ସାରନଗରୀ: ଲାଠିକଟା ବ୍ଲକ୍ ସୁଇଡିହି ପଞ୍ଚାୟତ ଅନ୍ତର୍ଗତ ସୋନାପର୍ବତରେ ରହିଛି ବିସ୍ଫୋରକ ତିଆରି କାରଖାନା ଆଇଡିଏଲ୍ ଏକ୍ସପ୍ଲୋସିଭ୍ ଲିମିଟେଡ୍। ତେବେ କାରଖାନା ଆଖପାଖରେ ଥିବା ଖରୁଆଟୋଲା, ଅସୁରଛାପାଲ, ବଡ଼ ସୋନାପର୍ବତ, ସାନ ସୋନାପର୍ବତ, ନବକୃଷ୍ଣ ନଗର, ଗୋପବନ୍ଧୁ ନଗର, ଭଞ୍ଜକଲୋନି ଆଦି ଗାଁର ହଜାରହଜାର ଲୋକଙ୍କ ପାଇଁ ଏହି କାରଖାନା ପାଲଟିଛି ଚିନ୍ତାର କାରଣ। ଶିଳ୍ପର ବିକାଶ ହେଲେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ବିକାଶ ହେବ ବୋଲି କହାଯାଏ। ହେଲେ ବହୁବର୍ଷ ଧରି ଏଠାରେ ରହିଥିବା ଆଇଡିଏଲ୍ କାରଖାନା ଅଞ୍ଚଳବାସୀଙ୍କ ବିକାଶ କମ୍, ବିନାଶ ଅଧିକ କରିଛି। ଏହି କାରଖାନା ନିର୍ମାଣବେଳେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ, ଆର୍ଥିକ ସ୍ଥିତି ସୁଧୁରିବ, ଅଞ୍ଚଳର ବିକାଶ ହେବ ବୋଲି ଲୋକେ ଆଶା ବାନ୍ଧିଥିଲେ। କିନ୍ତୁ ଏତେ ବର୍ଷ ବିତିବା ପରେ ବି କାରଖାନା ତରଫରୁ କୌଣସି ପ୍ରକାର ସୁବିଧା ସୁଯୋଗ ପାଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି।
ଅପରପକ୍ଷରେ ଏହି କାରଖାନାର ଉଚ୍ଚ କ୍ଷମତା ସମ୍ପନ୍ନ ବିସ୍ଫୋରଣ ଯୋଗୁ ସୋନାପର୍ବତ ଗାଁରେ ରହୁଥିବା ବହୁ ଲୋକଙ୍କ ଘର ଭାଙ୍ଗିଛି। ଲକ୍ଷ୍ମଣ ମହାକୁଡ଼, ଡମ୍ବରୁ ସିଂ, ରାଜେନ୍ଦ୍ର ମହାକୁଡ଼, ବିଜୟ ମହାକୁଡ଼ ପ୍ରମୁଖଙ୍କ ଘର ଏମିତି ଭାଙ୍ଗିଛି ଯେ ଆଖିରେ ନଦେଖିଲେ ବିଶ୍ବାସ ହେବ ନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଲାଠିକଟା ତହସିଲଦାର, ଆଇଡିଏଲ୍ର ଶିଳ୍ପସମ୍ପର୍କ ପରିଚାଳକ ଓ ଅନ୍ୟ ଅଧିକାରୀ ଗଣ ଗାଁ’ର ଭାଙ୍ଗିଥିବା ଘରଗୁଡ଼ିକୁ ଦେଖି ମରାମତି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଯାବତ କୌଣସି ଜଣେ ଲୋକର ଘର ମରାମତି ହୋଇ ନାହିଁ।
ବରଂ ଏହି କମ୍ପାନିକୁ ହାଇଦ୍ରାବାଦରେ ସଂପ୍ରସାରଣ ଅନୁମତି ନମିଳିବାରୁ ଏଠାରେ ନିଜ କାରଖାନା ସଂପ୍ରସାରଣ କରିବାରେ ଲାଗିଛି।କାରଖାନା ଆଖପାଖ ଗାଁର ଅଧିକାଂଶ ଲୋକ ଗରିବ ଶ୍ରେଣୀର ହୋଇଥିବାରୁ କାହାର ମାଟିଘର ତ’ କାହାର ଆଜ୍ବେଷ୍ଟସ୍ ଘର ରହିଛି। ଆଇଡିଏଲ୍ ବ୍ଲାଷ୍ଟିଂରେ ବାରମ୍ବାର ସେମାନଙ୍କ ଘର ଭାଙ୍ଗୁଛି ବା ଆଜ୍ବେଷ୍ଟସ୍ ଫାଟିଯାଉଛି। କାରଖାନା ତରଫରୁ ସହାୟତା ନମିଳିବାରୁ ସେମାନେ ସର୍ବସ୍ବାନ୍ତ ହେଉଛନ୍ତି। ଏହି କାରଖାନା ମଧ୍ୟ ପ୍ରଭାବିତ ଗ୍ରାମାଞ୍ଚଳର ଲୋକଙ୍କୁ ନିଯୁକ୍ତି ନଦେଇ ଅଧିକାଂଶ ବାହାର ରାଜ୍ୟର ଲୋକଙ୍କୁ ରଖୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି। ତେଣୁ ଲୋକେ କାରଖାନାରୁ କୌଣସି ପ୍ରକାରେ ଉପକୃତ ହୋଇପାରୁ ନାହାନ୍ତି। ଏ ସଂପର୍କରେ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଉ ନଥିବାବେଳେ ସ୍ଥାନୀୟ ସରପଞ୍ଚ ଅରୁଣା ଇରାନି କିସାନ କହନ୍ତି, ଆମେ ବାରମ୍ବାର ଆଇଡିଏଲ୍ କାରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଛୁ। ଦାବିପତ୍ର ଓ ବୈଠକ ମାଧ୍ୟମରେ ବି କହିଛୁ। ହେଲେ କମ୍ପାନି କର୍ତ୍ତୃପକ୍ଷ କେବଳ ମିଛ ପ୍ରତିଶ୍ରୁତି ଦେଇ ଧରାଛୁଆଁ ଦେଉ ନାହାନ୍ତି।