ରାଜସ୍ବ ଗ୍ରାମର ମାନ୍ୟତା ନଦେଲେ ଭୋଟ ବର୍ଜନ

ଘୁ.ଉଦୟଗିରି: ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ଥାନୀୟ ଗଟାମାହା ଗ୍ରାମକୁ ରଜସ୍ବ ଗ୍ରାମର ମାନ୍ୟତା ନଦେଲେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ତଲାପରିମାହା ପଞ୍ଚାୟତ ଅଧୀନ ଏହି ଗ୍ରାମ ପୂର୍ବରୁ ରାଜସ୍ବ ଗ୍ରାମ ଥିଲା। ଗତ ୨୦ ବର୍ଷ ତଳେ ଏହି ଗ୍ରାମକୁ ରାଜସ୍ବ ଗ୍ରାମରୁ ନିବୃତ୍ତ କରାଯାଇ ତଲାରିମାହା ରାଜସ୍ବ ଗ୍ରାମ ସହ ସାମିଲ କରାଗଲା। ବର୍ତ୍ତମାନ ଗଟାମାହା ଗ୍ରାମର ଜନସଂଖ୍ୟା ୨୫୦ ରୁ ଅଧିକ। ଗ୍ରାମରେ ଉଭୟ ଆଦିବାସୀ ଓ ପଛୁଆ ବର୍ଗର ୫୦ ରୁ ଅଧିକ ପରିବାର ବସବାସ କରୁଛନ୍ତି।

ବର୍ତ୍ତମାନ ଗଟାମାହା ଏକ ପଡ଼ାଗ୍ରାମ ହୋଇଥିବାରୁ ଉକ୍ତ ଗ୍ରାମରେ ଏପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ହୋଇପାରିନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ଗ୍ରାମର ଜନସାଧାରଣ ବଞ୍ଚିତ ହେଉଛନ୍ତି। ଏହା ବ୍ୟତିତ ପୂର୍ବରୁ ଗଟାମାହା ଗ୍ରାମ ଏକ ରାଜସ୍ବ ଗ୍ରାମ ଥିବାରୁ ସରକାରଙ୍କ ସମସ୍ତ ସରକାରୀ ପରିଚୟ ପତ୍ର ଏବଂ ଜମିଜମା ନଥିପତ୍ର ଗଟାମାହା ଗ୍ରାମ ନାମରେ ନାମିତ ହୋଇଥିଲା।

ଗତ ୧୮ ରୁ ୨୦ ବର୍ଷ ତଳେ ଗଟାମାହା ଗ୍ରାମକୁ ରାଜସ୍ବ ଗ୍ରାମରୁ ନିବୃତ୍ତ କରିବା ଦ୍ୱାରା ସରକାରୀ ପରିଚୟ ପତ୍ରରେ ନାମକରଣକୁ ଭିତ୍ତିକରି ଗ୍ରାମବାସୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘଦିନ ଧରି ଉକ୍ତ ଗଟାମାହା ଗ୍ରାମକୁ ଏକ ନୂତନ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପଞ୍ଚାୟତିରାଜ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଘୁ.ଉଦୟଗିରି ତହସିଲଦାରଙ୍କୁ ବାରମ୍ବାର ଚିଠିପତ୍ର ଲେଖି ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗଟାମାହା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିପାରି ନାହିଁ।

 

ଏହି ଦାବିକୁ କେନ୍ଦ୍ରକରି ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଗଟାମାହା ଗ୍ରାମବାସୀ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଗଟାମାହା ଗ୍ରାମକୁ ଏକ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ଗଟାମାହା ଗ୍ରାମର ସୀମା ନିର୍ଦ୍ଧାରଣ କରିବା ସହ ଆବଶ୍ୟକୀୟ ସରକାରୀ ନଥିପତ୍ର ପ୍ରସ୍ତୁତ କରିଥିଲେ। କିନ୍ତୁ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଗଟାମାହା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ନେଇ ସରକାରଙ୍କ ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ହିଁ ରହିଯାଇଛି। ଆଗାମୀ ୨୦୨୧ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଟାମାହା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ନକରିଲେ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଯଥାଶୀଘ୍ର ଗ୍ରାମବାସୀଙ୍କ ଦାବିକୁ ଗୁରୁତର ଭାବେ ବିଚାର କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର