ଜବରଦଖଲ ପ୍ରତିବାଦରେ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

କାମାକ୍ଷାନଗର : ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ତହସିଲ ଅଧିନ ବିରିବୋଲାଇ ଗ୍ରାମ୍ୟ ଗୋଚର ଜମିକୁ  ଚେମୁ ସାହୁ ନାମକ ବ୍ୟକ୍ତି ଜବରଦଖଲ କରି ଗୃହ ନିର୍ମାଣ କରୁଥିବାରୁ ତାହାକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଏ ପ୍ରସଙ୍ଗରେ ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ବି କୌଣସି ପ୍ରତିକାର ନହେବାରୁ ସେମାନେ  ଆଜି ଭେଜିଆ ଶିବ ମନ୍ଦିର ନିକଟରେ ଜାତୀୟ ରାଜପଥ ୧୪୯ କୁ ଅବରୋଧ କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସେହି ଜମି ଗ୍ରାମର ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ରହିଛି । ଏବେ ସେହି ଜାଗାକୁ ଗାଈଗୋରୁ ଚରିବାକୁ ବ୍ୟବହାର କରାଯାଉଛି । ଗ୍ରାମ ତରଫରୁ ସେହି ଜାଗାରେ ଏକ ପାର୍କ ନିର୍ମାଣ ପାଇଁ ପଞ୍ଚାୟତକୁ ପ୍ରସ୍ତାବ ଦିଆ ଯାଇଥିଲା । ଏ ନେଇ ପୁର୍ବରୁ ଗ୍ରାମବାସୀ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ।

ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ୭ ଦିନ ମଧ୍ୟରେ ଜାଗାରୁ ଉଛେଦ କରାନଗଲେ ୧୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଥିଲେ ।  କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଗାଁର ଲୋକମାନେ ଜାତୀୟ ରାଜପଥ ୧୪୯ କୁ ଭେଜିଆ ଶିବ ମନ୍ଦିର ଛକ ନିକଟରେ ଅବରୋଧ କରିଛନ୍ତି । ଉଛେଦ ନହେବା ଯାଏ ଏମିତି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । 

 

ସମ୍ବନ୍ଧିତ ଖବର