ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ସରୁନି ନାଗଭଣ ଗ୍ରାମବାସୀଙ୍କ ଜଳ ଦୁର୍ଦ୍ଦଶା

ରାଇରଙ୍ଗପୁର: ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ସରୁନି ଜଳ ଦୁର୍ଦ୍ଦଶା ,ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ରାଇରଙ୍ଗପୁର ବ୍ଲକବାସୀ। ଉପକୂଳରୁ ଉପାନ୍ତ ସବୁଠି ଜଳ କଷ୍ଟ ,କେବଳ ପ୍ରଚାରରେ ସେମିତି ହୋଇ ରହିଗଲା ବିଶୁଦ୍ଧ ପାନୀୟ ଜଳ ଯୋଗାଣ। ଫେଲ ମାରିଛି ବୃହତ୍ ଜଳ ଯୋଗାଣ ପ୍ରକଳ୍ପ | ଦୀର୍ଘ ପାଞ୍ଚ ବର୍ଷ ହେଲା ଏଲ ଏଣ୍ଡ ଟି କମ୍ପାନୀ ଦ୍ୱାରା ମନ୍ଥର ଗତିରେ ଚାଲିଛି ଜଳ ଯୋଗାଣ ପ୍ରକଳ୍ପ । ସମ୍ପୂର୍ଣ୍ଣ ହୋଇ ପାରୁନି କାର୍ଯ ,ଲୋକେ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଥିବାବେଳେ ପ୍ରଶାସନ ପାଲଟିଛି ନିଦାବିଷ୍ଣୁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଭାଲୁବସା ଗ୍ରାମ ପଞ୍ଚାୟତ ନାଗଭଣ ଗ୍ରାମର ଧଳାଡ଼ିହି ସାହିରେ ଯେଉଁଠି ଏବେ ମଧ୍ୟ ପାଣି ଟିକିଏ ପାଇଁ ଧାଡ଼ି ବାନ୍ଧୁଛନ୍ତି ଗ୍ରାମର ମହିଳାମାନେ, ଯଦିଓ ଗୋଟିଏ ସୋଲାର ପ୍ରକଳ୍ପ ଅଛି କିନ୍ତୁ ତାହା ମଧ୍ୟ ଦୀର୍ଘ ଦିନରୁ ଅଚଳ। ଲୋକେ ସ୍ୱଳ୍ପ ପାଣି ବାହାରୁ ଥିବା ନଳକୂପରୁ ଧାଡ଼ି ବାନ୍ଧି ପାଣି ନେବା ସହିତ ଗୋଟିଏ ଦୀର୍ଘ ଦିନରୁ ପଡିରହିଥିବା ଖୋଲା କୂଅରୁ ରାତି ଅଧରେ ମଧ୍ୟ ପାଣି ପାଇଁ ଉଜାଗର ରହୁଛନ୍ତି ।

ପୋଖରୀ ଘାଟ ସବୁ ଶୁଖି ଆଁ କଲାଣି। ନା ଗାଧୋଇବା ପାଇଁ ପାଇ ପାଉଛନ୍ତି ଟୋପାଏ ପାଣି ନା ଗୃହପାଳିତ ପଶୁପକ୍ଷୀଙ୍କୁ ପିଇବାକୁ ଦେଇ ପାରୁଛନ୍ତି ଟୋପାଏ ପାଣି। ପୋଖରୀ ବିଷାକ୍ତ ହୋଇ ରହିଥିବା ଦୂଷିତ ପାଣି ଆଣି ଗୃହପାଳିତ ପଶୁପକ୍ଷୀଙ୍କୁ ପିଇବାକୁ ଦେବା ସହିତ ଘରର ପ୍ରତ୍ୟେକ କାର୍ଯରେ ବ୍ୟବହାର କରୁଛନ୍ତି । ଗାଁରେ ପଡ଼ିଛି ଲମ୍ବା ଲମ୍ବା ପାଇପ ,ଘରକୁ ଘର ନଳ ଏବଂ ସଭା ବର୍ଦ୍ଧନ କରୁଛି ବଡ଼ ବଡ଼ ପାଣି ଟାଙ୍କି ହେଲେ ଅଭିଶପ୍ତ ଭାବରେ ଦିନ କାଟୁଛନ୍ତି ୧୩୦ ରୁ ଉର୍ଦ୍ଧ୍ବ ପରିବାର । ଯଦିଓ ରାଇରଙ୍ଗପୁର ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା ବ୍ଲକର ପ୍ରତ୍ୟେକ ପରିବାରର ଜଳ କଷ୍ଟ ଦୂର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ୧୫ ଫେବୃୟାରୀ ୨୦୧୯ ରେ ବୃହତ୍ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇ ଥିଲା । ଯାହାର ଅବଧି ଦୁଇ ବର୍ଷ ରହିଥିଲା କିନ୍ତୁ ତାହା ଦୁଇ ବର୍ଷରେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ବାରମ୍ବାର ତାର ଅବଧି ବଢେଇ ବଢେଇ ପଞ୍ଚମ ଅବଧିରେ ଆଣି ପହଞ୍ଚାଇ ଦେଲେ ତଥାପି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ। ତେବେ ଜଳ ଭଳି ଏକ ପ୍ରାଥମିକ ମୋଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଥିବା ବେଳେ ପ୍ରଶାସନ କାହିଁକି ନିଘୋଡ଼ ନିଦ୍ରାରେ ଶୋଇଛି ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ ରାଉତଙ୍କୁ ଯୋଗାଯୋଗ କରିବାରୁ କୌଣସି ସନ୍ତୋଷଜନକ ଉତ୍ତର ରଖି ନ ଥିଲେ। ଗୋଟିଏ ପଟେ ଅଧିକାରୀ ଚୁପ୍ ରହୁଥିବାବେଳେ ଗ୍ରାମ ଲୋକ ଆଗାମୀ ସପ୍ତାହ ଭିତରେ ଯଦି ଗ୍ରାମବାସୀଙ୍କୁ ଜଳ ନ ଯୋଗାଇଲେ ରାଇରଙ୍ଗପୁର ଜଳ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର