ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଜଣେ ଗ୍ରାମବାସୀକୁ ପୁଲିସ ଇନଫର୍ମର ସନ୍ଦେହରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ସୁକମା ଜିଲ୍ଲାର ଏରାବୋରା ଥାନା ଅଂଚଳରେ ଏହି ଘଟଣା ଘଟିଛି। ସୁକମା ଏସ୍‌ପି ସୁନୀଲ ଶର୍ମା ଏହା ସ୍ପଷ୍ଟ କରିଛନ୍ତି। ଗତକାଲି ରାତିରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ନକ୍ସଲ ଏରାବୋରା ଗ୍ରାମରେ ପଶି ଦାରେ ନବୀନ ନାମରେ ଜଣେ ଯୁବକଙ୍କୁ ଘରୁ ଡାକିଥିଲେ। ତାଙ୍କୁ ଜଂଗଲକୁ ଡାକି ନେଇ ପୁଲିସ ଇନଫର୍ମର ଦର୍ଶାଇ ନିର୍ଦ୍ଧୁମ ପିଟିଥିଲେ। ପରେ ଜଂଗଲରେ ଗଛ କାଟିବା ଏବଂ ଜଂଗଲ ଜମିକୁ ନିଜ ଅକ୍ତିଆରକୁ ନେବା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ। ପୁଲିସ ସହ ମିଶି ନକ୍ସଲ ଗତିବିଧି ସଂପର୍କରେ ସୂଚନା ଦେଉଥିବା ନେଇ ଗମ୍ଭୀର ଅଭିଯୋଗ ଆଣି ହତ୍ୟା କରିଦେଇଥିଲେ। ପରେ ଶବକୁ ଗାଁରେ ଶେଷ ମୁଣ୍ଡରେ ଫିଙ୍ଗି ଚାଲିଯାଇଥିଲେ।

Advertisment

ତେବେ ଶବ ନିକଟରେ ଏକ ହାତ ଲେଖା ଚିଠି ମଧ୍ୟ ଛାଡିକି ଯାଇଥିଲେ। ସେଥିରେ ନବୀନ କିପରି ନକ୍ସଲ ବିରୋଧୀ କାର୍ଯ୍ୟ କରୁଛି ସେନେଇ ଲେଖାଯାଇଛି। ନବୀନ ଭଳି ଆହୁରି ପନ୍ଦର ଜଣଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିବା ନେଇ ନକ୍ସଲ ଚିଠିରେ ଉଲ୍ଲେଖ କରିଛନ୍ତି। ସେମାନଙ୍କୁ ମଧ୍ୟ ନକ୍ସଲ ଦଣ୍ଡ ଦେବ ବୋଲି ଧମକ ଦେଇଛନ୍ତି। ଆଜି ସକାଳେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଏସପି ସୁନିଲ ଶର୍ମା ପ୍ରକାଶ କରିଛନ୍ତି।