ଗୋଚର ଜମିରେ ବନ ବିଭାଗ କାର୍ଯ୍ୟାଳୟ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତହସିଲ ଅଧୀନ ପୂରଣପଧାନ ମୌଜାର ପଞ୍ଚାୟତରୋଡ଼ ନିକଟରେ ସଂରକ୍ଷିତ ଗୋଚର ଜମିରେ ବାଲିପାଟଣା ଫରେଷ୍ଟରେଞ୍ଜ କାର୍ଯ୍ୟାଳୟ ନିର୍ମାଣକୁ ସ୍ଥାନୀୟ ଲୋକ ଦୃଢ଼ ବିରୋଧ କରିଛନ୍ତି। ଆଜି ପୂର୍ବାହ୍ନରେ ଉକ୍ତ ଗୋଚର ଜମିରେ ଜେସିବି ଲଗାଇ ନିଅଁ ଖୋଳା ଚାଲିଥିବା ବେଳେ ଗ୍ରାମବାସୀ ପହଞ୍ଚି କାମ ବନ୍ଦନେଇ ବିରୋଧ କରିଥିଲେ।

ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ନିଅଁ ଖୋଳା ଚାଲିଥିଲା। ହେଲେ ଗ୍ରାମବାସୀ ବିରୋଧ କରିଥିଲେ ମଧ୍ୟ କାମ ବନ୍ଦ କରାନଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକ ଏସଂପର୍କରେ ଥାନାକୁ ଫୋନ କରି ଜଣାଇଥିଲେ ମଧ୍ୟ ପୁଲିସ ନପହଞ୍ଚିବା ନେଇ ଅସନ୍ତୋଷ ଦେଖାଦେଇଥିଲା। ସୂଚନା ଅନୁସାରେ ବାଳକାଟି କଲେଜରୋଡ଼ ନିକଟରେ ଥିବା ବନ ବିଭାଗ କାର୍ଯ୍ୟାଳୟ ପଞ୍ଚାୟତରୋଡ଼ ନିକଟକୁ ସ୍ଥାନାନ୍ତର କରାଯିବା ନେଇ ସ୍ଥିର ହୋଇଛି। ତେଣୁ ୨୦୨୦/୨୧ ଆର୍ଥିକ ବର୍ଷରେ ଉକ୍ତ ସ୍ଥାନରେ ନୂତନ ଭାବେ କାର୍ଯ୍ୟାଳୟ ନିର୍ମାଣ ନେଇ କେନ୍ଦ୍ରୀୟ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ମଂଜୁର କରାଯାଇଛି।

କର୍ମଚାରୀଙ୍କ କ୍ବାର୍ଟର ମଧ୍ୟ ନିର୍ମାଣ କରାଯିବା ନେଇ ମଧ୍ୟ ଅନୁଦାନ ଅର୍ଥ ମଞ୍ଜୁର କରାଯାଇଛି।ଅନ୍ୟପକ୍ଷରେ ୩ ଏକର ପରିମିତି ଉକ୍ତ ଗୋଚରରେ ପୂରଣପଧାନ ଗ୍ରାମର ଗୋରୁଗାଈମାନେ ଚରାବୁଲା କରନ୍ତି। ତେଣୁ ଗ୍ରାମବାସୀମାନେ କୌଣସି ପରସ୍ଥିତିରେ ସେଠାରେ କାର୍ଯ୍ୟାଳୟ ଏବଂ କ୍ବାର୍ଟର ନିର୍ମାଣ କରାଇଦେବେ ନାହିଁ କହି ବିରୋଧ କରିଥିଲେ। ଏସଂପର୍କରେ ସ୍ଥାନୀୟ ଲୋକ ତହସିଲଦାର , ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅନ୍ୟତ୍ର ସଂରକ୍ଷିତ ଜମିରେ କାର୍ଯ୍ୟାଳୟ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ଏବଂ ତହସିଲ ପ୍ରଶାସନ କାର୍ଯ୍ୟାଳୟ ନିର୍ମାଣ ଲାଗି ଅନୁମତି ଦେଇଥିବା ରେଞ୍ଜ ଅଫିସର ଜୟକୃଷ୍ଣ ଯଦୁମଣି ଦାସ କହିଛନ୍ତି।

ସମ୍ବନ୍ଧିତ ଖବର