କାରଖାନା ବର୍ଜ୍ୟରେ ଟପରିଆ ରାସ୍ତା ମରାମତି, ଗାଁ ଲୋକଙ୍କ ବିରୋଧ

ସୁନ୍ଦରଗଡ଼: ହାଇକୋର୍ଟଙ୍କ ଆଦେଶକ୍ରମେ ଜିଲ୍ଲାପାଳ ବାଙ୍କିବାହାଲ-ଟପରିଆ ଗାଁ ରାସ୍ତାରେ କୋଇଲା, ଲୁହାପଥର ଓ ଅନ୍ୟ ଖଣିଜ ଦ୍ରବ୍ୟ ପରିବହନକୁ ସର୍ତ୍ତମୂଳକ ଅନୁମତି ଦେଇଥିଲେ। ରାସ୍ତାରେ ସକାଳ ୬ରୁ ଅପରାହ୍ନ ୧ଟା ଯାଏ ସମସ୍ତ ଭାରୀଯାନ, ମଲ୍ଟି ଏକ୍ସେଲ ଚଳାଚଳ ବନ୍ଦ, ଭାରୀ ଯାନଗୁଡ଼ିକ ୨୦ କିଲୋମିଟର ବେଗରେ ପରସ୍ପର ଶହେ ମିଟର ବ୍ୟବଧାନରେ ରହି ଯାତାୟତ, ରାସ୍ତାରେ ୨୪ ଘଣ୍ଟିଆ ପାଣି ସିଞ୍ଚନ କରି ଗାଡ଼ି ଚଳାଚଳଜନିତ ଧୂଳିଧୂଆଁକୁ ପ୍ରଶମିତ କରିବା, ଗାଡ଼ିର ଗତି ନିୟନ୍ତ୍ରଣ ପାଇଁ ପ୍ରତି ଗାଁରେ ୱାଚ୍ ଗାର୍ଡ ମୁତୟନ, ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବାକୁ ଜିଲ୍ଲାପାଳଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ। ତନ୍ମଧ୍ୟରେ ପ୍ରଭାବିତ ରାସ୍ତାକୁ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମରେ ମରାମତି କରିବାକୁ ଜିନ୍ଦଲକୁ ନିର୍ଦ୍ଦେଶ ଥିଲା।

ଏବେ କମ୍ପାନି ବେଲପାହାଡ଼ ଏବିଆଇ ଠିକାସଂସ୍ଥା ଦ୍ବାରା ମରାମତି ଚଲାଇଛି। କିନ୍ତୁ ମରାମତି ନାମରେ କାରଖାନାର ବର୍ଜ୍ୟଗୁଣ୍ଡ (ଡଷ୍ଟ) ପକାଉଥିବା ଦେଖାଯାଇଛି। ଗାଁ ମଧ୍ୟରେ ମେଟାଲ ଓ ବର୍ଜ୍ୟଗୁଣ୍ଡ ପକାଇ ରାସ୍ତାକୁ ଉଚ୍ଚ କରାଯାଉଥିବାରୁ ରାସ୍ତାର ପାଣି ଘର ଓ ଦୋକାନ ଭିତରକୁ ପଶିବାର ଆଶଙ୍କା ରହିଛି। ଯାହାକୁ ଜନଶକ୍ତି ବିକାଶ ପରିଷଦ ବିରୋଧ କରିଛି। କିଛି ଦିନ ତଳେ ରତନପୁରରେ ଏପରି ବର୍ଜ୍ୟ ଗଦା କରୁଥିବା ଦେଖି ପରିଷଦ ସଭାପତି ଓ ସଭ୍ୟମାନେ ସେଠାକୁ ଯାଇ ବିରୋଧ କରିଥିଲେ। ବର୍ଜ୍ୟଗୁଣ୍ଡ ପ୍ରଦୂଷଣର ମାତ୍ର ବଢ଼ାଇବ ବୋଲି ଅଭିଯୋଗ କରି କାମ ବନ୍ଦ କରି ଦେଇଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ଠିକ୍ ଭାବେ ମରାମତି କାମ କରିବାକୁ ଦାବି ଜଣାଇଥିଲେ। ଏହା ପରେ କମ୍ପାନି ବର୍ଜ୍ୟଗୁଣ୍ଡ ପକାଇବା ବନ୍ଦ କରିଥିଲା। କିନ୍ତୁ କିଛି ଦିନ ଅନ୍ତରରେ ପୁଣି କନ୍ଦାଧୁଡ଼ା, ବିଲେଇମୁଣ୍ଡା, ଟପରିଆରେ ବର୍ଜ୍ୟଗୁଣ୍ଡ ପକାଇ ମରାମତି ଚଲାଇଥିବା ସମ୍ପୃକ୍ତ ଗାଁ ଲୋକେ ଅଭିଯୋଗ କରିଛନ୍ତି। ବିରୋଧ ସତ୍ତ୍ବେ ଠିକା ସଂସ୍ଥା କାହା କଥା ଶୁଣୁ ନଥିବା ପ୍ରକାଶ ପାଇଛି। ଯାହା ପ୍ରଭାତବିତ ଗାଁ ଲୋକଙ୍କୁ ଅସନ୍ତୁଷ୍ଟ କରିଛି। ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଠିକ୍ ମାନର ମରାମତି କରାଇବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର