ମାଲକାନଗିରି : ଭୋଟର ତାଲିକାରେ ନାଁ ନଥିବାରୁ ତାତିଲେ ଦୋରାଗୁଡା ଗ୍ରାମବାସୀ

ମାଲକାନଗିରି : ଆଜି ଶେଷ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତର ୨ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହୋଇଥିଲା। ସରକାର ,ପ୍ରଶାସନ,ପୁଲିସ ଏବଂ ବିଏସଏଫର ମିଳିତ ଉଦ୍ୟମରେ ଏଠାରେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସମାପ୍ତ ହୋଇଛି।

ତେବେ ଆଜି ଏକ ଅଭାବନୀୟ ଘଟଣା ଏହି ବ୍ଲକର ପାପଲୁର ପଞ୍ଚାୟତର ଦୋରାଗୁଡା ଗ୍ରାମରେ ଦେଖିବାକୁ ମିଳିଥିଲା।ଏଠାରେ ଦୋରାଗୁଡା ଗ୍ରାମର ଶତାଧିକ ଲୋକଙ୍କ ଭୋଟ ଲିଷ୍ଟରେ ନାମ ନଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ। ଦୀର୍ଘ ଦିନ ପରେ ସେମାନେ ଭୋଟ ଦେବାକୁ ଯାଉଥିବା ବେଳେ ସେମାନଙ୍କର ନାମ କିପରି ଭୋଟ ଲିଷ୍ଟରେ ନାହିଁ ତାହାକୁ ସେମାନେ ହଜମ କରିପାରି ନଥିଲେ।ଶେଷରେ ସେମାନେ ବୁଥକୁ ଚାବି ପକାଇବା ସହ ଭୋଟ ବାକ୍ସକୁ ଲୁଟ କରିବାରୁ ଯୋଜନା ପ୍ରସ୍ତୁତ କରିଥିଲେ।

ଏହାକୁ ନେଇ ଦୀର୍ଘ ସମୟ ଧରି ପାଟିତୁଣ୍ଡ ହୋଇଥିଲା। ତେବେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିଥିଲା।ଲୋକଙ୍କୁ ବୁଝାସୁଝା କରିଥିଲା।ଦୀର୍ଘ ସମୟ ଧରି ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ମାନିଥିଲେ।ଶେଷରେ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ସମସ୍ତଙ୍କ ପାଖରେ ଭୋଟ ପରିଚୟ ପତ୍ର ରହିଥିବା ବେଳେ ସେମାନଙ୍କର ନାମ କିପରି ଲିଷ୍ଟରୁ ଆଉଟ ହୋଇଯାଇଛି ତାହା ଏବେ ତଦନ୍ତ ସାପେକ୍ଷ। ତେବେ ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକରେ ହିଂସା ହୋଇ ନଥିବା ବେଳେ ଶେଷ ପର୍ଯ୍ୟାୟ ନିର୍ବାଚନରେ ହିଂସା ହେଉ ହେଉ ବର୍ତ୍ତି ଯାଇଥିଲା। ତେବେ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଏହାକୁ ତୁରନ୍ତ ସମାଧାନ କରିବା ପାଇଁ ଦାବି ହୋଇଛି ।

ସମ୍ବନ୍ଧିତ ଖବର