ରାୟଗଡା: ରାୟଗଡା ଜିଲ୍ଳାର ୧୧ଟି ବ୍ଲକରେ ରହିଥିବା ଗ୍ରାମ ଗୁଡିକର ଅବସ୍ଥା କିଭଳି ଅଛି ନ ଦେଖିଲେ ବିଶ୍ବାସ କରିହେବ ନାହିଁ। ସରକାରଙ୍କର ମୌଳିକ ସୁବିଧା ଆଜି ବି ବହୁ ଗ୍ରାମ ପାଇଁ ସ୍ବପ୍ନ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ଏକ ଗ୍ରାମ ହେଉଛି କୋଲନରା ବ୍ଲକ ତଥା ସଦର ପଞ୍ଚାୟତର କନ୍ଧ ଚମ୍ପିଆ ଗ୍ରାମ। ଏହି ଗ୍ରାମରେ ପ୍ରାୟ ୧୨୦ ପରିବାର ବସବାସ କରୁଛନ୍ତି। ପ୍ରାୟ ୬୦୦ରୁ ଉର୍ଦ୍ଧ୍ବ ଲୋକ ଏଠାରେ ରହି ଆସୁଛନ୍ତି। ବ୍ଲକ ଠାରୁ ମାତ୍ର ୯ କିଲୋମିଟର ଦୂରରେ ଏହି ଗ୍ରାମଟି ଅବସ୍ଥିତ। ସ୍ବାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ ପକ୍କା ରାସ୍ତାଟିଏ ହୋଇ ପାରିଲା ନାହିଁ। ଗାଁକୁ ଯିବାକୁ ହେଲେ ପାଦ ଚଲା ଅଙ୍କାବଙ୍କା ରାସ୍ତାରେ ଯିବାକୁ ପଡେ। ଗାଁକୁ ରାସ୍ତା ନଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆରେ କିମ୍ବା କାଉଡି କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଲେ ମେଡିକାଲକୁ ପହଞ୍ଚା ଯାଇପାରୁଛି। ବର୍ଷାଦିନ ହେଲେ ଗାଁ ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡେ। ଲୋକେ ବ୍ଲକ ସଦର ମହକୁମାକୁ ଆସିବାକୁ ଭୟ କରନ୍ତି। ଗାଁର ସମସ୍ତ ପରିବାର ଆଦିବାସୀ ସମ୍ପ୍ରଦାୟର। ନିଜର ପରମ୍ପରା ଏବଂ ସଂସ୍କୃତିକୁ ନେଇ ଏମାନେ ବଞ୍ଚି ରହିଛନ୍ତି। ଆଜି ବି ଗାଁର ବହୁ ପରିବାର ଆବାସ ଯୋଜନାରେ ସାମିଲ ହୋଇ ପାରିନଥିବା ବେଳେ ବହୁ ବୃଦ୍ଧ ଓ ବୃଦ୍ଧା ଭତ୍ତା ପାଇଁ ସରକାରଙ୍କ ଆର୍ଶିବାଦକୁ ଅନେଇ ବସିଛନ୍ତି। ଆଉ ଯେଉଁମାନେ ଭତ୍ତା ପାଉଛନ୍ତି ସେମାନେ ଗତ ଚାରି ମାସରୁ ୭ ମାସ ହେଲା ଭତ୍ତା ପାଇନଥିବା କହିଛନ୍ତି। ପିଇବା ପାଣିର ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି। ସ୍ବାସ୍ଥ୍ୟ ସେବା ନକହିବା ଭଲ। ଲୋକେ ଅଜଣା ରୋଗରେ ପଡି ପ୍ରତିବର୍ଷ ଅକାଳରେ ମୃତ୍ୟୁବରଣ କରୁଛନ୍ତି।
ତେଣୁ ଲୋକେ ଗୁଣିଆ ଓ ଡିସାରୀ ଉପରେ ବିଶ୍ବାସ କରିବାକୁ ବାଧ୍ୟ ହେଉଛନ୍ତି। ନିର୍ବାଚନ ହେଲେ ଗାଁକୁ ମାଳ ମାଳ ନେତା ମନ୍ତ୍ରୀ ଆସନ୍ତି। ପ୍ରତିଶ୍ରୁତିର ପାହାଡ ଛିଡା କରି ଦିଅନ୍ତି। ଭୋଟ ନେବା ପରେ ଆଉ କେବେ ମଧ୍ୟ ଗାଁର ମୁହଁ ଦେଖନ୍ତି ନାହିଁ କି ଗ୍ରାମବାସୀଙ୍କ ଅଭିଯୋଗ ଗ୍ରହଣ କରନ୍ତି ନାହିଁ। ଆଗକୁ ସାଧାରଣ ନିର୍ବାଚନ। ଗ୍ରାମବାସୀ ଏବେ ଠାରୁ ଅଣ୍ଟାଭିଡି ବାହାରିଲେଣି। ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ସଫା ସଫା ଚେତାବନୀ ଦେଲେଣି।ସରକାର ଗାଁକୁ ଗାଁ ସଂଯୋଗୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାୟଗଡା ଜିଲ୍ଲାର ଏବେ ବି ବହୁ ଗ୍ରାମକୁ ପକ୍କା ରାସ୍ତାଟିଏ ହୋଇ ପାରିଲା ନାହିଁ। ଯାହାଫଳରେ ଲୋକେ ଆଜି ବି ପାଦରେ ଚାଲି ଚାଲି ଭତ୍ତା ଏବଂ ଚାଉଳ ପାଇଁ ପଞ୍ଚାୟତ ସଦର ମହକୁମାକୁ ଆସିବାକୁ ପଡୁଛି। ପାହାଡ ପରି ଲୋକଙ୍କ ସମସ୍ୟା ରହିଛି। କିନ୍ତୁ ପ୍ରଶାସନ ଗୋଟିଏ ବି ସମସ୍ୟାର ସମାଧାନ କରି ପାରୁନାହିଁ। ଗାଁକୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାସ୍ତା ଯାଇଥିବା ବ୍ଲକ ପ୍ରଶାସନ ଯୁକ୍ତି ବାଢନ୍ତି। ପୁଣି ପକ୍କା ରାସ୍ତା ଆମର ନୁହେଁ, ତାହା ଗ୍ରାମ୍ୟ ନିର୍ମାଣ ବିଭାଗର ବୋଲି ପାଲଟା ଯୁକ୍ତି କରନ୍ତି। ଅଭିଯୋଗ କଲେ ପ୍ରଶାସନ ନାଲି ଆଖି ଦେଖାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ତେବେ ଲୋକ ପ୍ରତିନିଧିଙ୍କ ପ୍ରତିଶ୍ରୁତି ଆଜି ପାଣିର ଗାର ସଦୃଶ୍ୟ ପାଲଟିଛି। କେବେ ଏହି ଗ୍ରାମର ଭାଗ୍ୟ ବଦଳିବ ଦେଖିବାକୁ ବାକି ରହିଲା।