ଆଜି ବି ଅନ୍ଧାରରେ ଗ୍ରାମବାସୀ, କିରୋସିନି ନ ମିଳିବାରୁ ଜାଳି ପାରୁନାହାନ୍ତି ଡିବିରି

ବ୍ୟବହାର କରୁଛନ୍ତି ଚାର୍ଜ ଟର୍ଚ୍ଚ କିମ୍ବା ଲାଇଟ

ରାୟଗଡା: ରାୟଗଡା ଜିଲ୍ଲାରେ ଆଜି ଲୋକେ ବିନା ବିଦ୍ୟୁତ ସେବାରେ ଦିନ କାଟୁଛନ୍ତି। ସହରରେ ଯଦି କିଛି ଘଣ୍ଟା ପାଇଁ ବିଦ୍ୟୁତ ଚାଲିଯାଏ ତେବେ ସହର କମ୍ପି ଉଠୁଥିବା ବେଳେ ଗ୍ରାମାଞ୍ଚଳରେ ଲୋକେ ବିନା ବିଦ୍ୟୁତରେ କିପରି ରହୁଥିବେ ସହଜରେ ଅନୁମେଯ। ଏଭଳି ଗ୍ରାମ ହେଉଛି ସଦର ରାୟଗଡା ବ୍ଲକର ଡେଙ୍ଗଲାଡି ପଞ୍ଚାୟତର ମେଟାବେଡୀ ଗ୍ରାମ। ଏହି ଗ୍ରାମରେ ପ୍ରାୟ ୨୦ ପରିବାର ବସବାସ କରୁଛନ୍ତି। ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଏମାନେ ଆଜି ବି ଅନ୍ଧାରରେ ରହୁଛନ୍ତି। ସନ୍ଧ୍ୟା ୫ଟା ହେଲେ ଏମାନେ ରାତ୍ରୀ ଭୋଜନ ସାରି ଶୋଇ ପଡୁଥିବା କହନ୍ତି।ବାରମ୍ବାର ବିଦ୍ୟୁତ ସେବା ନେଇ ଲୋକ ପ୍ରତିନିଧି ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ କହିଥିଲେ। ଏପରିକି ନିର୍ବାଚନ ଆସିଲେ ନେତା ମାନେ ପୁଳା ପୁଳା ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି। କିନ୍ତୁ ଭୋଟ ନେବା ପରେ ଆଉ ସେମାନଙ୍କର ଦେଖା ମିଳିନଥାଏ ବୋଲି ଅଭିଯୋଗ କରିଥିଲେ।

ଆଜି ଜିଲ୍ଲାପାଳଙ୍କୁ ଭେଟି ଗ୍ରାମରେ ତୁରନ୍ତ ବିଦ୍ୟୁତ ସେବା ଯୋଗାଇ ଦେବାକୁ ନେହୁରା ହୋଇଥିଲେ। ପିଲାମାନେ ପାଠ ପଢି ପାରୁନଥିବା ବେଳେ ଗ୍ରୀଷ୍ମର ପ୍ରଚଣ୍ଡ ରୁଦ୍ରତାପରେ ଘରେ ରହିବା କଷ୍ଟକର ହୋଇ ପଡୁଥିବା କହିଥିଲେ।ଲୋକେ ଘରେ ଫ୍ୟାନ,ଏସି ଲଗାଇ ବସୁଥିବା ବେଳେ ଆମେମାନେ ଗଛମୂଳରେ ବସିବାକୁ ବାଧ୍ୟ ହେଉଥିବା କହିଥିଲେ। କିରୋସିନି ମିଳୁ ନଥିବାରୁ ଘରେ ଡିବିରି ମଧ୍ୟ ଜଳୁନଥିବା ଅଭିଯୋଗ କରିଥିଲେ। ବଜାରରୁ ଟର୍ଚ୍ଚ କିମ୍ବା ଲାଇଟ କିଣି ତାକୁ ପାଖ ଗାଁକୁ ଯାଇ ଚାର୍ଜ କରି ରାତିରେ ଜାଳୁଥିବା କହିଥିଲେ। ସେହିପରି ଏହି ଗ୍ରାମର ଲୋକଙ୍କ ପାଖରେ ଫୋନ ରହିଥିଲେ ମଧ୍ୟ ବିଦ୍ୟୁତ ନଥିବାରୁ ଚାର୍ଜ କରିବା ପାଇଁ ପାଖ ଗାଁକୁ ଯିବାକୁ ପଡୁଥିବା କ୍ଷୋଭର ସହ ପ୍ରକାଶ କରିଥିଲେ। ସରକାର ଗାଁ ଗାଁକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଜି ବି ଜିଲ୍ଲାର ବହୁ ଗ୍ରାମ ବିଦ୍ୟୁତ ସେବାରୁ ବଞ୍ଚିତ ରହିଥିବା ଦେଖିବାକୁ ମିଳିଛି। ତୁରନ୍ତ ଏହି ଗ୍ରାମରେ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର