ନବରଙ୍ଗପୁର: ସରକାର ଶୁଣିଲେନି। ଶେଷରେ ସରକାରୀ ଦେଶି ମଦଭାଟି ଭାଙ୍ଗିଲେ ଗାଁ ଲୋକେ। ତାହା ବି ପୁଲିସ ଉପସ୍ଥିତିରେ ଭାଙ୍ଗିଲେ ମଦ ଭାଟି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଦାଢ଼ିଆମାଝୀଗୁଡା ସ୍ଥିତ ସରକାରୀ ଦେଶୀମଦ ଭାଟିକୁ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ବହୁବାର ଗୁହାରି କରିବାସହ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ବହୁଦିନର ଅପେକ୍ଷା ପରେ ବି କୌଣସି ସୁଫଳ ନ ମିଳିବାରୁ ଶେଷରେ ଆଜି ଦେଶୀ ମଦ ଭାଟିକୁ ଘେରାଉ କରିବା ପାଇଁ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷମାନେ ଭାଟି ନିକଟରେ ପହଞ୍ଚିଥିଲେ। ଯାହାକି କୋଡ଼ିଙ୍ଗା ଅବକାରୀ ବିଭାଗ ଓ କୋଡ଼ିଙ୍ଗା ପୁଲିସ ପାଖରେ ପୂର୍ବରୁ ସୂଚନା ପାଇ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ।
ଦେଶୀ ମଦ ଭାଟିର ଗେଟ ସମ୍ମୁଖରେ ଶତାଧିକ ମହିଳା, ପୁରୁଷ ହାତରେ ଭାଟି ବିରୋଧୀ ପ୍ଲାକାର୍ଡ ଧରି ନରାବାଜି ଦେଉଥିଲେ। କିଛି ସମୟ ପରେ ଘଟଣା ସ୍ଥଳରେ ଭିଡ଼ ଅଣାୟତ ହେବାରୁ ଭାଟି ଭିତରେ ଧଷେଇ ପଶି ଭାଟି କର୍ମଚାରୀଙ୍କ ଆସବାବପତ୍ର, ଭାଟିର ଯନ୍ତ୍ରାଂଶ, ଦେଶୀମଦ, ମଦ ପୋଚ ସହ ସମ୍ପୂର୍ଣ୍ଣ ଭାଟିକୁ ଛାରଖାର କରିଲେ ଉତ୍ତ୍ୟକ୍ତ ଲୋକେ। ପୁଲିସ ଓ ଅବକାରୀ ବିଭାଗ ଉପସ୍ଥିତରେ ଏଭଳି କାଣ୍ଡ ଘଟିଥିଲା। ଏନେଇ କୋଡ଼ିଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇ ୩ ଜଣକୁ ଅଟକ ରଖାଯାଇଛି। ଅଧିକ ତଦନ୍ତ ଜାରି ରହିଥିବା ଏସଡିପିଓ ଆଦିତ୍ୟ ସେନ ସୂଚନା ଦେଇଛନ୍ତି।