ଶିକ୍ଷକ ନିଯୁକ୍ତି ଦାବି ନେଇ ସ୍କୁଲ ଗେଟରେ ତାଲା ଝୁଲାଇଲେ ଗାଁ ଲୋକେ, ପାଠ ନ ପଢ଼ି ଘରକୁ ଫେରିଗଲେ ଛାତ୍ରଛାତ୍ରୀ

ଦେଓଗାଁ: ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ସ୍ୱତ୍ତ୍ୱେ ପୁଣି ଜଣେ ଶିକ୍ଷକକୁ ବଦଳି କରିବାକୁ ବିରୋଧ କରି ସ୍କୁଲ ଗେଟରେ ତଲା ଝୁଲାଇ ଦେଇ ଧାରଣାରେ ବସି ଆନ୍ଦୋଳନ କରିଛନ୍ତି ଗାଁ ଲୋକଙ୍କ ସହ ଛାତ୍ର-ଛାତ୍ରୀ । ଏମିତି ଏକ ଘଟଣା ଦେଖିବା ମିଳିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ କଛାରପାଲି ଗାଁ ରେ।

ଦେଓଗାଁ ପାଞ୍ଚାୟତ ଅଧୀନରେ ଥିବା କଛାରପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୭୧ଜଣ ଛାତ୍ରଛାତ୍ରୀ ଥିବା ବେଳେ ୮ ଟି ଶ୍ରେଣୀକୁ ୪ଜଣ ଶିକ୍ଷକ ରହିଛନ୍ତି। ଏଠାରେ କାର୍ଯ୍ୟ କରୁଥିବା ଦୁଇ ଜଣ ଶିକ୍ଷକ ବିଶୃଙ୍ଖଳା ଆଚରଣ କରିବାରୁ ଗାଁ ଲୋକଙ୍କ ସହ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା। ଫଳରେ ଶିକ୍ଷାବିଭାଗ ଦୁଇଜଣ ଶିକ୍ଷକ ଅଜିତ ବାରିକ ଓ ମୋହନ ଦଲାଇକୁ ଅନ୍ୟତ୍ର ବଦଳି କରି ଶାନ୍ତି ପରିବେଶ ଆସିଥିଲା। ତେବେ ଗାଁ ଲୋକେ ବାରମ୍ବାର ଶିକ୍ଷକ ଦେବାକୁ ନେଇ ଦାବି କରୁଥିଲେ ବି ବ୍ଳକ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ୧୦ ଟାରୁ ତାଲା ଦେଇ ଧାରଣାରେ ବସିଥିଲେ। ଶିକ୍ଷକ ଅଭାବ ପୂରଣ ନ ହେବା ପର୍ଯ୍ୟନ୍ତ ତାଲା ବନ୍ଦ ଆନ୍ଦୋଳନ ଚାଲୁରହିବ ବୋଲି ଆନ୍ଦୋଳନ କାରୀମାନେ ସୂଚନା ଦେଇଛନ୍ତି। ଗେଟ ଆଗରେ ଦିନ ୧୧ଟା ପର୍ଯ୍ୟନ୍ତ ତାଲା ଦେଇ ବସିଥିଲେ ବି ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଶିକ୍ଷା ଅଧିକାରୀ ଆସୁଥିବା ନ ଥିବାରୁ ଲୋକଙ୍କ ମଧ୍ୟରେ ଅଶାନ୍ତି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶିକ୍ଷା ବିଭାଗର କୌଣସି ଅଧିକାରୀ ନ ଆସିବାରୁ ଗାଁ ଲୋକେତାଲା ବନ୍ଦ ଆନ୍ଦୋଳନ ଜାରି ରଖିଥିବା ବେଳେ ପାଠ ନ ପଢି ଛାତ୍ର ଛାତ୍ରୀ ଘରକୁ ଫେରିଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର