ଜାମକାନି କୋଇଲା ଖଣି ଜନଶୁଣାଣିକୁ ଆସିଲେନି ଗ୍ରାମବାସୀ, କ୍ଷେତ୍ର ଦେଖି ଫେରିଲେ ଅଧିକାରୀ

ସୁନ୍ଦରଗଡ଼: ପଞ୍ଚମ ଅନୁସୂଚୀ ଅଞ୍ଚଳ ହୋଇଥିବାରୁ ପ୍ରଥମେ ଗ୍ରାମସଭାର ସହମତି ନିଅ ଓ ପରେ ଜମି ଅଧିଗ୍ରହଣ କି ଅନ୍ୟ କୌଣସି ଜନଶୁଣାଣି କର। ହେମଗିର ବ୍ଲକ୍ ଝାରପଲମ ପଞ୍ଚାୟତରେ ଆସୁଥିବା ବେଦାନ୍ତର ଜାମକାନି କୋଇଲା ଖଣି ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ଜନଶୁଣାଣି ପାଇଁ ଜାରି କରିଥିବା ନୋଟିସ ପରିପ୍ରେକ୍ଷିରେ ଏହି ଦାବି ଉଠାଇଥିଲେ ବିସ୍ଥାପିତ ଗାଁ ଲୋକେ। ଏହା ସହ ଜନଶୁଣାଣିକୁ ସ୍ଥଗିତ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଲୋକଙ୍କ ଦାବିକୁ ନଶୁଣି ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ, ବୁଧବାର ଜନଶୁଣାଣି କରିବାକୁ ପହଞ୍ଚିଥିଲା ପ୍ରଶାସନ। ହେଲେ ବିସ୍ଥାପିତ ଗାଁ ଜାମକାନି, ଗିରିସୀମା, ଝାରପଲମ ଗାଁ ଲୋକେ ସଭାକୁ ଆସି ନଥିଲେ। ପେସା ଅଞ୍ଚଳରେ ଜମି ଅଧିଗ୍ରହଣ ପାଇଁ ଥିବା ଆଇନକୁ ଅଣଦେଖା କରି ପ୍ରଶାସନ ନିଜ ମନମର୍ଜିରେ ଲୋକଙ୍କୁ ବିସ୍ଥାପିତ କରିବାକୁ ଚାହୁଥିବା ଅଭିଯୋଗ କରି ଲୋକେ ଜନଶୁଣାଣିକୁ ବର୍ଜନ କରିଥିବା ପ୍ରକାଶ ପାଇଛି।

ବେଦାନ୍ତର ଜାମକାନି କୋଇଲା ଖଣି ପ୍ରକଳ୍ପ ପାଇଁ ୮ ତାରିଖରେ ହେମଗିର ବ୍ଲକ୍ ଝାରପଲମ ପଞ୍ଚାୟତ ଅନ୍ତର୍ଗତ ଜାମକାନି ପ୍ରାଥମିକ ବିଦ୍ୟାଳୟରେ ଜନଶୁଣାଣି କରିବାକୁ ପ୍ରଶାସନ ସ୍ଥିର କରିଥିଲା। ଏଥିପାଇଁ ସକାଳୁ ବିଦ୍ୟାଳୟ ପରିସରରେ ଟେଣ୍ଟ ଓ ଚୌକି ପଡ଼ିଥିଲା। ନିର୍ଦ୍ଧାରିତ ସମୟରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ହେମଗିର ତହସିଲଦାର ଭିକ୍ଟୋରିଆ ଟପ୍ପୋ, ସଦର ଉପଖଣ୍ଡ ପୁଲିସ ଅଧିକାରୀ ମଧୁସିକ୍ତା ମିଶ୍ର, ହେମଗିରି ଥାନା ଅଧିକାରୀ ରମାକାନ୍ତ ସାଏ, ହେମଗିର ପଞ୍ଚାୟତସମିତି ଅଧକ୍ଷ ପ୍ରେମାନନ୍ଦ ସା ପ୍ରମୁଖ ପୁଲିସ ଟିମ୍ ସହ ସଭାସ୍ଥଳରେ ପହଞ୍ଚିଥିଲେ। ଅପରାହ୍ନ ୨ଟା ଯାଏ ସେଠାରେ ଅପେକ୍ଷା କରିଥିଲେ ମଧ୍ୟ ୩ ଗାଁରୁ କେହି ଜଣେ ବି ଜନଶୁଣାଣି ସଭାକୁ ଆସି ନଥିଲେ। ପରେ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଫେରି ଯାଇଥିଲେ। ଲୋକଙ୍କ ଅଭିଯୋଗ ହେଲା, ପୂର୍ବରୁ ଭୂଷଣ ପାୱାର କମ୍ପାନିକୁ ଜାମକାନି କୋଇଲା ଖଣି ପ୍ରକଳ୍ପ ଆବଣ୍ଟିତ ହୋଇଥିଲା। ଏଥିରେ ଝାରପଲମ ପଞ୍ଚାୟତର ଜାମକାନି, ଗିରିସୀମା, ଝାରପଲମ, ମେଣ୍ଡ୍ରା ଗାଁରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ସେତେବେଳେ ମଧ୍ୟ ଗ୍ରାମସଭା ହୋଇ ନଥିବା ଅଭିଯୋଗ ରହିଛି। ତଥାପି ଲୋକେ ଜମି ଓ ଘରବାଡ଼ିର କ୍ଷତିପୂରଣ ମଧ୍ୟ ପାଇଥିଲେ। ଏପରିକି ମେଣ୍ଡ୍ରା ଗାଁ ବିସ୍ଥାପିତ ହୋଇ ଅନ୍ୟତ୍ର ଚାଲି ଯାଇଥିଲେ।

ତେବେ ୨୦୧୪ରେ କୋଇଲା ଖଣି ଆବଣ୍ଟନ ଦୁର୍ନୀତିକ୍ରମେ ସୁପ୍ରିମକୋର୍ଟ ଦେଶର ୨୧୪ଟି କୋଇଲା ଖଣି ସହ ଭୂଷଣର ଜାମକାନି ଖଣିକୁ ରଦ୍ଦ କରି ଦେଇଥିଲେ। ଏହା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଭୂଷଣ ପାୱାରକୁ ଆଉ ଜାମକାନି କୋଇଲା ଖଣି ନମିଳିବାରୁ ସେ ଇଡକୋକୁ ଅଧିଗ୍ରହଣ ହୋଇଥିବା ଜମିକୁ ହସ୍ତାନ୍ତର କରି ଚାଲି ଯାଇଥିଲା। ଏବେ ଜାମକାନି କୋଇଲା ଖଣି ବେଦାନ୍ତ ପାଇଛି। କିନ୍ତୁ ବେଦାନ୍ତ ପାଇଁ ଗ୍ରାମସଭା ହୋଇ ନଥିବା ଓ ପଞ୍ଚମ ଅନୁସୂଚୀ ଅଞ୍ଚଳ ଭାବେ ଏହା ଅପରିହାର୍ଯ୍ୟ ଥିବାରୁ ପ୍ରଥମେ ଗ୍ରାମସଭା, ପରେ ଅନ୍ୟ ଶୁଣାଣି ବୈଠକ କରିବାକୁ ଲୋକେ ଯୁକ୍ତି ବାଢ଼ିଛନ୍ତି। ଏହା ଛଡ଼ା ବେଦାନ୍ତକୁ ଇଡକୋ କେଉଁ ଆଧାରରେ ଜାମକାନି କୋଇଲା ଖଣି ପାଇଁ ଜମି ହସ୍ତାନ୍ତର କରିଛି, ସେ ସମ୍ପର୍କିତ ସମସ୍ତ ନଥିପତ୍ର ୭ ଦିନ ମଧ୍ୟରେ ବିସ୍ଥାପିତଙ୍କ ଅବଗତି ନିମନ୍ତେ ଦେବାକୁ ଦାବି କରି ଜନଶୁଣାଣିକୁ ବର୍ଜନ କରିଛନ୍ତି। ଏସ୍ଥିତିରେ ପ୍ରଶାସନ ଆଗକୁ କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର