ନବରଙ୍ଗପୁର /ମଇଦଲପୁର : ଗାଁକୁ ରାସ୍ତା ଦିଅ ଭୋଟ ନିଅ, ପିଇବା ପାଣି ଦିଅ ଭୋଟ ନିଅ, ଆବାସ ଓ ଭତ୍ତା ଦିଅ ଭୋଟ ନିଅ। ଭୋଟ ଗ୍ରହଣ ଦିନ ରେ ଏପରି ଏକ ଅଭିନବ ଉପାୟରେ ପ୍ରତିବାଦ କରି ଭୋଟ ବର୍ଜନ କରିଥିଲେ ଗ୍ରାମବାସୀ। ଶେଷ ରେ ସାଢ଼େ ୫ ଘଣ୍ଟା ନାକେଦମ ହେବା ପରେ ପ୍ରଶାସନ ଲିଖିତ ପ୍ରତିଶୁତି ଦେବା ପରେ ମଧ୍ୟାହ୍ନ ୧୨.୩୦ ଟା ରେ ଦେଲେ ଗ୍ରାମବାସୀ ଭୋଟ।

Advertisment

ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ମଇଦଲପୁର ପଞ୍ଚାୟତର ୩ ନଂ ୱାର୍ଡ ବରିପଦର ଗ୍ରାମରେ । ସୂଚନା ଅନୁଯାୟୀ ବରିପଦର ଗ୍ରାମ ଟି ପ୍ରାୟ ୭୦ ବର୍ଷ ଧରି ସ୍ଥାପିତ ହୋଇଥିଲେ ମଧ୍ୟ ଗ୍ରାମରେ ମୌଳିକ ସମସ୍ୟାର ସମାଧାନ ହୋଇପାରି ନାହିଁ । ଗାଁ କୁ ଭଲ ରାସ୍ତା ଖଣ୍ଡେ ନାହିଁ, ପାନୀୟ ଜଳ ର ସୁବିଧା ନାହିଁ, ଅଧାପନ୍ତରିଆ ଅବସ୍ଥା ରେ ପଡି ରହିଛି ଆବାସ ଗୃହ, ଗାଁ ରେ ପୋଖରୀ ଖଣ୍ଡେ ନାହିଁ , ଭତ୍ତା ରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ବର୍ଷା ହେଲେ ଗାଁକୁ ରାସ୍ତା ବନ୍ଦ। ଜାତୀୟ ରାଜପଥ ଠାରୁ ଗ୍ରାମ ୪ କିମି ହୋଇଥିବା ବେଳେ ଗାଁକୁ ହୋଇପାରୁନି ପକ୍କା ରାସ୍ତା। ସବୁ ବେଳେ ଭୋଟ ବେଳେ ରାଜନେତା ଆସୁଛନ୍ତି ପ୍ରତିଶୁତି ଦେଇ ଚାଲିଯାଉଛନ୍ତି। ପ୍ରଶାସନ ନିକଟରେ ବାରମ୍ବାର ନେଉରା ହେଲେ ମଧ୍ୟ କେହି ତାଙ୍କ ଗୁହାରୀ ଶୁଣୁନାହାନ୍ତି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ବି ଏପରି ଭୋଟ ବର୍ଜନ କରିଥିଲେ। ପ୍ରଶାସନ ପ୍ରତିଶୃତି ଦେବା ପରେ ଭୋଟ ଦିଆଯାଇଥିଲା କିନ୍ତୁ ଦୀର୍ଘ ୫ ବର୍ଷ ପରେ ମଧ୍ୟ କିଛି ଉନ୍ନତି ହୋଇନାହିଁ । ସେଥିପାଇଁ ଆଜି ମଧ୍ୟ୍ୟ ଭୋଟ ବର୍ଜନ କରିଛୁ ବୋଲି ଗ୍ରାମ ର ସନି ସାନ୍ତା, ରବି ସାନ୍ତା,ପ୍ରଫୁଲ୍ଲ ସାନ୍ତା, ରଘୁ ଜାନି ପ୍ରମୁଖ କହିଛନ୍ତି । ଖବର ପାଇ ପାପଡାହାଣ୍ଡି ବିଡିଓ ରଂଜିତା ମଲ୍ଲିକ ଘଟଣା ସ୍ଥଳ ରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ କୌଣସି ସୁଫଳ ନ ମିଳିବା ରୁ ସେଠାରୁ ଫେରିଯାଇଥିଲେ । ମଧ୍ୟାହ୍ନ ୧୨ ଟା ବେଳେ ଡାବୁଗାଁ ର ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ଜିଲ୍ଲା ପରିଷଦ ପ୍ରାଥୀନି ଲିପିକା ମାଝୀ ଓ ରଂଜିତା ମଲ୍ଲିକ ଙ୍କ ଉପସ୍ଥିତି ରେ ଲୋକଙ୍କୁ ବୁଝେଇବା ପରେ ଏବଂ ବିଡିଓ ଲିଖିତ ପ୍ରତିଶୃତି ଦେବା ପରେ ମଧ୍ୟାହ୍ନ ୧୨.୩୦ ଘଣ୍ଟା ସମୟରେ ଭୋଟ ଦେଇଥିଲେ ଗ୍ରାମବାସି । ଭୋଟ ଗ୍ରହଣ ପରେ ଗ୍ରାମର ମୋଟ ୧୯୪ ଭୋଟ ମଧ୍ୟରୁ ୧୪୪ ଖଣ୍ଡ ଭୋଟ ପଡିଥିଲା।