ରାୟଗଡା: ରାୟଗଡା ଜିଲ୍ଲାରେ ଏବେ ଉତ୍କଟ ଜଳ ସମସ୍ୟା। ଜିଲ୍ଲାର ୧୧ଟି ବ୍ଲକରେ ଏବେ ଲୋକେ ପାଣି ପାଇଁ ଆଉଟୁପାଉଟୁ ହେଉଥିବା ଲକ୍ଷ୍ୟ କରାଯାଇଛି। ନାଗାବଳୀ ନଦୀ କୂଳ ବାସିନ୍ଦା ମଧ୍ୟ ପାଣି ଟିକକ ପାଇଁ  ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନାଗାବଳୀ ନଦୀ କୂଳରେ ରହୁଥିବା ୧୨୩ ଗ୍ରାମ ଏବେ ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି। କେଉଁଠି ନଳକୂପ ଅଚଳ ତ ଆଉ କେଉଁଠି ପାଣି ଆଦୌ ବାହାରୁ ନାହିଁ। ସରକାରୀ ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ପ୍ରଚୁର ଜଳର ଉତ୍ସ ରହିଛି।

Advertisment

ସେହିପରି ନଦୀ ମଧ୍ୟରୁ ନାଗାବଳୀ, ଝଞ୍ଜାବତୀ ଏବଂ କଲ୍ୟାଣୀ ହେଉଛି ଜଳର ମୁଖ୍ୟ ଉତ୍ସ। ଏବେ ଏହି ନଦୀଗୁଡିକ ମଧ୍ୟ ଶୁଖିବାକୁ ବସିଲାଣି। ଏହି ନଦୀକୁ ଲାଗି ରହିଥିବା ଗାଁ ଗୁଡିକରେ ନା ନଦୀ ପାଣି ମିଳୁଛି ନା ନଳକୂପ ପାଣି ମିଳୁଛି। ଲୋକେ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ଆଉ ଯେଉଁ ନଳକୂପ ଚାଲୁଛି, ସେଥିରେ ଏକ ପ୍ରକାର ପ୍ରତିଯୋଗିତା ଚାଲୁଛି। ସରକାରୀ ରିପୋର୍ଟ ଅନୁଯାୟୀ ଜିଲ୍ଲାରେ୧୩, ୬୦୯ଟି ନଳକୂପ ରହିଛି ଏବଂ କୂପ ସହ ନଳକୂପ ୧୨୯୧ଟି ରହିଛି। ଅର୍ଥାତ ମୋଟ ୧୪, ୯୦୦ ନଳକୂପ ରହିଛି।

ସେହିପରି ୪୮୩ଟିରେ ପାଇପ ଯୋଗେ ଗ୍ରାମକୁ ପାଣି ଯୋଗାଯାଇଛି ଏବଂ ୧୬୦ ଝରଣା ପାଣିକୁ ପାଇପ ଯୋଗେ ଗ୍ରାମରେ ପହଞ୍ଚାଯାଉଥିବା କୁହାଯାଇଛି।ସେହିପରି ସୋଲାର ପମ୍ପ ସାହାଯ୍ୟରେ ୭୧୦ଟି ଗ୍ରାମକୁ ପାଣି ଯୋଗାଇ ଦିଆଯାଉଛି। ତେବେ ଜିଲ୍ଲାର ୨ ଲକ୍ଷ ୩୬ ହଜାର ୧୪୭ଟି ଘରର ୯ ଲକ୍ଷ ୮୬ ହଜାର ୧୭୭ ଲୋକଙ୍କୁ ପାଣି ଯୋଗାଇବା ଏକ ପ୍ରକାର ମୁସକିଲ ହୋଇପଡୁଛି। ଜିଲ୍ଲାରେ ଏତେ ସଂଖ୍ୟକ ଉତ୍ସ ରହିଥିଲେ ମଧ୍ୟ ଲୋକେ କିପରି ପାଣି ପାଇଁ ସନ୍ତୁଳିତ ହେଉଛନ୍ତି ତାହା ତଦନ୍ତ ସାପେକ୍ଷ। ରାୟଗଡା ସଦର ମହକୁମାରେ ପାଣିର ଘୋର ଅଭାବ ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ମହିଳା ଗୋଷ୍ଠୀ। ସଦର ମହକୁମାରେ ଯଦି ପାଣିର ଅଭାବ ତେବେ ଜିଲ୍ଲାର ୧୮୨ଟି ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ପାଣିର ଅବସ୍ଥା ଏହି ଗ୍ରୀଷ୍ମ ଋତିରେ କିପରି ରହିଥିବ ତାହା ସହଜରେ ଅନୁମେୟ। ଗତ କିଛିବର୍ଷ ହେବ ରାୟଗଡା ସହରରେ ପାଣିର ସ୍ତର କମି କମି ଯାଉଥିବା ରିପୋର୍ଟ କହୁଛି। ସଦର ମହକୁମାରେ ଭୁତଳ ଜଳସ୍ତର ଗତ ୨୦୧୯ ମସିହାରେ ୨୧୧୮ ମଟର ତଳକୁ ରହିଥିବା ବେଳେ ୨୦୨୧-୨୨ରେ ଏହା ବୃଦ୍ଧି ପାଇ ୨୨୨୩ ମଟର ତଳକୁ ଖସି ଯାଇଛି। ଗ୍ରୀଷ୍ମ ଋତୁରେ ଜଳସ୍ତର ତଳକୁ ଖସୁଥିବାରୁ ଅନେକ ଗ୍ରାମରେ ଜଳ ସମସ୍ୟା ରହୁଛି ବୋଲି ଜଳ ଓ ପରିମଳ ବିଭାଗ ଓ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ସ୍ବୀକାର କରୁଛନ୍ତି।

publive-image Sambad

ତେବେ ଏଥିପାଇଁ କଣ ଉପଚାର କରାଯାଇଛି ବୋଲି ଜାଣିବାକୁ ଚାହୁଁଥିବାରୁ ନୂତନ ନଳକୂପ ଖୋଳାଯିବାର ବ୍ୟବସ୍ଥା କରାଯିବ ବୋଲି ଉତ୍ତର ମିଳୁଛି। ଜିଲ୍ଲାରେ ରହିଥିବା ୧୪ ହଜାରରୁ ଊର୍ଦ୍ଧ୍ବ ନଳକୂପରୁ ମାତ୍ର ୧୦୦ ନଳକୂପ ଅଚଳ ବୋଲି ରିପୋର୍ଟ କହୁଥିବା ବେଳେ ବାସ୍ତବରେ ଜିଲ୍ଲାରେ ହଜାରରୁ ଉର୍ଦ୍ଧ୍ବ ନଳକୂପ ଅଚଳ ହୋଇ ପଡି ରହିଛି। ପ୍ରାୟ ପ୍ରତିଦିନ ପ୍ରତ୍ୟେକ ବ୍ଲରେ ଲୋକେ ପାଣି ପାଇଁ ବିଡିଓଙ୍କ କାର୍ଯ୍ୟାଳୟରେ ଦରଖାସ୍ତ ପ୍ରଦାନ କରୁଛନ୍ତି। ଦୁର୍ଗମ ଗ୍ରାମର ଲୋକେ ବିଶେଷକରି ଝରଣା ପାଣି ଉପରେ ନିର୍ଭର କରୁଛନ୍ତି। ଜିଲ୍ଲାରେ ଉତ୍କଟ ଜଳ ସମସ୍ୟାକୁ ଲକ୍ଷ୍ୟ କରି ତିନୋଟି ମେଗା ଜଳ ପ୍ରକଳ୍ପ ମଧ୍ୟ ନିର୍ମାଣ ଚାଲୁଥିବା କୁହାଯାଇଛି। ଗୋଟିଏ ଗୁଣୁପୁର, ଗୋଟିଏ ବିଷମକଟକ ଏବଂ ଗୋଟିଏ କାଶୀପୁର ବ୍ଲକରେ। ଗୁଣୁପୁର ବ୍ଲକରେ ୯୫ଟି ଗ୍ରାମର ଲୋକେ ସ୍ବଚ୍ଛ ପାଣି ପାଇ ପାରିବେ ବୋଲି କୁହାଯାଉଥିବା ବେଳେ ବିଷମକଟକ ବ୍ଲକରେ ୨୬୪ଟି ଗ୍ରାମର ଲୋକେ ଏବଂ କାଶୀପୁର ବ୍ଲକରେ ୪୧୮ଟି ଗ୍ରାମର ଲୋକେ ସ୍ବଚ୍ଛ ପାଣି ପାଇପାରିବେ ବୋଲି ବିଭାଗ କହୁଛି। ସେହିପରି ଅନ୍ୟ ବ୍ଲକ ଗୁଡିକରେ ମରଟି ଜିପି ସ୍କିମ ମାଧ୍ୟମରେ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ତେବେ ଏହା କେବେ ସମାପ୍ତ ହେବ ଏବଂ ଲୋକେ କେବେ ଜଳ ସ୍ବଚ୍ଛନ୍ଦରେ ପାଇବେ ତାହା ଦେଖିବାକୁ ବାକି ରହିଲା।