ସୀମାନ୍ତ ଗ୍ରାମର ସୀମାହୀନ କଥା! ବିବାହ ଓ ଚାକିରୀ ପାଇଁ ବି ଆନ୍ଧ୍ର ଭରସା

ଦୁଇ ରାଜ୍ୟର ଭୋଟର ଓ ଆଧାର କାର୍ଡ ହାତେଇଛନ୍ତି ହିତାଧିକାରୀ; ୮୦ ପ୍ରତିଶତ ସୀମାନ୍ତ ଗାଁର ଲୋକଙ୍କୁ ଜଣାନାହିଁ ଓଡ଼ିଆ ଭାଷା

ରାୟଗଡ଼ା: ପୁରୁଷ ପୁରୁଷ ଧରି ଓଡ଼ିଶାରେ ବସବାସ କରି ଆସୁଥିବା ୮୦ ପ୍ରତିଶତ ସୀମାନ୍ତବାସୀଙ୍କୁ ଆସୁନି ଓଡ଼ିଆ। କଥାବାର୍ତ୍ତାର ପ୍ରମୁଖ ମାଧ୍ୟମ ପାଲଟିଛି ତେଲୁଗୁ। ଯେଉଁ କିଛି ଲୋକ ଓଡ଼ିଆ କହୁଛନ୍ତି ତାହା ସଂପୂର୍ଣ୍ଣ ଓ ଆକ୍ଷରିକ ନୁହେଁ। କେବଳ ଭାଷା ନୁହେଁ ଜୀବିକା ଏବଂ ଜୀବନସାଥୀର ସନ୍ଧାନ ପାଇଁ ମଧ୍ୟ ଆନ୍ଧ୍ର ହିଁ ଭରସା। ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଓଡ଼ିଶାର ଅଧିକାଂଶ ଗ୍ରାମର ଲୋକ ନିଜ ଝିଅକୁ ଆନ୍ଧ୍ର ଅଧିବାସୀଙ୍କ ସହ ବିବାହ କରୁଥିବା ବେଳେ ପୁଅ ପାଇଁ ବୋହୂ ମଧ୍ୟ ଆନ୍ଧ୍ରରୁ ଆଣୁଛନ୍ତି। ସେହିପରି ଜୀବିକା ପାଇଁ ଆନ୍ଧ୍ରର ବେସରକାରୀ କମ୍ପାନି ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ସୀମାନ୍ତ ଅଞ୍ଚଳର ଯୁବକମାନେ କାମ କରୁଛନ୍ତି। ଯେଉଁଥି ପାଇଁ ଆନ୍ଧ୍ର ପ୍ରତି ଓଡ଼ିଶା ସୀମାନ୍ତବାସୀଙ୍କ ସାହାନୁଭୂତି ବଢ଼ୁଛି।

ରାୟଗଡ଼ା ବ୍ଲକ୍ କେରେଡା ପଞ୍ଚାୟତ ଅଧୀନରେ ରହିଛି ଅନିଜା ଗାଁ। ଅନିଜା ଗାଁ ଆନ୍ଧ୍ର ସୀମାନ୍ତରେ ଥିବା ବେଳେ ଗାଁ ପାଇଁ ବିପଦ ସାଜିଛି ନାଗାବଳୀ ନଦୀ। ବହୁ ଦାବି ପରେ ମଧ୍ୟ ନାଗାବଳୀ ଉପରେ ପୋଲ ନିର୍ମାଣ ନ ହେବା ଯୋଗୁ ଅନିଜାବାସୀ ଆନ୍ଧ୍ରରେ ମିଶିବାକୁ ଚେତାବନୀ ଦେବା ସହ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ଚେତିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏବେ ନାଗାବଳୀ ଉପରେ ପୋଲ ନିର୍ମାଣ ଚାଲିଛି।

