ପ୍ରଶାସନର ଅବହେଳା ଯୋଗୁ ପୋଖରୀ ପୁନରୁଦ୍ଧାର କଲେ ଗ୍ରାମବାସୀ

ଖୋର୍ଦ୍ଧା: ପ୍ରାକୃତିକ ଜଳାଶୟର ସୁରକ୍ଷା ପାଇଁ ରାଜ୍ୟ ଠାରୁ କେନ୍ଦ୍ର ସରକାର ଚିନ୍ତିତ, କିନ୍ତୁ ଖୋର୍ଦ୍ଧା ନରଣଗଡ଼ ପଞ୍ଚାୟତର ହାଡ଼ପଦା ମୌଜାରେ ଥିବା ଶତବର୍ଷର ପୁରାତନ ପୋଖରୀର ପୁନରୁଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଶେଷରେ ହାଡ଼ପଦା ହରିଜନ ସାହିର ବାସିନ୍ଦା ଏକଯୁଟ ହୋଇ ନିଜ ପରିଶ୍ରମ ଓ ଖର୍ଚ୍ଚରେ ପୋଖରୀର ପୁନରୁଦ୍ଧାର କରିବା ଆରମ୍ଭ କରିଛନ୍ତି। ହାଡ଼ପଦା ମୌଜାରେ ଥିବା ବେତରା ଗୋଡ଼ିପୋଖରୀର ଆୟତନ ପ୍ରାୟ ୨ ଏକର। ଶତବର୍ଷର ଏହି ପୋଖରୀ ଉପରେ ନରଣଗଡ଼, କଞ୍ଚିଲୋ, ଓରମି, ମାନପୁର, ଧବଳପୁର, ହାଡ଼ପଦା ଗାଁର ଲୋକ ନିର୍ଭର କରିଥାନ୍ତି। ଯାନିଯାତ୍ରା ଠାରୁ ଆରମ୍ଭ କରି ଦୈନିଦିନ ଗାଧୋଇବା ଆଦି ପାଇଁ ଏହି ପୋଖରୀଟି ବ୍ୟବହୃତ ହୁଏ।

ପୋଖରୀର ବିଶେଷତ୍ୱ ହେଲା, ଗ୍ରୀଷ୍ମକାଳରେ ପୋଖରୀରେ ପାଣି ବିଶେଷ ଶୁଖିନଥାଏ। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହି ପୋଖରୀଟି ପୋତି ହେବାକୁ ବସିଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଅନେକ ଥର ପଞ୍ଚାୟତ, ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି, କେହି ପଦକ୍ଷେପ ନେଇ ନାହାନ୍ତି। ଶେଷରେ ଦୁଇଦିନ ପୂର୍ବେ ହାଡ଼ପଦା ହରିଜନ ସାହିର ମହିଳାପୁରୁଷ ଏକତ୍ରିତ ହୋଇ ବୈଠକ କରିଥିଲେ। ପ୍ରଶାସନ ନଶୁଣିଲେ ନାହିଁ ନିଜ ଗାଁର ପୋଖରୀ ନିଜେ ସଫା କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଆଜି ଗୁରୁବାର ପୋଖରୀ ପୁନରୁଦ୍ଧାର କାମ ଆରମ୍ଭ କରିଛନ୍ତି। ହାଡ଼ପଦା ହରିଜନ ସାହିର ଲୋକଙ୍କ କହିବା କଥା ଗ୍ରାମାଞ୍ଚଳରେ ମନରେଗା ଯୋଜନାରେ ପୋଖରୀ, ଜଳାଶୟ ଗୁଡ଼ିକର ପୁନରୁଦ୍ଧାର ହେଉଛି, କିନ୍ତୁ ଏହି ପୋଖରୀଟିର ଭାଗ୍ୟ ଖୋଲୁନାହିଁ।

ନିକଟରେ ଅମୃତ ସରୋବର ଯୋଜନାରେ ମଧ୍ୟ ପୋଖରୀ ସ୍ଥାନ ପାଇପାରିଲା ନାହିଁ। ବିଧାୟକ କିମ୍ବା ସାଂସଦ ହାତପାଣ୍ଠୀର ମଧ୍ୟ ସହାୟତା ମିଳିଲା ନାହିଁ। ଏଣୁ ସେମାନେ ସମ୍ପୂର୍ଣ୍ଣ ପୋଖରୀକୁ ପୁନରୁଦ୍ଧାର କରି ନପାରିଲେ ମଧ୍ୟ ଅନ୍ତତଃ ଯେଉଁ ପଟକୁ ମହିଳା ମାନେ ଗାଧୋଉଛନ୍ତି ସେଇପଟଟି ଖୋଳି ସଫାସୁତୁରା କରିବାକୁ ପଦକ୍ଷେପ ନେଇଛନ୍ତି। ଏନେଇ ସରପଞ୍ଚ ମିତାରାଣୀ ବେହେରାଙ୍କ ସ୍ୱାମୀ କହିଛନ୍ତି ଯେ ପୋଖରୀ ଖୋଳିବା ପାଇଁ ପଞ୍ଚାୟତ ଅନୁଦାନ ପାଣ୍ଠୀରୁ ଦେଢ଼ ଲକ୍ଷ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା, କିନ୍ତୁ ଏହାକୁ କେତେକ ବିରୋଧ କରିବାରୁ ହୋଇ ପାରିଲାନାହିଁ। ସେହିଭଳି ମନରେଗା ପାଣ୍ଠୀରେ ପୋଖରୀ ଖୋଳିବାକୁ ନିଷ୍ପତ୍ତି ଅନେକ ଥର ହୋଇଥିଲା, କିନ୍ତୁ ଠିକାଦାର ରାଜି ନହେବା ଓ ପୋଖରୀ ଖୋଳାରେ ପୋକ୍ଲିନ୍ ଆଦି ବ୍ୟବହାର ହେବାକୁ କେତେକ ବିରୋଧ କରିବାରୁ ସେହି ଯୋଜନାରେ ମଧ୍ୟ ଏହାର ପୁନରୁଦ୍ଧାର ହୋଇପାରିଲା ନାହିଁ। ପୋଖରୀଟିର ପୁନରୁଦ୍ଧାର ନିହାତି ଆବଶ୍ୟକ। ପ୍ରଶାସନ ଯଦି ନିଜଆଡ଼ୁ ସକ୍ରିୟ ପଦକ୍ଷେପ ନେଇ କିଛି ବ୍ୟବସ୍ଥା କରନ୍ତା ତେବେ ଟଣାଓଟରା ଓ ଗ୍ରାମ୍ୟବିବାଦ ମଧ୍ୟରେ ସମାଧାନର ବାଟ ବାହାରି ପାରନ୍ତା।

ସମ୍ବନ୍ଧିତ ଖବର