ସହିଦଙ୍କୁ ଅସମ୍ମାନ ନେଇ ତାତିଲେ ଗ୍ରାମବାସୀ, କ୍ଷମା ପ୍ରାର୍ଥନା କଲେ ବ୍ଲକ ପ୍ରଶାସନ

ବୈପାରିଗୁଡା: କୋରାପୁଟ ମାଟିର ବରପୁତ୍ର ମହାନ ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା ସହ ସ୍ବାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବ୍ୟାପିବା ସହ ପ୍ରତିକ୍ରିୟାଶୀଳ ହୋଇ ପଡିବାରୁ ଶେଷରେ ବ୍ଲକ ପ୍ରଶାସନ ଗ୍ରାମବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ପାଇଁ ବାଧ୍ୟ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତରେ। ଘଟଣା ଅନୁଯାୟୀ, ମହାନ ସ୍ବାଧିନତା ସଂଗ୍ରାମୀ ତଥା ଆଦିବାସୀ ନେତା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ଦଣ୍ଡାବାଡି ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ମାଣ କରାଯାଇ ଉନ୍ମୋଚନ ପାଇଁ ରଖାଯାଇଥିଲା। ତେବେ ଏହି ପ୍ରତିମୂର୍ତ୍ତୀକୁ କପଡ଼ାରେ ଢଙ୍କା ଯାଇଥିଲା। ଗତକାଲି ୭୬ ତମ ସ୍ବାଧିନତା ଦିବସ ଅବସରରେ ପଞ୍ଚାୟତ କାର୍ୟ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା କିନ୍ତୁ ସହିଦଙ୍କ କପଡ଼ା ଢଙ୍କା ଯାଇଥିବା ପ୍ରତିମୂର୍ତ୍ତୀକୁ ନଜର ଅନ୍ଦାଜ କରି ଦିଆଯାଇଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଯାଇଥିଲା। ପ୍ରକାଶ ଥାଉକି, ସ୍ଥାନୀୟ ସରପଞ୍ଚ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ପିଇଓ ଏବଂ ଜିଆରଏସ୍ ପରିଚାଳନା କରିଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଦୃଶ୍ୟ ଭାଇରଲ ହେବାପରେ ଦଣ୍ଡାବାଡି ଏବଂ ତେନ୍ତୁଳିଗୁମ୍ମା ସହ ବୈପାରିଗୁଡା ବ୍ଲକରେ ଉତେଜନା ପ୍ରକାଶ ପାଇଥିଲା।

ଏହି କାର୍ଯ୍ୟକ୍ରମ ପରେ ପଲ୍ଲୀସଭା କରାଯାଇଥିବାରୁ ଗ୍ରାମବାସୀଙ୍କ ଆକ୍ରୋଶରୁ ରକ୍ଷା ପାଇବା ପାଇଁ ସରପଞ୍ଚ ଏବଂ ପିଇଓ କିଛି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏକତ୍ର କରି କୈାଣସି ଔପଚାରିକ ପ୍ରତି ଅପେକ୍ଷା ନକରି ତରବରିଆ ଭାବେ ସହିଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଦେଇଥିଲେ। କିନ୍ତୁ ଏହାର ଫଳ ଓଲଟା ହେବା ଦେଖିବାକୁ ମିଳିଥିଲା। ବ୍ଲକ ପ୍ରଶାସନ କିମ୍ବା ବ୍ଲକ ଅଧ୍ୟକ୍ଷ ତଥା ବ୍ଲକ ସ୍ତରୀୟ ଜନପ୍ରତିନିଧିଙ୍କ ସମେତ କାହାକୁ ମଧ୍ୟ ସୂଚନା ଦିଆନଯାଇ ଏବଂ ଉନ୍ମୋଚନ ପାଇଁ ସ୍ବତନ୍ତ୍ର ଭାବେ କାର୍ଯ୍ୟକ୍ରମ ରଖାନଯାଇ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିବାରୁ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ଗ୍ରାମବାସୀମାନେ ବୈପାରିଗୁଡାରେ ପହଞ୍ଚିବା ପରେ ବ୍ଲକ ପ୍ରଶାସନ ସେମାନଙ୍କୁ ଡ଼ାକି ବୁଝାସୁଝା କରିବା ସହ ବିଡ଼ିଓ ବ୍ୟକ୍ତିଗତ ଭାବେ ସହିଦଙ୍କ ପ୍ରତି ହୋଇଥିବା ଅସମ୍ମାନ ପାଇଁ ଗ୍ରାମବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ପରେ ଘଟଣା ଶାନ୍ତ ପଡ଼ିଥିଲା। ତେବେ ସାଧାରଣ ବିଧି ବ୍ୟବସ୍ଥାକୁ ଅଣଦେଖା କରି ଶେଷରେ ହଟହଟା ହେବା ଘଟଣା ଆଜି ବୈପାରିଗୁଡା ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର