ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଗ୍ରାମର ମିର୍ଦ୍ଧାପଡ଼ାରେ ନଳକୂପ ରହିଥିବା ବେଳେ ତାହା କାମରେ ଆସୁନଥିବା ଅଭିଯୋଗ ହୋଇଛି। ଫଳରେ ପଡ଼ାବାସୀ ବାଧ୍ୟ ହୋଇ ୩ କିଲୋମିଟର ଦୂର ପତ୍ରଫଡ଼ି ନିକଟକୁ ଯାଇ ନଳକୂପରୁ ପାଣି ଆଣୁଥିବା ଦେଖାଯାଇଛି। ପ୍ରକାଶ ଯେ, ଗାଁର ମିର୍ଦ୍ଧାପଡ଼ାରେ ୨୦୧୭–୧୮ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟରେ ଏକ ନଳକୂପ ଓ ମୋଟର ଲଗାଯାଇ ପିଇବା ପାଣି ଯୋଗାଇ ଦିଆଯାଇଥିଲା। ହେଲେ ଗତ ୩ ମାସରୁ ଅଧିକ ସମୟ ହେବ ତାହା ଅଚଳ ପଡ଼ି ରହିଛି। ଏନେଇ ପଡ଼ାବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ।
ଫଳରେ ପଡ଼ାବାସୀ ପିଇବା ପାଣି ଟିକକ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି। ବାଧ୍ୟ ହୋଇ ୩ କିଲୋମିଟର ଦୂର ଫଡ଼ିଘର ନିକଟକୁ ଯାଇ ପିଇବା ପାଣି ଆଣୁଥିବା ଦେଖାଯାଇଛି। ପୁଣି ସେଠାରେ ଥିବା ନଳକୂପରେ ବି କମ୍ ପାଣି ଆସୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସରପଞ୍ଚ ଜ୍ଞାନେନ୍ଦ୍ର ସାଏଙ୍କୁ ପଚାରିବାରୁ ମୋଟରକୁ ବଦଳାଇ ଦିଆଯାଇଥିବାରୁ ମୋଟର ପୋଡ଼ି ଯାଇଥିଲା। ଏନେଇ ବିଡିଓଙ୍କୁ କହି ମୋଟରକୁ ବଲାଙ୍ଗୀର ପଠାଯାଇଛି। ୨-୩ ଦିନ ଭିତରେ ଆସିଲେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି। ବିଡିଓ ସୁମନ ମିଞ୍ଜଙ୍କୁ ପଚରାଯିବାରୁ ମୋଟର ପୋଡ଼ିବା କଥା ମୋ ପାଖରେ ଖବର ନାହିଁ, ହେଲେ ପିଇବା ପାଣି ପାଇଁ ୩ କିଲୋମିଟର ଯାଉଥିବା ନେଇ ଅଭିଯୋଗ ଆସିବାରୁ ଗ୍ରାମ୍ୟ ଜଳ ଯୋଗଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଏନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ କହିଛି ବୋଲି କହିଛନ୍ତି।