ ଫାର୍ମାସିଷ୍ଟ ରହିଥିଲେ ମଧ୍ୟ ତାଙ୍କୁ ବଦଳି କରାନଯାଇ କାହିଁକି ସୀତାନାଥଙ୍କୁ ହିଁ ଟାର୍ଗେଟ କରାଗଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ତେଣୁ ପୁଣି ବିଚାର କରାଯାଇ ସୀତାନାଥଙ୍କୁ ଏହି ଅଂଚଳକୁ ଫେରାଇ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ତାଙ୍କର ଚିକିତ୍ସାରେ ଲୋକେ ଆପେ ଆପେ ଭଲ ହୋଇଯାଉଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଯଦି ତାଙ୍କୁ ଫେରାନଯାଏ ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର