ପ୍ରଶାସନ ଶୁଣିଲାନି, ରାସ୍ତା ମରାମତି କାମ ହାତକୁ ନେଲେ ଗ୍ରାମବାସୀ

ବୈପାରିଗୁଡା: ବାରମ୍ବାର ଅନୁରୋଧ ସତ୍ତ୍ବେ ପ୍ରଶାସନ ଶୁଣିଲା ନାହିଁ। ଏପରିକି, ରାସ୍ତାର ଦୁରାବସ୍ଥା ସହ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ସଂପର୍କରେ ଗତ ୨୪ ତାରିଖ ଦିନ ସମ୍ବାଦରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ତଥାପି ପ୍ରଶାସନ ଚୁପ୍ ହୋଇ ବସିରହିଲା। ଶେଷରେ ଆଜି ବାଧ୍ୟ ହୋଇ ଗ୍ରାମବାସୀମାନେ ଏକାଠି ହୋଇ ରାସ୍ତା ମରାମତି କାମ ହାତକୁ ନେଇଛନ୍ତି। ଏହି ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତର ଲିମ୍ବାଗୁଡା ଗ୍ରାମରେ। ବୈପାରିଗୁଡାଠାରୁ ମାତ୍ର ଚାରି କିଲୋମିଟର ଦୂରରେ ରହିଥିବା ଲିମ୍ବାଗୁଡା ଗ୍ରାମକୁ, ବୈପାରିଗୁଡା କୁନ୍ଦୁରା ରାସ୍ତାରୁ ପ୍ରାୟ ଦେଢ଼ କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ ବର୍ଷା ଋତୁରେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି।

ପ୍ରତିଦିନ ଲିମ୍ବାଗୁଡା ସମେତ ଆଖପାଖ ଗ୍ରାମର ଲୋକମାନେ ବିଭିନ୍ନ କାମରେ ବ୍ଲକ ସଦର ମହକୁମାକୁ ଆସିଥାନ୍ତି। ସ୍କୁଲ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ ମଧ୍ୟ ପ୍ରତିଦିନ ଯିବା ଆସିବା କରିଥାନ୍ତି। ବର୍ଷା ଋତୁରେ ଏହି ରାସ୍ତାରେ ପାଦରେ ଚାଲି ଚାଲି ଯିବା ବି କଷ୍ଟକର ହୋଇପଡ଼େ। ଆମ୍ବୁଲାନ୍ସ ପହଞ୍ଚି ନପାରିବା କାରଣରୁ ଗୁରୁତର ରୋଗୀ ତଥା ଗର୍ଭବତୀ ମହିଳାଙ୍କୁ ଡ଼ାକ୍ତରଖାନାରେ ପହଞ୍ଚାଇବା ପାଇଁ ଲୋକଙ୍କୁ ନାକେଦମ୍ ହେବାକୁ ପଡ଼ିଥାଏ।

ଏସଂପର୍କରେ ବ୍ଲକ ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୈାଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଆଜି ଗ୍ରାମବାସୀମାନେ ଏକଜୁଟ ହୋଇ ରାସ୍ତା ମରାମତି କାମ ହାତକୁ ନେଇଛନ୍ତି। ସମସ୍ତେ ମିଳିମିଶି ଶ୍ରମଦାନ କରିବା ସହ ପ୍ରଶାସନ ବିରୁଦ୍ଧରେ ଅସନ୍ତୋଷ ଝାଡିଛନ୍ତି।

ସମ୍ବନ୍ଧିତ ଖବର