ଗ୍ରାମର ବ୍ୟୟୋଜେଷ୍ଠ ବ୍ୟକ୍ତି ଗୁରୁନାଥ ମାଣ୍ଡାଙ୍ଗିଙ୍କ କହିବାନୁଯାୟୀ, ନଦୀ ଉପରେ ପୋଲ ନିର୍ମାଣ ପାଇଁ ଓଡ଼ିଶା ସରକାର ସହମତି ଦେବାକୁ ୭୦ ବର୍ଷ ଲାଗିଗଲା। ପୋଲ ନଥିବାରୁ ୩ ନଈକୂଳିଆ ଗ୍ରାମବାସୀ ବର୍ଷର ୬ ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିଲେ। ଆନ୍ଧ୍ରରେ ମିଶିବାକୁ ଚେତାବନୀ ଦେବା ପରେ ଓଡ଼ିଶା ସରକାର ହେଜିଲେ। ଏବେ ମଧ୍ୟ ଓଡ଼ିଶା ସରକାରଙ୍କ ବହୁ ଯୋଜନା ଗାଁ ଲୋକଙ୍କ ନିକଟରେ ପହଞ୍ଚି ପାରୁନି। ବିକାଶ ବାଟ ହୁଡୁଛି। ଓଡ଼ିଶାରେ ବାର୍ଧ୍ୟକ ଭତ୍ତା ୫ ଶହ ଟଙ୍କା ମିଳୁଥିବା ବେଳେ ଆନ୍ଧ୍ରରେ ୩ ହଜାର ଟଙ୍କା ମିଳୁଛି। ପ୍ରତି ଗାଁ ପିଛା ଆନ୍ଧ୍ର ସରକାର ସ୍ବେଚ୍ଛ‌ାସେବୀ ନିଯୁକ୍ତି କରି ଜମିଜମା ସମସ୍ୟାଠୁ ଆରମ୍ଭ କରି ସ୍ବାସ୍ଥ୍ୟସେବା, ଶିକ୍ଷା, ରାସନ ସାମଗ୍ରୀ ଘରେ ପହଞ୍ଚାଇବା ଦିଗରେ କାମ କରୁଛନ୍ତି। ସବୁ ସୁବିଧା ସୁଯୋଗ କାରଣରୁ ଓଡ଼ିଶା ସହ ଆମର ସଂପର୍କ କମିବାରେ ଲାଗିଛି।

Sambad

ଏପରିକି ଗ୍ରାମର ଅଧିକାଂଶ ଝିଅ ଆନ୍ଧ୍ରରେ ବିବାହ ହୋଇଥିବା ବେଳେ ‌ଗ୍ରାମର ପୁଅଙ୍କ ପାଇଁ ବୋହୂ ମଧ୍ୟ ଆନ୍ଧ୍ରରୁ ଆସିଥିବା ଶ୍ରୀ ମାଣ୍ଡାଙ୍ଗି କହିଛନ୍ତି। କେବଳ ଗୁରୁନାଥ ନୁହଁନ୍ତି ସୀମାନ୍ତ ଗ୍ରାମର ଏମ୍. କ୍ରିଷ୍ଣା ରାଓଙ୍କ କହିବାନୁଯାୟୀ, ପେନସନ୍, ସ୍ବାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥା, ମୋବାଇଲ୍, ଯୋଗାଯୋଗ ସବୁ କ୍ଷେତ୍ରରେ ଓଡ଼ିଶାଠୁ ବହୁ ଆଗରେ ଆନ୍ଧ୍ର ରହିଛି। ଓଡ଼ିଶାରେ ଆମେ ରହୁଥିଲେ ମଧ୍ୟ ଆନ୍ଧ୍ର ଆମକୁ ଗୁରୁତ୍ବ ଦେଇ ଆସୁଛି।

କିଛି ଦିନ ତଳେ ରାଇପରମ ଗ୍ରାମର ୪/୫ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ ରାତାରାତି ଆନ୍ଧ୍ର ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ଚିକିତ୍ସା ସେବା ଯୋଗାଇଥିଲା। ଆମ ଅଞ୍ଚଳକୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କେରେଡ଼ା ଓ ଜେମାଦେଇପେଣ୍ଠରେ ମେଡ଼ିକାଲ୍ ଅଛି। କିନ୍ତୁ ସୀମାନ୍ତବାସୀ ସ୍ବାସ୍ଥ୍ୟ ସେବା ପାଇଁ ପାହାଡ଼ ଚଢ଼ି, ନଦୀ ପାର ହୋଇ ଯିବାକୁ ପଡୁଛି। ସୀମାନ୍ତ ଗ୍ରାମରେ ଲାଗି ରହିଥିବା ଏପରି ଅନେକ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେଉନଥିବାରୁ ଓଡ଼ିଶାରେ ରହି ଆନ୍ଧ୍ରକୁ ସମର୍ଥନ କରି ଚାଲିଛନ୍ତି ସୀମାନ୍ତବାସୀ। ରାୟଗଡ଼ା ସଦର ବ୍ଲକ୍ ହାଟଶେଷଖାଲ ପଞ୍ଚାୟତର ଲୁମ୍ବେସୁ ଗ୍ରାମର ପୁୱାଲା ସିରି ଓଡ଼ିଶା ସରକାରଙ୍କ ରାସନ କାର୍ଡ ପାଇଛନ୍ତି।

ଆଧାରକାର୍ଡରେ ତାଙ୍କ ନାଁ ପୁଆଲା ସିରି ଏବଂ ରାସନକାର୍ଡରେ ସିରି ପୁଆଲା ରହିଛି। ଉକ୍ତ ବ୍ୟକ୍ତି ପୁୱାଲା ସିରି ନାଁରେ ଆନ୍ଧ୍ରରୁ ମଧ୍ୟ ଆଧାରକାର୍ଡ ହାତେଇଛନ୍ତି। ଆନ୍ଧ୍ରରେ ତିଆରି ହୋଇଥିବା ଆଧାରକାର୍ଡ ନମ୍ବର ଓଡ଼ିଶା ଆଧାର କାର୍ଡ ନମ୍ବର ସହ ମେଳ ଖାଉଛି। କେବଳ ଠିକଣା ଅଲଗା ରହିଛି। ନିକଟରେ ଶେଷ ହୋଇଥିବା ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ବହୁ ଗ୍ରାମବାସୀ ଭୋଟ ଦେଇଛନ୍ତି। ଉଭୟ ରାଜ୍ୟର ଭୋଟ ପରିଚୟ ପତ୍ର ସୀମାନ୍ତ ଗ୍ରାମବାସୀ ହାତେଇଛନ୍ତି। ଯାହାର ସୂଚନା ରାୟଗଡ଼ା ପ୍ରଶାସନ ପାଖରେ ନାହିଁ।

ଓଡ଼ିଶା ସୀମାରେ ଆନ୍ଧ୍ରର ଉନ୍ନୟନମୂଳକ କାମ ସହ ମନୋଲୋଭା ସରକାରୀ ଯୋଜନା ଯୋଗୁ ସୀମାନ୍ତ ଗ୍ରାମ ଏବେ ହାତରୁ ଖସିବାରେ ଲାଗିଛି। ବୈରାଗୀହାଲୁଆ ପଞ୍ଚାୟତର ସାନଲୁକୁଟି ଗ୍ରାମ ନିକଟରେ ଥିବା ଆନ୍ଧ୍ରର ଲାଡ୍ଡା ପାଇଁ ସରକାର ପୋଲ ସହ ରାସ୍ତା ନିର୍ମାଣ କରିବା ଏହାର ଜ୍ବଳନ୍ତ ଉଦାହରଣ। ଗ୍ରାମରେ ମାତ୍ର ୨୦ ପରିବାର ରହୁଥିବା ବେଳେ ଆନ୍ଧ୍ର ସରକାର କୃପମରୁ ଶ୍ରୀରଙ୍ଗପାଡ଼ୁ ଦେଇ ଲାଡ୍ଡାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରୁଛି। ଯାହା ଓଡ଼ିଶାର ସାନଲୁକୁଟି ଦେଇ ଲାଡ୍ଡାରେ ସଂଯୋଗ ହେବ। ପୋଲ କାମ ନିର୍ମାଣଧୀନ ଥିବା ବେଳେ ଏହା ପୂର୍ବରୁ ଆପ୍ରୋଚ ରୋଡରେ ଆନ୍ଧ୍ର ସରକାର ୩ଟି କଲର୍ଭଟ୍ ନିର୍ମାଣ କରିଛନ୍ତି। ଯାହା ସଂପୂର୍ଣ୍ଣ ଭାବେ ଓଡ଼ିଶା ଜାଗାରେ ଏବଂ ସାନଲୁକୁଟି ଗ୍ରାମ ଅଧୀନରେ ରହିଛି। ଖବର ପଦାକୁ ଆସିବା ପରେ ରାୟଗଡ଼ା ପ୍ରଶାସନ ପୋଲ ନିର୍ମାଣ ବନ୍ଦ କରିବା ସହ ଆପ୍ରୋଚ ରାସ୍ତାକୁ ଏବେ ୮ ଲକ୍ଷ ଟଙ୍କା ବ୍ୟୟରେ କଂକ୍ରିଟ୍ ପକାଇ ନିର୍ମାଣ କରୁଛି। ପୂର୍ବରୁ ଆନ୍ଧ୍ରର ନିର୍ମାଣ କାମରେ ଓଡ଼ିଶା ସରକାର କିମ୍ବା ରାୟଗଡ଼ା ଜିଲ୍ଲା ପ୍ରଶାସନ ମୁଣ୍ଡ ପୂରାଉନଥିବା ବେଳେ କୋଟିଆ ବିବାଦ ପରେ ତତ୍ପର ହୋଇଛି।

ସମ୍ବନ୍ଧିତ ଖବର