ବ୍ଲକ କାର୍ଯ୍ୟାଳୟକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଟଣାଓଟରା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳର ୫ଟି ପଞ୍ଚାୟତବାସୀ ଆଜି ମାଲକାନଗିରି ପହଞ୍ଚି ଜିଲ୍ଲାପାଳ ସମେତ ଉପଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଭେଟି ଯନ୍ତାପାଇରେ ବ୍ଲକ କାର୍ଯ୍ୟାଳୟ କରିବା ନେଇ ଦାବି କରିଥିଲେ। ରାଲଗେଡା, ଧୂଳିପୁଟ, ବଡପଡା, ପେପର ମେଟଲା ଭଳି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଆଜି ଜିଲ୍ଲାପାଳ ବିଶାଲ ସିଂଙ୍କୁ ଭେଟିବା ସହ ସ୍ବାଭିମାନ ଅଂଚଳର ଯଡାମ୍ବ ବଦଳରେ ଯନ୍ତାପାଇଠାରେ ବ୍ଲକ କାର୍ଯ୍ୟାଳୟ କରିବା ନେଇ ଦାବି କରିଥିଲେ।ଯନ୍ତାପାଇ ସ୍ବାଭିମାନ ଅଂଚଳର କେନ୍ଦ୍ରବିନ୍ଦୁ । ଯନ୍ତାପାଇଠାରୁ ଯନ୍ତ୍ରୀ ଏବଂ ଧୂଳିପୂଟ ସମାନ ଦୂରତା । ତେଣୁ ଯନ୍ତାପାଇଠାରେ ବ୍ଲକ କାର୍ଯ୍ୟାଳୟ ନିର୍ମାଣ କରାଗଲେ ସ୍ବାଭିମାନ ଅଂଚଳର ଅଧିବାସୀମାନେ ସମସ୍ତ ସୁବିଧା ସୁଯୋଗ ପ୍ରଶାସନ ତରଫରୁ ପାଇପାରନ୍ତେ।

ଯଡାମ୍ବଠାରେ ସରକାରୀ ଖାଲି ଜମି ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ଯନ୍ତାପାଇଠାରେ ବ୍ଲକ କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ ଏକ ପ୍ରକାର ସମାପ୍ତ ହୋଇସାରିଛି। ଯନ୍ତାପାଇଠାରେ ନୂତନ ବ୍ଲକ କାର୍ଯ୍ୟାଳୟ ନିର୍ମାଣ କରାଗଲେ ସ୍ବାଭିମାନ ଅଂଚଳର ୧୦ ଖଣ୍ଡ ପଞ୍ଚାୟତବାସୀ ଉପକୃତ ହେବେ ବୋଲି କୁହାଯାଇଛି। ତେବେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଲୋକେ ଘେରିବା ସହ ତୁରନ୍ତ ବ୍ଲକ ନିର୍ମାଣ ପାଇଁ ଦାବି କରିଥିଲେ। ଏଥିରେ ଖିଲାପ ହେଲେ ଆନ୍ଦୋଳନାତ୍ମକ ପନ୍ଥା ପୁଣି ଗ୍ରହଣ କରିବେ ବୋଲି ଧମକ ଦେଇଥିଲେ। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ଯଡାମ୍ବ ପଞ୍ଚାୟତ ସହ ସ୍ବାଭିମାନ ଅଂଚଳର ଅନେକ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ଯଡାମ୍ବରେ ବ୍ଲକ କାର୍ଯ୍ୟାଳୟ ନିର୍ମାଣ କରାଯାଉ ବୋଲି ଦାବି ଜଣାଇଥିଲେ।

ଏହାକୁ ବିରୋଧ କରି ଆଜି ଯନ୍ତାପାଇଠାରେ ନୂତନ ବ୍ଲକ କାର୍ଯ୍ୟାଳୟ ନିର୍ମାଣ ପାଇଁ ଲୋକେ ଦାବି କରିଥିଲେ। ତେବେ ବ୍ଲକ କାର୍ଯ୍ୟାଳୟ ନେଇ କୌଣସି ନୋଟିଫିକେସନ ହୋଇନଥିବାବେଳେ ସ୍ବାଭିମାନ ଅଂଚଳରେ ଏବେ ବ୍ଲକ କାର୍ଯ୍ୟାଳୟକୁ ନେଇ ଚାଲିଛି ଟଣାଓଟରା। ଯଦି ସ୍ବାଭିମାନ ଅଂଚଳରେ ବ୍ଲକ କରାଯାଏ ତେବେ ସେନେଇ ସରକାର କେଉଁ ସ୍ଥାନରେ ହେବ ନିଷ୍ପତ୍ତି ନେବାକୁ ଥିବା ବେଳେ ଏଥିରେ ନକ୍ସଲଙ୍କ ହସ୍ତକ୍ଷେପ ନାହିଁ ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନକ୍ସଲ ସ୍ବାଭିମାନ ଅଂଚଳରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି। ତେବେ ବ୍ଲକ କାର୍ଯ୍ୟାଳୟ ପାଇଁ ସରକାର ନିଷ୍ପତ୍ତି ନେବା ପରେ ହିଁ କେଉଁଠି ହେବ ତାହା ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର