ରାୟଗଡା: ରାୟଗଡା ବ୍ଲକର ହାଟଶେଷଖାଲ ପଞ୍ଚାୟତର ଚାରୋଟି ଗ୍ରାମ ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ନିଜର ହକ ଘରଡିହ ପଟ୍ଟା ପାଇଁ ଦାବି କରି ହତାଶ ହୋଇଛନ୍ତି। ଏହି ପଞ୍ଚାୟତର ଲୁମ୍ବେସନି, କେରୁଡି, ଜୁଆଜୁମଣି ଏବଂ ହାଟଶେଷଖାଲଗୁଡା ଗ୍ରାମରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ଏହି ପରିବାର ମାନେ ବସ୍ତି ଅଂଚଳରେ ରହୁଥିଲେ ମଧ୍ୟ ଏମାନଙ୍କ ଗ୍ରାମକଣ୍ଟ ପରମବକ ପଟ୍ଟା ମିଳି ପାରୁନଥିବା ଅଭିଯୋଗ କରିଥିଲେ। ବାରମ୍ବାର ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଫେରାଦ ହୋଇଥିଲେ ମଧ୍ୟ କେହି ଶୁଣୁନଥିବା କହିଥିଲେ।

Advertisment

ଆଜି ସୋମବାର ଚାରୋଟି ଗ୍ରାମର ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ପରମକବକ ପଟ୍ଟା ପାଇଁ ଦାବି କରିଥିଲେ।ପଟ୍ଟା ନଥିବାରୁ ପିଲାଙ୍କ ପାଠ ପଢାରେ ବହୁ ସମସ୍ୟା ଦେଖା ଦେଉଥିବା ଅଭିଯୋଗ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଗ୍ରାମବାସୀ ସାମିଲ ହୋଇ ପାରୁନଥିବା କହିଥିଲେ। ସତୁରି ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ପରିବାର ମାନେ ଏହି ଗ୍ରାମ ଗୁଡିକରେ ବସବାସ କରି ଆସୁଥିଲେ ମଧ୍ୟ ତାଙ୍କର ଏହି ନ୍ୟାର୍ଯ୍ୟ ଦାବି ପୂରଣ ହେଉନଥିବା କହିଥିଲେ। ପରମବକ ପଟା ନମିଳିଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ସହ ନିର୍ବାଚନରେ ଭୋଟ ବର୍ଜନ ନେଇ ମଧ୍ୟ ଚେତାବନୀ ଦେଇଥିଲେ। ଏହାର ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।