ଜି. ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଆଜି ବି ବହୁ ଅଞ୍ଚଳ ଅଛି ଯେଉଁଠି କି ମୋବାଇଲ ନେଟୱାର୍କ ଅପହଞ୍ଚ ହୋଇ ରହିଛି। କେନ୍ଦ୍ର ସରକାର ୫ଜି ନେଟୱାର୍କ ସୁବିଧା ଲୋକଙ୍କ ପାଖରେ ପହଞ୍ଚାଉଥିବାବେଳେ ଦେଶ ଆଗଉଥିବା ନାରା ଦେଉଥିବା ବେଳେ ଆମ କନ୍ଧମାଳ ଜିଲ୍ଲାର ପିଲା ପାଠ ପଢିବା ପାଇଁ ହେଉ କି ଯୋଗାଯୋଗ ପାଇଁ କିମି କିମି ବ୍ୟାପି ଜଙ୍ଗଲ ପାହାଡ଼ ଚଢି ମୋବାଇଲ ନେଟୱାର୍କ ଖୋଜୁଛନ୍ତି। ଏହିଭଳି ଏକ ଅପହଞ୍ଚ ଗାଁ ହେଉଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ସିପାଏଜୁ ଗାଁ। ବ୍ଲକ ସଦର ମହକୁମା ଠାରୁ ଏହି ଗାଁର ଦୂରତା ୨୦କିମି ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୮କିମି ଦୁରତରେ ଅବସ୍ଥିତ। ଜଙ୍ଗଲ ପାହାଡ଼ ପର୍ବତ ଘେରା ସିପାଏଜୁ ଗାଁ ଜି. ଉଦୟଗିରି ବ୍ଲକର ସୀମା ବା ଶେଷ ଗାଁ। ଗାଁର ଦୁଃଖ ମୋବାଇଲ ନେଟୱାର୍କ ନାହିଁ। ଆଜି ସୋମବାର ଆମେ ଏହି ଗାଁରେ ପହଞ୍ଚିଥିଲୁ ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ ସଂଗ୍ରହ କରିବା ନିମନ୍ତେ। ଗାଁରେ ପହଞ୍ଚିବା ପରେ ଦେଖିଲୁ ମୋବାଇଲରେ ନେଟୱାର୍କ ନାହିଁ। ଗାଁରେ ବୁଲିଲୁ ଜଣେ ବି ଯୁବକକୁ ଦେଖିବାକୁ ପାଇଲୁ ନାହିଁ। ପଚାରି ବୁଝିଲୁ ଏହି ଗାଁର ଯୁବକ ଯୁବତୀ ମାନେ କଣ ଗାଁରେ ରହୁ ନାହାନ୍ତି କି? ଉତ୍ତର ମିଳିଲା ନା ଆଜ୍ଞା ପିଲା ମାନେ ସେ ଆଗକୁ ଥିବା ଜଙ୍ଗଲ ଭିତରେ ଏକ ପାହାଡ଼ ଉପରେ ଥିବେ। ଆମେ ପ୍ରଶ୍ନ କଲୁ କାହିଁକି? ଆଜ୍ଞା ଆମ ଗାଁ ରେ ମୋବାଇଲ ନେଟୱାର୍କ ନାହିଁ ସେ ପାହାଡ଼ ଉପରକୁ ଗଲେ ସେଠାରେ ନେଟୱାର୍କ ଲାଗୁଛି ପିଲା ସେଠି ବସି ପାଠ ପଢୁଛନ୍ତି ଏବଂ ଅନ୍ୟ କାମ କରୁଛନ୍ତି।
ଆମେ ବି ପଚାରି ପଚାରି ଜଙ୍ଗଲ ଆଡକୁ ଚାଲିଲୁ ଚାଲି ଚାଲି ଦୁଇ କିମି ଅତିକ୍ରାନ୍ତ କରି ଏକ ପାହାଡ଼ ଉପରକୁ ଉଠିଲୁ ଦେଖିଲୁ ପିଲାମାନେ ହାତରେ ମୋବାଇଲ ଧରି ବସିଛନ୍ତି। ପିଲାଙ୍କ ସହ ଆଲୋଚନା କଲୁ ପିଲାମାନେ କହିଲେ ଆମେ ସବୁ କଲେଜ ରେ ପଢ଼ୁଛୁ ବିନା ମୋବାଇଲରେ ପାଠ ସମ୍ଭବ ହେଉନି ତେଣୁ ଦିନ ସାରା ଏଠି ବସି ପାଠ ପଢ଼ୁଛୁ। ଆଜି ଭାରତ ବନ୍ଦ ଯୋଗୁଁ ଗାଁରୁ ଅଟୋ ଗଲାନି ତେଣୁ ଆମେ ପାହାଡ଼ ଉପରକୁ ଆସି ମୋବାଇଲରେ ପାଠ ପଢ଼ୁଛୁ। ବସିଥିବା ପିଲାଙ୍କ ଭିତରେ ଜଣେ ଭିନକ୍ଷମ ଯୁବକ ଥିଲେ ଯାହାଙ୍କ ବାମ ଗୋଡ଼ ଏବଂ ହାତ ଅଚଳ ତଥାପି ସେ ଗୋଟିଏ ଗୋଡ଼ରେ ପାହାଡ଼ ଚଢି ଆସି ମୋବାଇଲରେ ପାଠ ପଢ଼ୁଥିବା ଆମେ ଦେଖିବାକୁ ପାଇଥିଲୁ। ପ୍ରଶ୍ନ ଉଠୁଛି ଆମ ଦେଶ ଯଦି ଆଗଉଛି ଆମେ ଚନ୍ଦ୍ରପୃଷ୍ଠକୁ ଗଲେଣି ମୋବାଇଲ ନେଟୱାର୍କରେ ଉନ୍ନତି କରି ୫ଜି ଆରମ୍ଭ କଲେଣି ତାହାହେଲେ ସିପାଏଜୁ ଗ୍ରାମବାସୀ ଆଜି ବି ମୋବାଇଲ ନେଟୱାର୍କ ପାଇଁ ଘଞ୍ଚ ଜଙ୍ଗଲ ଭିତରେ ପାହାଡ଼ ପର୍ବତ ଚଢି ନେଟୱାର୍କ ଖୋଜୁଛନ୍ତି କେମିତି? ସିପାଏଜୁ ଗାଁ ହେଉଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ବ୍ଲକରେ ହେଲେ ପାହାଡ଼ ଉପରେ ନେଟୱାର୍କ ଆସୁଛି ଗଞ୍ଜମ ଜିଲ୍ଲାର ଭଞ୍ଜନଗର ତୁରନ୍ତ ଏହି ଅଞ୍ଚଳରେ ମୋବାଇଲ ନେଟୱାର୍କ ପ୍ରଦାନ କରିବାକୁ ଦାବି ହୋଇଛି।