ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ଅରାବଳ-ରମ୍ଭାପୁର ରାସ୍ତାର କେଲୁଅ ନଦୀରେ ନିର୍ମାଣାଧୀନ ବିଜୁସେତୁର ସଂଯୋଗ ରାସ୍ତା କାମକୁ ବନ୍ଦ କରିଦିଆଯାଇଛି। ଦାୟିତ୍ବରେ ଥିବା ଠିକାସଂସ୍ଥା କୋତପୁର ପଞ୍ଚାୟତ ଭଗବାନପୁର ଗ୍ରାମସ୍ଥିତ ଫାଣ୍ତିଘାଇ ମଠ ଜମିରୁ ମାଟିନେବା ସହିତ ଏହାକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥିଲା। ରାସ୍ତା ନିର୍ମାଣ ଶେଷରେ ମାଟି ଉଠିଥିବା ସ୍ଥାନକୁ ପୋତି ଦେବା ସହିତ ମଠଜମିରୁ ଅବ୍ୟବହୃତ ସାମଗ୍ରୀ ସବୁ ଉଠାଇ ନେବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ନିର୍ମାଣ କାର୍ଯ୍ୟ ସରିବାକୁ ବସିଥିବା ବେଳେ ଠିକାସଂସ୍ଥା ପ୍ରତିଶ୍ରୁତି ପାଳନ କରୁନାହିଁ।

Advertisment

ଏସଂପର୍କରେ ବାରମ୍ବାର ଠିକାସଂସ୍ଥାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ କାମରେ କ୍ଷତିର ଆଳ ଦେଖାଇ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲାନାହିଁ। ବାଧ୍ୟହୋଇ କେତେକ ଗ୍ରାମବାସୀ ଆଜି ପୂର୍ବାହ୍ଣରେ ରାସ୍ତା ନିର୍ମାଣକୁ ବିରୋଧ କରିବା ସହିତ କାମ ବନ୍ଦକରିଦେଇଥିଲେ। ସ୍ଥାନୀୟ ଲୋକପ୍ରତିନିଧିଙ୍କ ମାଧ୍ୟମରେ ବିବାଦର ସମାଧାନ ହେବାପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ସଂଧ୍ୟାସୁଦ୍ଧା ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କ ଦେଖା ମିଳିନଥିଲା। ଫଳରେ ଉକ୍ତ ସଂଯୋଗୀକରଣ ରାସ୍ତା ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଛି।

publive-image

ଘଟଣାରୁ ପ୍ରକାଶ ଯେ, ସ୍ଥାନୀୟ ଅରାବଳ, କୋତପୁର, କଦମପାଳ ଓ ଅରେଇକଣା ପଞ୍ଚାୟତବାସୀଙ୍କ ଗମନାଗମନରେ ସୁବିଧା ନିମନ୍ତେ ବିଜୁସେତୁ ଯୋଜନାରେ ଅରାବଳ-ରମ୍ଭାପୁର ରାସ୍ତାର କେଲୁଅ ନଦୀରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ୧୪ କୋଟି ୮୩ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨ବର୍ଷ ମଧ୍ୟରେ ସେତୁ ନିର୍ମାଣ ଶେଷ କରିବା ପାଇଁ ଜାରକାସ୍ଥିତ ଯାଜପୁର-୨ ଗ୍ରାମ୍ୟ ଉନ୍ନୟନ ବିଭାଜନ ପକ୍ଷରୁ ବିରଜା କନଷ୍ଟ୍ରକସନ୍ ନାମକ ଠିକାସଂସ୍ଥା ସହିତ ଚୁକ୍ତି ହୋଇଥିଲା। ସେତୁର ଦୈର୍ଘ୍ୟ ୧୮୪.୫ ମିଟର ଓ ପ୍ରସ୍ଥ ୭.୫ ମିଟର ରଖାଯାଇଥିଲା। ୧୦ଟି ଖୁମ୍ବ ସହିତ ସେତୁର ଉଭୟ ପାର୍ଶ୍ବରେ ସଂଯୋଗ ରାସ୍ତା ନିର୍ମାଣ କରିବାକୁ ଚୁକ୍ତିରେ ଦର୍ଶାଯାଇଥିଲା। ଗତ ୨୦୧୫ ନଭେମ୍ବର ୨ ତାରିଖରେ ଏହି ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଦାୟିତ୍ବରେ ଥିବା ଠିକାସଂସ୍ଥା ସମସ୍ତ ଖୁମ୍ବ ସହିତ ପୋଲ ନିର୍ମାଣ କାମ ସାରି ଦେଇଥିବା ବେଳେ ଜମି ଅଧିଗ୍ରହଣ ନେଇ ବିବାଦ ଉପୁଜିବାରୁ ଏହାର ଉଭୟ ପାର୍ଶ୍ବରେ ହେବାକୁ ଥିବା ସଂଯୋଗ ରାସ୍ତା ନିର୍ମାଣ କଲାନାହିଁ। ଫଳରେ ୫ବର୍ଷ ହେଲା ଏହି ସେତୁ ଅଧାପନ୍ତରିଆ ହୋଇ ପଡ଼ିଥିଲା। ପରେ ଶ୍ରମିକ ମଜୁରି ଓ ବିଭିନ୍ନ ନିର୍ମାଣ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବାରୁ ଠିକାସଂସ୍ଥା ପୂର୍ବ ଚୁକ୍ତି ଅର୍ଥରେ ସେତୁ ନିର୍ମାଣ ଶେଷ କରିବାକୁ ଅକ୍ଷମତା ପ୍ରକାଶ କରି ଅଧାରୁ କାମ ଛାଡ଼ି ଚାଲିଯାଇଥିଲା। ଏନେଇ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିଲା। ତୁରନ୍ତ ଏହି ବିବାଦର ସମାଧାନ କରାନଗଲେ ବିଜୁ ସେତୁ ସଂଯୋଗୀକରଣ ରାସ୍ତା ନିର୍ମାଣ କାର୍ଯ୍ୟ ପୁଣି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିବ ବୋଲି ଆଶଙ୍କା ପ୍ରକାଶ ପାଇଛି।