ଝରିଗାଁ: ନବରଙ୍ଗପୁର ଜିଲ୍ଲାରେ ସୋମବାର ଭୋଟ ଗ୍ରହଣ ଚାଲିଥିବା ବେଳେ ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁହୁରାକୋଟ ଗ୍ରାମବାସୀ ରାଜସ୍ୱ ଗ୍ରାମ ମାନ୍ୟତା ଦାବି ନେଇ ଭୋଟ ବର୍ଜନ କରିଛନ୍ତି। ପ୍ରଶାସନ ଅଧିକାରୀ ଏବଂ ଲୋକ ପ୍ରତିନିଧିମାନେ ବୁଝାସୁଝା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

Advertisment

ସୂଚନା ପ୍ରକାରେ କୁହୁରାକୋଟ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଗ୍ରାମବାସୀ ଦୀର୍ଘ ବର୍ଷ ଧରି ଦାବି କରି ଆସୁଛନ୍ତି। କିନ୍ତୁ ଦୁଇ ଶହ ବର୍ଷ ପୁରୁଣା କୁହୁରାକୋଟ ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାଜସ୍ୱ ଗ୍ରାମ ମାନ୍ୟତା ପ୍ରଦାନ କରାଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ଲିଖିତ ଭାବେ ଦାବି କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ତେବେ ଭୋଟ ବର୍ଜନ କରିବା ଖବର ପ୍ରସାର ହେବା ପରେ ସ୍ଥାନୀୟ ତହସିଲଦାର ଶଙ୍କର ପଟ୍ଟନାୟକ ଏବଂ ଜୋନାଲ ମାଜିଷ୍ଟେଡ଼ ଜି ଭେଙ୍କେଟ ରେଡି ସହ ଝରିଗାଁ ପୁଲିସ ପ୍ରମୁଖ ଆଜି ଦିନ ତମାମ ଗ୍ରାମବାସୀଙ୍କୁ ବୁଝାସୁଝା କରି ତିନି ମାସ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ଏପରିକି ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ ଫୋନ ଯୋଗେ ଗ୍ରାମବାସୀଙ୍କୁ କଥା ହେବା ପାଇଁ କହିବା ପରେ ମଧ୍ୟ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ।ଜିଲ୍ଲାପାଳ ଏଠାରେ ଆସି ରାଜସ୍ୱ ଗ୍ରାମର ମାନ୍ୟତା ପାଇଁ ଲିଖିତ ଭାବେ ଦେବା ପାଇଁ କହିଥିଲେ। ପରେ ଜିଜେଡି ସାଂସଦ ପ୍ରତିନିଧି ପ୍ରଦୀପ ମାଝୀ ଏବଂ ବିଜେପି ବିଧାୟକ ପ୍ରତିନିଧି ନରସିଂହ ଭତ୍ରା ମଧ୍ୟ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ଗ୍ରାମବାସୀ ଭୋଟ ଦେବା ପାଇଁ ସିଧା ସଳଖ ମନା କରିଦେଇଥିଲେ।ପରେ ଦୁଇ ଲୋକ ପ୍ରତିନିଧି ଫେରି ଆସିଥିଲେ।

ଏଠାରେ ପ୍ରକାଶ ଯେ କୁହୁରାକୋଟ ଗ୍ରାମର ୨୧୪ ନମ୍ବର ବୁଥରେ ମୋଟ ୧୦୧୭ ଜଣ ଭୋଟର ରହିଥିବା ବେଳେ ମହିଳା ଭୋଟର ସଂଖ୍ୟା ୫୧୭ ଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୪୯୬ ଅଟେ।