ହାଟଡିହି: ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତା ଧୋଇଗଲା। ମରାପତି ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଶେଷରେ ହାଟଡିହି ବ୍ଲକ୍ କଅଁଳେଇ ବାଲିପାଳ ପଞ୍ଚାୟତର କେ. ବାଲିପାଳ, ମୟୂରନଚା ଓ ଭଅଁରା ଗ୍ରାମବାସୀ ନିଜେ ଶ୍ରମଦାନ କରି ରାସ୍ତା ମରାମତି କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଶରତଠାରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରକୁ ସଂଯୋଗ କରିଥିବା ରାସ୍ତା ଉପରେ କଅଁଳେଇ ବାଲିପାଳ ପଞ୍ଚାୟତବାସୀ ନିର୍ଭର କରୁଛନ୍ତି। ଲଘୁଚାପ ଜନିତ ଲଗାଣବର୍ଷାରେ ଏହି ରାସ୍ତାଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ଫଳରେ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଥିଲା। ରୋଗୀଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଆଣିବାରେ ଅସୁବିଧା ହେଉଥିଲା। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ମୟୂରନଚା, ଭଅଁରା ଓ କେ. ବାଲିପାଳ ଗ୍ରାମବାସୀ ଏକାଠି ହୋଇ ରାସ୍ତା ନିର୍ମାଣ କରିଛନ୍ତି।
ଏହି ପଞ୍ଚାୟତରେ କେବଳ ରାସ୍ତା ନୁହେଁ ଅନ୍ୟାନ୍ୟ ସମସ୍ୟା ମଧ୍ୟ ରହିଛି। ଅନ୍ୟ ପଞ୍ଚାୟତ ମୁଖ୍ୟାଳୟକୁ ପକ୍କାରାସ୍ତା ଥିବାବେଳେ କେ. ବାଲିପାଳ ପଞ୍ଚାୟତକୁ ଭଲ ମାଟି ରାସ୍ତାଟିଏ ମଧ୍ୟ ନାହିଁ। ପାନୀୟଜଳ ଓ ବିଜୁଳି ପଞ୍ଚାୟତବାସୀଙ୍କ ପାଇଁ ସାତସପନ। ୧୫୦ରୁ ଊର୍ଦ୍ଧ୍ବ ହିତାଧିକାରୀ ଗତ ତିନିମାସର ରାସନ ସାମଗ୍ରୀ ମଧ୍ୟ ପାଇନଥିବା ଅଭିଯୋଗ କରିଛନ୍ତି। ଏନେଇ ଗତ ଅଗଷ୍ଟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ରାସନ୍ ସାମଗ୍ରୀ ନ ମିଳିଲେ ବ୍ଲକ୍ ଘେରାଉ କରାଯିବ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି। ଜଙ୍ଗଲ ମଧ୍ୟରେ ଥିବା ଏହି ଗ୍ରାମ ଗୁଡ଼ିକରେ ଉନ୍ନତିମୂଳକ କାମ ପାଇଁ ବ୍ଲକ୍ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ଗ୍ରାମସଭାରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ବ୍ଲକ୍କୁ ଦିଆଯାଉଥିଲେ ମଧ୍ୟ ତାହା ଉପଖଣ୍ଡସ୍ତରୀୟ କମିଟିକୁ ପଠାଯାଉ ନାହିଁ ବୋଲି ପଞ୍ଚାୟତବାସୀ କହିଛନ୍ତି। ବ୍ଲକ୍ ପ୍ରଶାସନ ଏହି ପଞ୍ଚାୟତକୁ ସବୁବେଳେ ଅବହେଳା କରିଆସୁଛନ୍ତି ବୋଲି ବୁଦ୍ଧିରାମ ପୂର୍ତ୍ତି, ରାଉତ ହୋ, ଗୋରା ହୋ, ନାରଣ ହୋ, ଜୁରେ ପୂର୍ତ୍ତି, ସାଧ ହୋ, ଶ୍ରୀରାମ ପୂର୍ତ୍ତି, ମକୁତା ବଦ୍ରା, ମନ୍ୟା ସୋରେନ, ବସ୍କି ପିଙ୍ଗୁଆ, ସୁନେଇ ପୂର୍ତ୍ତି, ସୂର୍ଯ୍ୟ ହେମ୍ବ୍ରମ, ସିଙ୍ଗିରାଇ ପୂର୍ତ୍ତି, ମମତା ପୂର୍ତ୍ତି, ବରଜୁ ହେମ୍ବ୍ରମ, ନିଶିକାନ୍ତ ନାଇକ, ପ୍ରଫୁଲ୍ଲ କୁମାର ନାଇକ, ଦିବାକର ସାୟାଁ ପ୍ରମୁଖ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/3c1029a3-3738-49ae-bfb9-f177761602d0.jpg)