ପଞ୍ଚାୟତ ନିର୍ବାଚନ ବର୍ଜନ ଧମକ ଦେଲେ ଚାଷୀ, ୧୩ରେ ଜାତୀୟ ରାଜପଥ ଅବରୋଧ

ଯୁଯୁମୁରା : ଯୁଯୁମୁରା ବ୍ଲକର ଲିପିଣ୍ଡା, କୟାକୁଦ, ଗଡ଼ଲୋଇସିଂ ଓ କେଶାପାଲି ପଞ୍ଚାୟତର ଚାଷୀମାନେ ଆସନ୍ତା ପଞ୍ଚାୟତ ଭୋଟ୍‌ ବର୍ଜନ କରିବାକୁ ଧମକ ଦେଇଛନ୍ତି।  ଚାଷୀମାନଙ୍କୁ ୨୦୨୦ -୨୧ ଆର୍ଥିକ ବର୍ଷର ଫସଲ ବୀମା ପ୍ରଦାନ ଦାବିରେ ଚାଷୀମାନେ ଏପରି  ଚେତାବନୀ ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ ଗତ ବର୍ଷ ଏହି ସବୁ ଅଞ୍ଚଳରେ ଆଂଶିକ ମରୁଡ଼ି ଓ ଚକଡ଼ା ରୋଗପୋକ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଅଦ୍ୟାବଧି କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ରାଶି ମିଳି ନାହିଁ। ଏ ନେଇ ସେମାନେ ପରିସଂଖ୍ୟାନ ବିଭାଗ, ଯୋଜନା ବିଭାଗ, କୃଷି ବିଭାଗ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଓ ଏଡିଏମ୍ (ଜେନେରାଲ)ଙ୍କୁ ଦାବି ଜଣାଇଛନ୍ତି। ମାତ୍ର କୌଣସି ଫଳ ମିଳି ନଥିବା ସେମାନେ ଅଭିଯୋଗ କରିଛନ୍ତି।  ଅଗଷ୍ଟ ୩୦ ତାରିଖରେ ଲିପିଣ୍ଡା ପଞ୍ଚାୟତ ବେହେରେନବସା କଲ୍ୟାଣ ମଣ୍ଡପରେ ଏକ ଚାଷୀ ମେଳି ଅନୁଷ୍ଠିତ ହୋଇଥିଲା। ଏଥିରେ ୧୨ ତାରିଖ ସୁଦ୍ଧା ବୀମା ରାଶି ପ୍ରଦାନ କରିବାକୁ ଚେତାବନୀ ଦିଆଯାଇଥିଲା। ଏହାର ଏକ ଦାବିପତ୍ର ସମ୍ବଲପୁର ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ପରିସଂଖ୍ୟାନ ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ଯୁଯୁମୁରା ଥାନା ଅଧିକାରୀ, ଯୁଯୁମୁରା ବିଡିଓ, ତହସିଲଦାର ଏବଂ ବ୍ଲକ୍‌ କୃଷି ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଦାବି ପୂରଣ ନହେଲେ ୧୩ ତାରିଖରେ ଯୁଯୁମୁରାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଥିଲେ। ୧୦ ତାରିଖ ସୁଦ୍ଧା ଦାବି ପୂରଣ ବାବଦରେ କୌଣସି ସୂଚନା ନ ପାଇବାରୁ ଶୁକ୍ରବାର ପୁଣି ବେହେରାନବସା କଲ୍ୟାଣମଣ୍ଡପରେ ଚାଷୀମାନେ ମିଳିତ ବୈଠକରେ ବସିଥିଲେ। ପରବର୍ତ୍ତୀ କାର୍ଯ୍ୟପନ୍ଥା ବାବଦରେ ଏଥିରେ ଆଲୋଚନା ହୋଇଥିଲା।

ପୂର୍ବ ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରଥମେ ଜାତୀୟ ରାଜପଥ ଅବରୋଧ କରାଯିବ। ଏହା ପରେ ଦାବି ପୂରଣ କରା ନଗଲେ ଯୁଯୁମୁରା ପ୍ରଶାସନକୁ ଅଚଳ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏସବୁ ସତ୍ତ୍ବେ ପ୍ରଶାସନ କୌଣସି ପଦକ୍ଷେପ ନନେଲେ ବ୍ଲକ୍‌ର ଏହି ୪ ପଞ୍ଚାୟତର ସମସ୍ତ ଲୋକ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ସଂପୂର୍ଣ୍ଣ ବର୍ଜନ କରିବେ। ନିର୍ବାଚନରେ  ଆଦୌ ସହଯୋଗ କରିବେ ନାହିଁ। ଏପରିକି କୌଣସି ନେତା ଓ ମନ୍ତ୍ରୀଙ୍କୁ ପ୍ରଚାର ପାଇଁ ପଞ୍ଚାୟତ ମଧ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି ଚାଷୀମାନଙ୍କ ପକ୍ଷରୁ ଅଶ୍ବିନୀ କୁମୁର ଓ ପ୍ରଫୁଲ୍ଲ ମିର୍ଦ୍ଧା ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବେଦପ୍ରକାଶ ବିଶ୍ୱାଳ, ରାମଚନ୍ଦ୍ର ପ୍ରଧାନ, ପ୍ରେମାନନ୍ଦ ସାହୁ, ସୁରେନ୍ଦ୍ର ଭୋଇ, ବିଶ୍ୱରଞ୍ଜନ ପ୍ରଧାନ, ଚିତ୍ତରଂଜନ ପ୍ରଧାନ, ପ୍ରଶାନ୍ତ ପ୍ରଧାନ ଅରୁଣ ସୁମୁର୍ଥା, ନବୀନ ବିଶ୍ୱାଳ, ଓମ ପ୍ରକାଶ ବିଶ୍ୱାଳ, ଅମୂଲ୍ୟ ବାଗ, ଅବନୀ କୁମୁରାଙ୍କ ସମେତ ବହୁ ଚାଷୀ ଏଥିରେ ଯୋଗ ଦେଇ ଆସନ୍ତା ୧୨ ତାରିଖ ସୁଦ୍ଧା ବୀମା କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର