ପ୍ରଶାସନ ଶୁଣିଲାନି, ପାହାଡ କାଟି ୨ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ରାସ୍ତା ନିର୍ମାଣରେ ଲାଗିଲା ୨ ବର୍ଷ, ବାଧକ ସାଜିଛି ବନବିଭାଗ

ବାଙ୍ଗିରିପୋଷି: ଲୋକଙ୍କ ନିବେଦନ ପ୍ରଶାସନ ଶୁଣିଲା ନାହିଁ। ବାଧ୍ୟ ହୋଇ ତିନି ଫଚାୟତର ଶତାଧିକ ଗ୍ରାମବାସୀ ସପ୍ତାହରେ ଗୋଟିଏ ଦିନ ଶ୍ରମ ଦାନ କରି ମୟୂରଭଂଜ ଜିଲ୍ଲାର ଶିମିଳିପାଳ ପାଦଦେଶର ମଝିଗାଁ ଠାରୁ ଜାମତଳିଆ ପାହାଡ କାଟି ନିର୍ମାଣ କରିଛନ୍ତି ରାସ୍ତା।

ବାଙ୍ଗିରିପୋଷି ବ୍ଲକ ବ୍ରାହ୍ମଣ ଗାଁ, ଚାକିଡି ଓ ସୋରିଷପାଳ ପଞ୍ଚାୟତକୁ ଯିବା ଆସିବା ପାଇଁ ଜନସାଧାରଣ ଦୁଇ କିଲୋମିଟର ପାହାଡ କାଟି ରାସ୍ତା ନିର୍ମାଣ ରାସ୍ତା କରିବା ପାଇଁ ଦୁଇ ବର୍ଷ ଲାଗିଛି। ଏହି ଫଚାୟତମାନଙ୍କୁ ସଂଯୋଗ କରୁଥିବା ତିନି ଫଚାୟତରେ ୩୮ଟି ୱାର୍ଡ ରହିଛି। ମହିଳା ଓ ପୁରୁଷଙ୍କ ଭୋଟର ସଂଖ୍ୟା ୭୬୬୩ ଥିବା ଜଣାପଡିଛି। ସେଥିମଧ୍ୟରୁ ଚାକିଡି ଫଚାୟତର ମହିଳା ଭୋଟର ୫୯୯ ଓ ପୁରୁଷ ୫୩୯, ସୋରିଷ ପାଳ ଫଚାୟତର ମହିଳା ଭୋଟର ୧୩୭୫ ଓ ପୁରୁଷ ଭୋଟର ୧୩୬୩, ବ୍ରାହ୍ମଣ ଗ୍ରାମ ପଂଚାୟତର ମହିଳା ଭୋଟର ୧୯୪୯ ଓ ପୁରୁଷ ଭୋଟର ୧୮୨୯ ଜଣ ଭୋଟର ଅଛନ୍ତି।

ରାସ୍ତା ନିର୍ମାଣ ଖବର ବନବିଭାଗ ଜାଣିଲା ପରେ ତୁରନ୍ତ ରାସ୍ତା କାର୍ଯ୍ୟକୁ ବଂଦ କରି ଦେବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ବାଙ୍ଗିରିପୋଷି ବଜାର ଠାରୁ ୨୮ କିଲୋମିଟର ଦୂର ତାଳବନ୍ଧ ବିଟ ଚିଲକି ହ୍ରଦ ନିକଟରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା।

ମୟୂରଭଞ୍ଜ ମହାରାଜା ପୁର୍ଣ୍ଣଚନ୍ଦ୍ର ଭଞଦେଓ ଟ୍ରେନ ଯୋଗେ ରୂପସା ଠାରୁ ତାଳବନ୍ଧ ପର୍ଯ୍ୟନ୍ତ ଯିବା ଆସିବା କରୁଥିଲେ। ଏହି ରାସ୍ତାଟି ବହୁ ପୁରାତନ। ଗ୍ରାମବାସୀଙ୍କ କହିବା ମୁତାବକ ତିନି ଫଚାୟତକୁ ସଂଯୋଗ କରୁଥିବା ଏହି ରାସ୍ତା ଜଙ୍ଗଲ ମଧ୍ୟରେ ପୂର୍ବରୁ ଥିଲା। ପର୍ଯ୍ୟାୟ କ୍ରମେ ବୁଢାବଳଙ୍ଗ ନଦୀ କୂଳ ଖାଇବାରୁ ରାସ୍ତାଟି ବନ୍ଦ ହୋଇ ପଡିଥିଲା। ଫଳରେ ଚାକିଡି ଓ ସୋରିଷପାଳ ଫଚାୟତର ଗ୍ରାମବାସୀ ବ୍ରାହ୍ମଣଗାଁ ଫଚାୟତ ସହିତ ଯୋଗାଯୋଗ ବିଛିହ୍ନ ହୋଇଥିଲା।

ବିଶେଷ କରି ଚାକିଡି ଫଚାୟତର ଖଢିଘାଟି, ଜାମତଳିଆ ଓ କୁସୁମତୋଟାର ଏକ ଶହରୁ ଉର୍ଦ୍ଧ୍ୱ ପରିବାର ବର୍ଷା ଛଅ ମାସ ବାହ୍ୟଜଗତରୁ ବିଛିହ୍ନ ଥାନ୍ତି ବୋଲି ମଝିଗାଁ ୱାର୍ଡମେମ୍ବର ଧାନେଇ ହେମ୍ବ୍ରମ, ହେମନ୍ତ ହେମ୍ବ୍ରମ, ସତ୍ୟବ୍ରତ ସୋରେନ, ରାମଚନ୍ଦ୍ର ହାଃସଦା (ଘାଟକୁଆଁରି), ରାମ ସୋରେନ, ସଂକର ହାଃସଦା (ଜାମତଳିଆ) ଲାଖାନ ସରେନ (ଖଡିଘାଟି) ଭଣ୍ଡେଲ କିସ୍କୁ (କୁସୁମତୋଟା) ଅଭିଯୋଗ କରିଛନ୍ତି।

ବର୍ଷା ଦିନରେ ବୁଢାବଳଙ୍ଗ ନଦୀ ବଢୁଥିବାରୁ ତିନୋଟି ଗ୍ରାମର ଅଧିବାସୀ ଛଅ ମାସ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଡ କରି ରଖିଥାନ୍ତି ବୋଲି କହିଛନ୍ତି। ନୂତନ ରାସ୍ତାଟି ଆଉ ଅଳ୍ପ ବାଟ ଯାଇଥିଲେ ଚାକିଡ଼ି ଫଚାୟତ ଜାମତଳିଆରୁ ବ୍ରାହ୍ମଣ ଗାଁ ଫଚାୟତ ମଝିଗାଁ ସହିତ ଯୋଡି ହୋଇଯାଆନ୍ତା।

ତେବେ ବନବିଭାଗ ହସ୍ତକ୍ଷେପ ଫଳରେ ଆଉ ଅଳ୍ପ ବାଟ ରାସ୍ତା ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏସଂପର୍କରେ ତାଳବନ୍ଧ ରେଞ୍ଜର ମଧୁସ୍ମିତା ଦାସ କହନ୍ତି ଜଙ୍ଗଲଟି ଟାଇଗାର ଫରେଷ୍ଟ ଜମି ଥିବାରୁ ନୂତନ ରାସ୍ତା ପାଇଁ ଉପରିସ୍ଥ ଅଫିସରଙ୍କ ଅନୁମତି ଦରକାର। ବର୍ତ୍ତମାନ ଯେତିକି ରାସ୍ତା ଅଛି ଫଚାୟତବାସୀ ଚଲାପଥ ଭାବେ ବ୍ୟବହାର କରିପାରିବେ।

ସମ୍ବନ୍ଧିତ ଖବର