ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଭୋଟ୍‌ ବର୍ଜନ କଲେ ଫଟାଟାଙ୍ଗର ଗ୍ରାମବାସୀ

ବାମରା : ବାମରା ବ୍ଲକ୍‌ରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି। କାଁ ଭାଁ ଘଟଣାକୁ ଛାଡ଼ିଦେଲେ ବିଶେଷ କିଛି ବିଶୃଙ୍ଖଳା ପରିସ୍ଥିତି ଉପୁଜିନାହିଁ। ବ୍ଲକ୍‌ର ମୋଟ ୧୭ଟି ପଞ୍ଚାୟତରେ ୨୧୬ଟି ବୁଥ ରହିଥିବା ବେଳେ କେବଳ ଗୋଟିଏ ବୁଥ  କେଶାଇବାହାଲ ପଞ୍ଚାୟତ ଫଟାଟାଙ୍ଗର ଗାଁ’ ବୁଥ୍‌ରେ ମତଦାନ ହୋଇନାହିଁ। ଫଟାଟାଙ୍ଗରକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି ନେଇ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି ।

ଗତ ୨୦ ବର୍ଷ ହେଲା ଫଟାଟାଙ୍ଗରକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବାକୁ ଗ୍ରାମବାସୀ ଦାବି କରି ଆସୁଥିଲେ ହେଁ ଏଥିପ୍ରତି ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି। ପ୍ରଶାସନର ଏଭଳି ଖାମଖିଆଲି ଓ ଅଣଦେଖା ମନୋଭାବ ପ୍ରତିବାଦରେ ବାଧ୍ୟ ହୋଇ ଭୋଟ ବର୍ଜନ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଆଜି ଭୋଟ୍‌ ଗ୍ରହଣ ପାଇଁ ସକାଳୁ ଫଟାଟାଙ୍ଗର ପ୍ରାଥମିକ ସ୍କୁଲ୍‌ରେ ବୁଥ୍‌ ପ୍ରସ୍ତୁତ ରହିଥିଲା। ବୁଥରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମେତ ପୁଲିସ ଫୋର୍ସ ମୁତୟନ ଥିଲେ। କିନ୍ତୁ ଗ୍ରାମର କେହି ବି ଜଣେ ଭୋଟ ଦେବାକୁ ଆସିଲେ ନାହିଁ। ଗ୍ରାମବାସୀମାନେ ବୁଥଠାରୁ ପ୍ରାୟ ଶହେ ମିଟର ଦୂରରେ ଗାଁର ଯାତ୍ରା ମଣ୍ଡପରେ ଦୀନବନ୍ଧୁ ମାଝୀଙ୍କ ଅଧ୍ୟକ୍ଷତାରେ ଅଶୋକ ଛତ୍ରିଆ, ଜଗବନ୍ଧୁ ଛତ୍ରିଆ, ମନୋଜ ଡୁଙ୍ଗଡୁଙ୍ଗ, ପିଟର କେର୍କେଟା, ଭଗବାନ ଖଡ଼ିଆ, ସୁବ୍ରତ ଖଡ଼ିଆ, ଶିବଲାଲ କିଷାନ, ସୁନ୍ଦର କିଷାନ, ସୁନାଲି ଖଡ଼ିଆ, ସୁଶୀଳା ଡୁଙ୍ଗଡୁଙ୍ଗ, ଲଳିତା ମାଝୀଙ୍କ ସହ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଗତ ପ୍ରାୟ ସପ୍ତାହେ ଧରି ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିଥିଲେ ବି ଗ୍ରାମବାସୀ ଜିଦ୍‌ରେ ଅଡ଼ି ବସିଥିଲେ। ଏହି ପରିପ୍ରେକ୍ଷୀରେ ବାମରା ତହସିଲଦାର ଅନୀଲ କୁଳୁଙ୍କ ସମେତ ସୋମବାର ଦିନ ସମ୍ବଲପୁର ଆଡିସନାଲ ଏସ୍‌ପି ଅମରେଶ ପଣ୍ଡା, କୁଚିଣ୍ଡା ଏସ୍‌ଡିପିଓ ରାଜକିଶୋର ମିଶ୍ର, ସଦର ଡିଏସପି ଜ୍ୟୋତ୍ସ୍ନାରାଣୀ ପଧାନଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ପରିଦର୍ଶନ କରି ଫେରିଥିଲେ। ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ କେହି ବି ଜଣେ ଭୋଟ ଦେବାକୁ ନ ଆସିବାରୁ ପୋଲିଂପାର୍ଟି ଫେରି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର