ବେଲଗୁଣ୍ଠା: ମାସକ ତଳେ ଆନ୍ଧ୍ରପ୍ରଦେଶ ପ୍ରକାଶମ୍ ଜିଲ୍ଲା ଓଙ୍ଗୋଲ୍ ଥାନା ଇଲାକାରୁ ଆସିଥିଲା ବେଲଗୁଣ୍ଠା ଏନଏସି ଭଗବତପାଟଣାର ଜଣେ ଦାଦନଙ୍କ ଶବ। ଆଜି ପୁଣି ସେହି ଆନ୍ଧ୍ରପ୍ରଦେଶର ହ୍ରାଇଦ୍ରାବଦରୁ ଆସିଛି ଆଉ ଜଣଙ୍କ ଶବ। ଗତ ୭ ମାସକ ଭିତରେ ଜିଲ୍ଲାର ୩୦ରୁ ଅଧିକ ଶ୍ରମିକଙ୍କ ବାହାର ରାଜ୍ୟ ଓ ଦେଶରେ ମୃତ୍ୟୁ ହୋଇ ସାରିଲାଣି।
ଗଞ୍ଜାମ ଜିଳ୍ଲା ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଗ୍ରାମର ଅଶୋକ କୁମାର ନାୟକ (୪୮) ପରିବାର ପୋଷିବାକୁ ଯାଇ ୧୫ ବର୍ଷ ଧରି ଦାଦନ ଖଟୁଥିବା ବେଳେ ଆଜି ତାଙ୍କ ଶବ ଗ୍ରାମକୁ ଫେରିଛି। ଗାଁରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଶୋକ ଏବଂ ତାଙ୍କ ଦାଦାପୁଅ ଭାଇ ଅଜିତ କୁମାର ନାୟକ ହାଇଦ୍ରାବାଦରେ କାମ କରୁଥିଲେ। ନିଜର ସ୍ଵଳ୍ପ ପାରିଶ୍ରମିକରେ ବିଧବା ମାଆ, ସ୍ତ୍ରୀ ଏବଂ ତିନି ସନ୍ତାନଙ୍କୁ ଅତି କଷ୍ଟରେ ପ୍ରତିପୋଷଣ କରୁଥିବା ବେଳେ ବୋଝ ଉପରେ ନଳିତା ବିଡା ପରି ଦାଉ ସାଧିଲା କୌଣସି ଅଜଣା ରୋଗ।
ସ୍ଥାନୀୟ ଡାକ୍ତର ଅଶୋକଙ୍କୁ ବଡ଼ ଡ଼ାକ୍ତରଖାନାରେ ଉନ୍ନତ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଆର୍ଥିକ ଅଭାବ ଯୋଗୁଁ ସେ ବଡ଼ ଡାକ୍ତରଖାନାକୁ ଯାଇ ପାରିଲେ ନଥିଲେ। କ୍ରମେ ଅଶୋକଙ୍କ ରୋଗ ବଢ଼ିବାରେ ଲାଗିଥିଲା। ସେ ଗାଆଁକୁ ଫେରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସୁସ୍ଥତା ଏବଂ ଅର୍ଥର ଅଭାବ ହେତୁ ଆଉ ଗାଆଁକୁ ଫେରି ପାରି ନଥିଲେ। ଗତ ବୁଧବାର ରାତିରେ ଅଶୋକ ଆଖି ବୁଜି ଦେଇଥିଲେ। ଅଶୋକଙ୍କ ମୃତ୍ୟୁ ଖବର ପାଇ ବିଧବା ମାଆ ସୋଲି ଏବଂ ସ୍ତ୍ରୀ ପ୍ରଭାତୀ (୩୨) ଭାଙ୍ଗି ପଡ଼ିଛନ୍ତି। ବଡ଼ଭାଇ ଅମର, ଅରୁଣ ଏବଂ ଗ୍ରାମବାସୀଙ୍କ ସହାୟତାରେ ଶବ ସଂସ୍କାର କରଯାଇଛି। ଅଶୋକଙ୍କ ମୃତ୍ୟୁ ପରେ ବିଧବା ମାଆ, ସ୍ତ୍ରୀ, ଦୁଇ ଝିଅ ଏବଂ ଏକମାତ୍ର ପୁଅ ବେସାହାରା ହୋଇ ପଡିଛନ୍ତି। ତେଣୁ ଅଶୋକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।