ଜୟପୁର: ଦେଶ ସ୍ୱାଧିନତାର ଆଉ କେତେ ବର୍ଷ ପରେ ଆମେ ଆମ ମୌଳିକ ସାମ୍ବିଧାନିକ ଅଧିକାର ପାଇବୁ ବୋଲି ଜୟପୁର ବ୍ଲକର ବାରିଣୀପୁଟର ଲାଟିଗୁଡା, ଛଡ଼ାପଦର, ବଢ଼ିଗୁଡା,ଡେକିଆଗୁଡା ଓ ଡାଙ୍ଗରାବେଢ଼ା ୫ଟି ଦୁର୍ଗମ ଗାଁର ଗ୍ରାମବାସୀ ବ୍ଲକ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଏହି ୫ଟି ଗାଁର ଗ୍ରାମବାସୀମାନେ ବାରିଣୀପୁଟରୁ ଜୟପୁର ବ୍ଲକ ପର୍ଯ୍ୟନ୍ତ ପଦଯାତ୍ରା କରି ବ୍ଲକ କାର୍ଯ୍ୟାଳୟକୁ ଘେରି ଧାରଣା ଦେଇଥିଲେ। ସମାଜସେବୀ ବି.ହରିରାଓଙ୍କ ନେତୃତ୍ବରେ ଏହି ୫ଗାଁର ଗ୍ରାମବାସୀ ଆସିଥିଲେ। ଏହି ପାଂଚଟି ଯାକ ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିକ ନାହିଁ । ଖାଲଖମା,ପଥୁରିଆ ରାସ୍ତାରେ ବର୍ଷ ବର୍ଷ ଧରି ଲୋକେ ଯିବାଆସିବା କରୁଥିବା କହିଛନ୍ତି ଗ୍ରାମବାସୀ। ଏହି ଚାରି ଅପହଂଚ ଗାଁକୁ ଯିବାକୁ ହେଲେ ବାଇକ୍ କିମ୍ବା ଅଟୋ ଯିବା ତ ଦୂର କଥା ସାମାନ୍ୟ ବର୍ଷା ହେଲେ ଚାଲିକି ଯିବା କଷ୍ଟକର ।

Advertisment

ସରକାର ଗ୍ରାମାଂଚଳର ବିକାଶ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରି ରାସ୍ତା ନିର୍ମାଣ କରୁଛନ୍ତି ସତ କିନ୍ତୁ ଏହି ଗାଁ ଗୁଡିକ ଭଲ ରାସ୍ତା ନାହିଁ। ରାସ୍ତା ନଥିବାରୁ ଭତ୍ତା ପାଇଁ ବୃଦ୍ଧ ଓ ବୃଦ୍ଧା, ପିଡିଏସ୍ ଚାଉଳ ନେବା ପାଇଁ ଏହି ଗାଁର ଲୋକେ ୧୦କିଲୋମିଟର ଦୂରରେ ଥିବା ବାରିଣୀପୁଟ ପଂଚାୟତ କାର୍ଯ୍ୟାଳୟକୁ ଚାଲି ଚାଲି ଯିବା ଆସିବା କରିବା ବହୁତ ମୁସ୍କିଲ ହେଉଛି। ଗର୍ଭବତୀ ମହିଳା, ଜରୁରୀ ରୋଗୀଙ୍କୁ ଭାର କିମ୍ବା ଦୋଳା କରି ଗ୍ରାମବାସୀମାନେ ବୋହି ବୋହି ତଳକୁ ଆଣିଥାନ୍ତି। ଗାଁରେ ପହଚିଂ ପାରୁ ନାହିଁ ଆମ୍ବୁଲାନସ୍ । ଲାଟିଗୁଡା ଗାଁରେ ୭୦ ,ଛଡ଼ାପଦରରେ ୪୫, ଛଡ଼ାପଦରରେ ୩୬, ଢ଼େକିଆଗୁଡା ୨୭ ଓ ଡାଙ୍ଗରାବେଡ଼ାରେ ୨୦ ପରିବାର ବସବାସ କରୁଛନ୍ତି। ସମସ୍ତେ ଅନୁସୂଚିତ ଜନଜାତି ବର୍ଗର। ଜଙ୍ଗଲଜମିରେ ଚାଷ କରିବା ସହ ଏଠାରୁ ଜାଳେଣୀ କାଠ କିମ୍ବା ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରୀ କରି ଏମାନେ ବହୁ କଷ୍ଟମଷ୍ଟରେ ନିଜ ପରିବାରର ପ୍ରତିପୋଷଣ କରି ଚଳି ଆସୁଛନ୍ତି । ଗାଁଗୁଡିକରେ ମୁନ୍ଦେ ଭଲ ପାଣି ମିଳୁନଥିବାବେଳେ ନାଳ କିମ୍ବା ଚୁଆ ପାଣିକୁ ଛାଣି ଏମାନେ ପିଉଛନ୍ତି।

ଅଙ୍ଗନୱାଡୀ କେନ୍ଦ୍ର ନଥିବା ବେଳେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପାଇଁ ବିଦ୍ୟାଳୟ ବି ନାହିଁ। ଏହି ପାଂଚ ଗାଁର ୪୦ ପିଲା ପ୍ରାକଃବିଦ୍ୟାଳୟ, ୪୫ ଜଣ ପିଲା ପ୍ରାଥମିକ ବିଦ୍ୟାଳୟ ପିଣ୍ଡା ବି ମାଡ଼ି ପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାସ୍ତା,ପାନୀୟ ଜଳଯୋଗାଣ, ଅଙ୍ଗନୱାଡୀ ଓ ସ୍କୁଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ସରପଂଚ, ବିଡିଓ, ବିଧାୟକ, ପ୍ରଶାସନ ଆଦିଙ୍କୁ ଅଭିଯୋଗ କରି କରି ଥକ୍କି ପଡ଼ିଥିବା ଏହି ଗ୍ରାମବାସୀମାନେ କହିଛନ୍ତି। ଦାବି ପୁରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଏହି ଗ୍ରାମବାସୀ ମାନେ ଚେତାବନୀ ଦେଇଥିଲେ। ବିଡିଓ ଶକ୍ତି ମହାପାତ୍ର ତଦାରଖ କରି ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ।