ବୃକ୍ଷରୋପଣକୁ ଗ୍ରାମବାସୀଙ୍କ ବିରୋଧ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ରାଇଝରଣ ଅଞ୍ଚଳରେ ନାଲକୋ କମ୍ପାନୀ ଦ୍ୱାରା ଅଧିଗୃହୀତ ଜମିରେ ବନ ବିଭାଗ ପକ୍ଷରୁ ହେଉଥିବା ବୃକ୍ଷରୋପଣକୁ ବିରୋଧ କରି ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ | ସୂଚନାଯୋଗ୍ୟ ୨୦୦୪ରେ ରାଇଝରଣ ଅଞ୍ଚଳର ଉତ୍କଳ-ଡି କୋଲବ୍ଲକକୁ କଳିଙ୍ଗ କୋଲ ମଇନ୍ସ କମ୍ପାନୀ ଓ ଉତ୍କଳ-ଇ କୋଲବ୍ଲକ ନାଲକୋ କମ୍ପାନୀକୁ ଆବଣ୍ଟନ ହୋଇଥିଲା। ୨୦୦୬ ଓ ୨୦୧୦ରେ ଜମି ହରେଇବା ଲୋକଙ୍କୁ କଳିଙ୍ଗ ଓ ନାଲକୋ କମ୍ପାନୀ ପକ୍ଷରୁ ଇଡ଼କୋ ମାଧ୍ୟମରେ ଜମିମୂଲ୍ୟ ଦିଆଯାଇଥିଲା।

୨୦୧୪ରେ ସର୍ବୋଚ୍ଚ ନ୍ୟାୟାଳୟ କୋଲବ୍ଲକ ଆବଣ୍ଟନ ବେଆଇନ ଦର୍ଶେଇ ସମସ୍ତ ଆବଣ୍ଟନ ହୋଇଥିବା କୋଲବ୍ଲକ ବାତିଲ କରିଥିଲେ। ପରବର୍ତ୍ତୀ ସମୟରେ ଗତ ଦୁଇବର୍ଷ ପୂର୍ବରୁ ଉତ୍କଳ-ଡି ଓ ଉତ୍କଳ-ଇ କୋଲବ୍ଲକ ନାଲକୋ କମ୍ପାନୀକୁ ମିଳିଛି। ଦୀର୍ଘଦିନରୁ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକଙ୍କ ନିଯୁକ୍ତି, ଥଇଥାନ ବ୍ୟବସ୍ଥା ନକରି ଉତ୍କଳ-ଡି ଓ ଉତ୍କଳ-ଇ କୋଲବ୍ଲକ ଅଧିଗୃହିତ ଜମି ସିମାନ୍ତରେ ଫରେଷ୍ଟର ପ୍ରୀତିରେଖା ଦେହୁରୀଙ୍କ ଉପସ୍ଥିତିରେ ସହକର୍ମୀଙ୍କ ଦ୍ୱାରା ବନ ବିଭାଗ ପକ୍ଷରୁ ଆଜି ଚାରାଗଛ ରୋପଣ ଓ ବାଡ଼ ଦିଆଯାଉଥିଲା।

ଏହି ସମୟରେ ଖବରପାଇ ସଭାପତି ତଅଁଳୁ ଗଡ଼ନାୟକ, ସମ୍ପାଦକ ଟୁଟୁ ଗଡ଼ନାୟକ ଓ ବାସୁଦେବ ଗଡନାୟକଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଚାରାରୋପଣକୁ ବିରୋଧ କରି ସମସ୍ତ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଖବରପାଇ ରେଞ୍ଜର ପ୍ରତାପ ଚନ୍ଦ୍ର ରାଉଳ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଅଟକ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର