ରାୟଗଡା: ରାୟଗଡା ଜିଲ୍ଳା ସଦର ମହକୁମା ଠାରୁ ମାତ୍ର ୬ କିଲୋମଟିର ଦୂରରେ ଯିବା ପରେ ୩୨୬ ନମ୍ବର ଜାତୀୟ ରାଜପଥ କଡରୁ ଏକ କିଲୋମିଟର ଦୂରରେ ରହିଛି କୋଡିଙ୍ଗଗୁଡା ଗ୍ରାମ। ଏଠାରେ ୩୫ ଜଣ ପରିବାର ବସବାସ କରୁଛନ୍ତି। ତେବେ ବିଡମ୍ବନାର ବିଷୟ ଗାଁକୁ ଯିବା ପାଇଁ ବାଟ ଓଗାଳୁଛି ଝଞ୍ଜାବତୀ ନଦୀ। ଦଶନ୍ଧି ଦଶନ୍ଧି ଧରି ଗାଁ ଲୋକେ ଚିରସ୍ରୋତା ଝଞ୍ଜାବତୀ ନଦୀ ପାର ହୋଇ ଯାତାୟତ କରୁଛନ୍ତି। ନଦୀ ଯୋଗୁ ଜିଲ୍ଳା ସଦର ମହକୁମାର ମାତ୍ର ୬ କିମି ଦୂରରେ ଥିବା କୋଡିଙ୍ଗଗୁଡା ଗାଁରେ ପହଞ୍ଚି ପାରୁନାହିଁ ମୌଳିକ ସୁବିଧା ସହ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା। ରୋଗୀଙ୍କୁ ଖଟିଆ ଓ ଭାରରେ ହିଁ ନଦୀ ଆରପାରିକୁ ଅଣାଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଏବଂ ବୃଦ୍ଧବୃଦ୍ଧା ମାନେ ଭତା ପାଇଁ ଝଞ୍ଜାବତୀ ନଦୀର ପ୍ରଖର ସ୍ରୋତରେ ପାରି ହୋଇଥାନ୍ତି ବୋଲି ଗ୍ରାମବାସୀ କହିଥିଲେ।
ତେବେ ଖରାଦିନେ ନଦୀ ପାର ପାଇଁ ଗ୍ରାମବାସ ନିଜର ଆବଶ୍ୟକତାକୁ ପ୍ରାଥମିକତା ଦେଇ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଥିଲେ। କିନ୍ତୁ ଚଳିତ ବର୍ଷାରେ ଏହି କାଠପୋଲକୁ ଧୋଇ ନେଇଥିବା ଗାଁ ଲୋକେ କ୍ଷୋଭର ସହ ପ୍ରକାଶ କରିଥିଲେ। ବାରମ୍ବାର ଦାବିସତ୍ବେ ନଦୀ ଉପରେ ନିର୍ମାଣ ହୋଇପାରି ନାହିଁ ପୋଲଟିଏ। ଗତ କିଛିଦିନର ଲଗାଣ ବର୍ଷାରେ ଝଞ୍ଜାବତୀ ନଦୀରେ କ୍ଷୀପ୍ର ଗତିରେ ପାଣି ପ୍ରବାହିତ ହେଉଥିବାରୁ ଗାଁରି ପିଲାମାନେ ସ୍କୁଲ ଯିବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2023/07/Rgda-Koding-guda-village-story-5.jpg)
ନଦୀ ପାର ହେଲେ ସ୍କୁଲ। ତେଣୁ ବର୍ଷା ଦିନେ ପିଲା ସ୍କୁଲକୁ ଯାନ୍ତିନାହିଁ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି। ନଦୀରେ କମ୍ ପାଣି ଥିବା ବେଳେ ଅଭିଭାବକ ମାନେ ପିଲାଙ୍କ ହାତ ଧରି ନଦୀ ପାର କରାଇଥାନ୍ତି। ଏବେ ବିପଦପୂର୍ଣ୍ଣ ରହିଥିବାରୁ କେହି ମଧ୍ୟ ନଦୀ ପାର କରି ପିଲାଙ୍କୁ ସ୍କୁଲକୁ ନେଉ ନାହାନ୍ତି।ସେହିପରି ଭତ୍ତା ପାଇଁ ମଧ୍ୟ ବୃଦ୍ଧ ଓ ବୃଦ୍ଧାମାନେ ନଦୀ ପାର କରି ରାୟଗଡା ବ୍ୟାଙ୍କକୁ ଯିବାକୁ ଭୟ କରନ୍ତି। ଝଞ୍ଜାବତୀ ନଦୀ କୋଡିଙ୍ଗଗୁଡା ଗ୍ରାମ ପାଇଁ ଦୁଃଖ ପାଲଟିଛି। ଅତ୍ୟାବଶକୀୟ ଜିନିଷ ମଧ୍ୟ ଆଣିବା ଏକ ପ୍ରକାର କଷ୍ଟକର ହୋଇପଡୁଥିବା ଲୋକେ କହନ୍ତି। ସବୁଠାରୁ ବଡ ସମସ୍ୟା ହେଲା ପାଣିର। ଏହି ଗ୍ରାମରେ ପିଇବା ପାଣିର କୌଣସି ଉତ୍ସ ନାହିଁ। ସରକାରଙ୍କ ତରଫରୁ ଏକ ସୋଲାର ପମ୍ପ ବସାଯାଇଥିଲା ସତ କିନ୍ତୁ ଦୀର୍ଘଦିନ ହେଲା ଏହା ଖରାପ ହୋଇ ପଡିଥିବାରୁ ଲୋକେ ଚୂଆ ପାଣି ଉପରେ ହିଁ ନିର୍ଭର କରୁଛନ୍ତି।
/sambad/media/post_attachments/wp-content/uploads/2023/07/Rgda-Koding-guda-village-story-3.jpg)
ନଦୀ କୂଳରେ ଚୁଆ ଖୋଳି ପାଣି ନେଉଥିବା ଦେଖିବାକୁ ମିଳିଥିଲା। ନଦୀ କୂଳରୁ ବର୍ଷସାରା ଗ୍ରାମର ମହିଳା ମାନେ ପାଣି ସଂଗ୍ରହ କରିଥାନ୍ତି। ବର୍ଷାଦିନେ ଏହି ପାଣି ପିଇବା ଦ୍ବାରା ସଂକ୍ରାମକ ରୋଗର ଶିକାର ହୋଇ ଅକାଳରେ ମୃତ୍ୟୁବରଣ କରୁଥିବା କହନ୍ତି। ପାହାଡ ତଳେ ରହିଥିବା ଏହି ଗ୍ରାମଟି ବର୍ଷାଦିନେ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ଯାଇଥାଏ। ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ପୋଲ ପାଇଁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କହିଥିଲେ। ଗାଁକୁ ରାସ୍ତା ନଥିବାରୁ ନାହିଁ ନଥିବା ହଇରାଣ ହେଉଥିବା ଲୋକେ କହିଥିଲେ। ଗ୍ରାମବାସୀ ଚାରିଦିଗରୁ ବନ୍ଦୀ ହୋଇ ଜୀବନଯାପନ କରୁଛନ୍ତି। ବର୍ଷାଦିନ ହେଲେ ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହୋଇଯାଏ। ଗାଁର କାହାକୁ ରୋଗ ହେଲେ ଡାକ୍ତରଖାନାକୁ ନେବାକୁ ଲୋକେ ବହୁ ହଇରାଣ ହେଉଥିବା କହିଥିଲେ। ନିର୍ବାଚନ ହେଲେ ମାଳ ମାଳ ନେତା ଗାଁକୁ ଆସି ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ସେସବୁ ପାଣିର ଗାର ସଦୃଶ୍ୟ। ରାୟଗଡାରେ ମନ୍ତ୍ରୀ, ବିଧାୟକ ସମସ୍ତେ ଅଛନ୍ତି କିନ୍ତୁ ଏଭଳି ଗ୍ରାମର ଲୋକଙ୍କୁ ଅଣଦେଖା କରାଯାଉଥିବା କୁହାଯାଇଛି। ଜିଲ୍ଲାରେ ଏଭଳି ବହୁ ଗ୍ରାମ ରହିଛି, ଯେଉଁ ଗ୍ରାମକୁ ପାହାଡିଆ ନିଦୀ ସହ ବଡ ବଡ ନଦୀ ଘେରି ରହିଛି। ଯାହାଫଳରେ ଲୋକେ ବର୍ଷାଦିନେ ବନ୍ଦୀ ଜୀବନ ବିତାନ୍ତି। ଗାଁ ନିକଟରେ ରହିଥିବା ନଦୀ ଯୋଗୁଁ ବିକାଶ ପହଞ୍ଚିପାରୁ ନାହିଁ।