ସତ୍ୟଭାମାପୁର ହାଇସ୍କୁଲ ସମ୍ମୁଖରେ ଧାନଖଳା ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ

କଂକ୍ରିଟ ପ୍ଲିନ୍ଥ ଓ ଦୋଳମଣ୍ଡପ ଭଙ୍ଗାରୁଜା , ଗ୍ରାମରେ ପୁଲିସ ମୁତୟନ

ବାଲିଅନ୍ତା: ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଧାନଖଳା ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ଲୋକ ଦୃଢ଼ ବିରୋଧ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସ୍କୁଲ ଆଗରେ ଧାନଖଳା ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଥିଲେ। ହେଲେ ଠିକାଦାର କିଛି ଶୁଣିନଥିଲେ। ଦାୟିତ୍ବରେ ଥିବା ବ୍ଲକ କର୍ତୃପକ୍ଷ ମଧ୍ୟ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ପ୍ରତିବାଦରେ ଆଜି ପୂର୍ବାହ୍ନରେ ୪ ନମ୍ବର ଓ ୫ ନମ୍ବର ୱାର୍ଡ଼ର ଶତାଧିକ ଲୋକ ହାତରେ ଶାବଳ, କୋଡ଼ି ଓ କୋଦାଳ ଧରି ନିର୍ମାଣାଧୀନ ଖଳାକାର୍ଯ୍ୟର ପ୍ଲନ୍ଥକୁ ଭାଙ୍ଗି ଦେଇଥିଲେ। କୌଣସି ପରିସ୍ଥିତିରେ ସ୍କୁଲ ଆଗରେ ଧାନଖଳା ନିର୍ମାଣ କରାଇ ଦେବେନାହିଁ ବୋଲି କହି ଗଣ୍ଡଗୋଳ କରିଥିଲେ।

ଏନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ହେଲେ ବଡ଼ କଥା ହେଉଛି, ସେତେବେଳକୁ ୨୦ ଫୁଟ ଚଉଡ଼ା ଓ ୨୦ ଫୁଟ ଲମ୍ବରେ ଚାରିପଟରେ ନିର୍ମିତ କଂକ୍ରିଟ ପ୍ଲିନ୍ଥକୁ ଲୋକମାନେ ତାଡ଼ି ଭାଙ୍ଗି ଦେଇଥିଲେ। ଗଣ୍ଡଗୋଳ ଆଶଙ୍କାରେ ପୁଲିସ ମୁତୟନ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ ସତ୍ୟଭାମାପୁର ସ୍କୁଲ ଆଗରେ ଥିବା ୩ ଏକର ପରିମିତ ଗୋଚର ଓ ଅନାବାଦୀ କିସମ ଜମି ମଧ୍ୟରୁ ଅଧିକାଶ ଅଂଶକୁ ଜବରଦଖଲକାରୀ ପ୍ରତିଷ୍ଠିତ ବ୍ୟକ୍ତି କରାୟତ୍ତ କରି ନେଇଛନ୍ତି। ଆଉ କିଛି ଅଂଶ ବିଲଡର କବଜା କରି ନେଲେଣି। ପାଖାପାଖି ଆଉ ୧ ଏକର ପରିମିତ ସଂରକ୍ଷିତ ଜମିର ଦୁଇ ପାର୍ଶ୍ବରେ ୨୨ଟି ଦୋଳମଣ୍ଡପ ନିର୍ମାଣ ହୋଇଥିଲା। ଦୋଳ ମେଲଣ ବେଳେ ବିମାନ ସ୍ଥାପନ କରାଯାଉଥିଲା। ସେହିପରି ସ୍କୁଲ ସମ୍ମୁଖ ଭାଗରେ ୨୦୨୦/ ୨୧ ଆର୍ଥିକ ବର୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ୭ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟରେ ଖଳା ନିର୍ମାଣ ଚାଲିଥିଲା।

ଦୀର୍ଘ ୫୦ ବର୍ଷ ଧରି ପିଲାଙ୍କ ଖେଳପଡ଼ିଆରେ ଧାନଖଳା ନିର୍ମାଣ କରାଗଲେ ପିଲାଙ୍କ ଖେଳକୁଦରେ ସମସ୍ୟା ସୃଷ୍ଟି ଉପୁଜିବ। ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନାରେ ସମସ୍ୟ‌ା ସୃଷ୍ଟି ହେବ। ଧାନଖଳା ନିର୍ମାଣ କରାଗଲେ ସ୍କୁଲ ପରିବେଶ ଦୁଷିତ ହେବ ଭଳି କାରଣ ଉଲ୍ଲେକ କରି ଗ୍ରାମବାସୀ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦପ୍ତରରେ ଅଭିଯୋଗ କରିଥିଲେ। ହେଲେ କେହି କିଛି ନଶୁଣିବାରୁ ଶେ‌ଷରେ ଗ୍ରାମବାସୀମାନେ ଆଜି ସକାଳେ ଏକଜୁଟ ହୋଇ ଭଙ୍ଗାରୁଜା କରିଥିଲେ। ଏନେଇ ଠିକାଦାର ଓ ଗ୍ରାମବାସୀଙ୍କ ପକ୍ଷରୁ ବାଲିଅନ୍ତା ଥାନାରେ ପୃଥକ ପୃଥକ ଅଭିଯୋଗ କରାଯାଇଛି। ଧାନଖଳା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ ନକଲେ ଛାତ୍ରଛାତ୍ରୀଙ୍କୁ ନେଇ ଅଭିଭାବକ ସଂଘ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବ ବୋଲି ଚେତାବନୀ ଦେଇଛି। ସତ୍ୟଭାମାପୁର ସମିତି ସଭ୍ୟ ସନତ କୁମାର ସ୍ବାଇଁଙ୍କ ସମେତ ୪ ନମ୍ବର ୱାର୍ଡ଼ସଭ୍ୟ ବିଶ୍ବନାଥ ଭୋଇ ଓ ୫ ନମ୍ବର ୱାର୍ଡ଼ ସଭ୍ୟା ଶାନ୍ତିଲତା ବେହେରା ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର