ନରଣଗଡ଼ କୁଣ୍ଡକୁଣ୍ଡି ପାହାଡ଼ ତଳେ ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ

ଶ୍ରୀଜଗନ୍ନାଥଙ୍କ କାମର ବିରୋଧ ନୁହେଁ, ଆମର ସମସ୍ୟା ପ୍ରଥମେ ସମାଧାନ କରନ୍ତୁ: ନରଣଗଡ଼ ସଂଗ୍ରାମ ସମିତି

ଖୋର୍ଦ୍ଧା: ସଦର ବ୍ଲକ ଅନ୍ତର୍ଗତ ନରଣଗଡ଼ କୁଣ୍ଡକୁଣ୍ଡି ପାହାଡ଼ରେ ଓଡ଼ିଶା ଖଣି ନିଗମ ଦ୍ୱାରା ପଥଣ ଉତ୍ତୋଳନ ଓ ଭୋଗ ଦଖଲ ଜମି ପଟ୍ଟନାରୁ ଶ୍ରୀ ଜଗନ୍ନାଥଙ୍କ ମାର୍ଫତ୍‌ ହଟାଇବା ଦାବିରେ ନରଣଗଡ଼ ଭିଟାମାଟି ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ ତୀବ୍ର ହୋଇଛି। ଆଜି ପାହାଡ଼ ତଳେ ସଂଗ୍ରାମ ସମିତିର ନେତୃତ୍ୱରେ ପ୍ରାୟ ୨ହଜାର ଗ୍ରାମବାସୀ ଏବଂ ୫ ପ୍ଲାଟୁନ୍‌ ପୁଲିସ ମୁହାଁମୁହିଁ ହୋଇଥିଲେ। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ।

ନରଣଗଡ଼ ପଂଚାୟତର ଭୋଗଦଖଲକାରୀଙ୍କ ଜମି ପଟ୍ଟାରୁ ଜମିଦାର ଭାବେ ଶ୍ରୀ ଜଗନ୍ନାଥ ବିଜେ ମହାପ୍ରଭୁଙ୍କ ନାମ ପରିବର୍ତେ ଓଡ଼ିଶା ସରକାର ଲେଖିବା ଏବଂ କୁଣ୍ଡକୁଣ୍ଡି ପାହାଡ଼ରେ ଶ୍ରୀଜଗନ୍ନାଥ ଓ କୋଣାର୍କ ମନ୍ଦଖଣି ନିଗମ ଦ୍ୱାରା ପଥର ଉତ୍ତୋଳନ ଅନୁମତିକୁ ବନ୍ଦ କରିବା ଦାବିରେ ଗତ ୩ ମାସ ଧରି ଚାଲିଥିବା ଆନ୍ଦୋଳନ ଆଜି ଏକ ଭିନ୍ନ ମୋଡ଼ରେ ପହଂଚିଛି। ଗତକାଲି ପ୍ରତିବାଦରେ ନରଣଗଡ଼ ସଂଗ୍ରାମ ସମିତି ପକ୍ଷରୁ ବାଇକରାଲି କରାଯାଇଥିଲା

ଆଜି ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ପ୍ରାୟ ୨ହଜାର ଲୋକ କୁଣ୍ଡକୁଣ୍ଡି ପାହାଡ଼ ଚାରିପଟେ ଘେରି ରହି ଓଏମ୍‌ସିର ପଥର ଉତ୍ତୋଳନ କାମ ବନ୍ଦ କରିଥିଲେ । ଘଟଣାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ, ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର, ଜଙ୍କିଆ ଥାନା ଆଇଆଇସି ସତ୍ୟବ୍ରତ ଲେଙ୍କାଙ୍କ ସହ ୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ ଥିଲେ। ଦୀର୍ଘ ୫ ଘଂଟା ଧରି ଆଲୋଚନା ପରେ ତହସିଲଦାର ଆସନ୍ତା ୬ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ଏକ ତ୍ରିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ ତେବେ ଏହାକୁ ସଂଗ୍ରାମ ସମିତି ଗ୍ରହଣ କରିନଥିଲେ। ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିବର୍ତେ ଗାଁରେ ବୈଠକ ପାଇଁ ଅଡ଼ି ବସିଥିଲେ। ତେବେ ପରେ ସଂଗ୍ରାମ ସମିତି ପକ୍ଷରୁ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏନେଇ ନିଷ୍ପତ୍ତି ନେବେ ବୋଲି କହିବା ପରେ ପୁଲିସ ଫୋର୍ସ ଓ ଗ୍ରାମବାସୀ ସେଠାରୁ ଫେରିଥିଲେ ।

ଏନେଇ ସଂଗ୍ରାମ ସମିତିର ନେତା ତଥା ପୂର୍ବତନ ସରପଂଚ ଅବଗତ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ କୋଣାର୍କ ମନ୍ଦିର ପାଇଁ ଓଏମ୍‌ସି ଦ୍ୱାରା ପଥର ଖୋଳାକୁ ସେମାନେ ବିରୋଧ କରୁନାହାନ୍ତି କିନ୍ତୁ ଦୀର୍ଘ ବର୍ଷ ଧରି ଜମିପଟ୍ଟାର ମାର୍ଫତ୍‌ଦାର ନେଇ ଯେଉଁ ସମସ୍ୟା ରହିଛି ତା’ର ସମାଧାନ ପ୍ରଥମେ କରନ୍ତୁ ଏହାପରେ ଯାଇ ସେମାନେ ଓଏମ୍‌ସିର ପଥର ଉତ୍ତୋଳନ କାର୍ଯ୍ୟକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରିବେ।

ଏନେଇ ତହସିଲଦାର ଶ୍ରୀ ସାହୁ କହିଛନ୍ତି ଯେ ଆଜି ଗାଁ ଲୋକ ପଥର ମୁଣ୍ଡିଆ ରାସ୍ତାକୁ ଅବରୋଧ କରି ରଖିଥିଲେ। ସେମାନଙ୍କ ଦାବି ଜିଲ୍ଲା ପ୍ରଶାସନ କ୍ଷମତାରେ ନାହିଁ। ଏହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏନେଇ ସେମାନଙ୍କୁ ବୁଝାସୁଝା କରିବା ପରେ ଆଲୋଚନା ପାଇଁ ରାଜି ହୋଇଛନ୍ତି। କିନ୍ତୁ ଜିଲ୍ଲାପାଳ ଗାଁକୁ ଆସି ଆଲୋଚନା କରିବାକୁ ଜିଦ୍‌ ଧରିବାରୁ ଆସନ୍ତାକାଲି ଉପଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ଏନେଇ ନିଷ୍ପତ୍ତି ନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର